ଫିକା ପଡ଼ିଲା କୁସୁମ ଓ ଜୁଏଲଙ୍କ ସଭା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ବିଧାୟିକା କୁସୁମ ଟେଟେ ଗାଁକୁ ଗାଁ ଯାଇ ପ୍ରଚାର କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଲୋକଙ୍କ ଭିତରେ ପୂର୍ବ ଭଳି ଉତ୍ସାହ ଦେଖିବାକୁ ମିଳୁ ନାହିଁ। ଅନେକ ସ୍ଥାନରେ ଲୋକେ ତାଙ୍କୁ ୫ ବର୍ଷର ବିକାଶ ଉପରେ ପ୍ରଶ୍ନ ପଚାରି ଅଡ଼ୁଆରେ ପକାଉଥିବା ଦେଖାଯାଉଛି। ସାନପତ୍ରାପାଲି ଓ ପାତକିଯୋର ସଭାରେ ବିଧାୟିକାଙ୍କୁ ଭୋଟରଙ୍କ ପ୍ରଶ୍ନ ଚର୍ଚ୍ଚାର ବିଷୟ ହୋଇଥିଲା।

ଦିନକ ତଳେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ସୁନ୍ଦରଗଡ଼ ବ୍ଲକ୍ ମଝାପଡ଼ାରୁ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି ପ୍ରଚାର ପାଇଁ ପହଞ୍ଚିଥିବା ବିଧାୟିକାଙ୍କ ସହ ସାଂସଦ ଜୁଏଲ ଓରାମ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଦିନ ୧୧ଟା ୨୦ରେ ମଝାପଡ଼ାକୁ ହାତଗଣତି ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଜେପି ପ୍ରାର୍ଥୀ କୁସୁମ ଟେଟେ। ମନ୍ଦିର ଛକରେ ଇନୋଭା କାରରୁ ଓହ୍ଲାଇ ଅଧଘଣ୍ଟା ଅପେକ୍ଷା କରିବା ପରେ ବି କେହି ଆସି ନଥିଲେ। ସାଥିରେ ଯାଇଥିବା କିଛି କର୍ମୀ କାରରୁ ପତାକାମାଳ ବାହାର କରି ବାନ୍ଧିଥିଲେ। ଏପରିକି କିଛି କର୍ମୀ ପାଖ ଘରୁ ଚୌକି ଆଣି ପକାଇଥିଲେ। ତାର କିଛି ସମୟ ପରେ ପହଞ୍ଚିଥିଲେ ସାଂସଦ ଜୁଏଲ ଓରାମ। ପାଖକୁ କେହି ନ ଆସିବାରୁ ଦୁଇ ପ୍ରାର୍ଥୀ କିଛି ଘରକୁ ଯାଇ ପ୍ରଚାରପତ୍ର ବାଣ୍ଟି ଭୋଟ ମାଗିଥିଲେ। ଏହା ପରେ ଛକକୁ ଆସି ସଭା କରିଥିଲେ। ସଭାରେ ସାଥିରେ ଯାଇଥିବା କର୍ମକର୍ତ୍ତାଙ୍କ ସହ ଗାଁର ୪/୫ ଜଣ ଲୋକ ଉପସ୍ଥିତ ଥିଲେ। କୌଣସିମତେ ସଭା ସାରି ଦୁଇ ପ୍ରାର୍ଥୀ ଚାଲି ଯାଇଥିଲେ। ୫ ପାଳିର ସାଂସଦ, ଜଣେ ବିଧାୟିକାଙ୍କ ପ୍ରଚାର ସଭାରେ ଏ ସ୍ଥିତି କିଛି ଭିନ୍ନ କଥା କହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର