ରାଉରକେଲା : ସେକ୍ଟର-୭ ଆର୍ଏସ୍ପି କ୍ୱାର୍ଟର୍ସରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୯ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୧୦ହଜାର ଟଙ୍କା ଲୁଟି ନେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଆର୍ଏସ୍ପି କର୍ମଚାରୀ ଲମ୍ବୋଧର ମହାନ୍ତ ଏବଂ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପଛପଟ କବାଟ ଦେଇ ଭିତରକୁ ପଶିଥିଲେ। ସେମାନେ ବେଡ୍ରୁମରେ ଖୋଲାଥିବା ଆଲମିରାର ଲକର ଭିତରେ ଏକ ଡବାରେ ଝିଅ ବିବାହ ପାଇଁ ରଖିଥିବା ୩୦ ଭରି ଓଜନର ସୁନାଗହଣା, ମନିପର୍ସରୁ ସାଢ଼େ ୩ ହଜାର, ଭ୍ୟାନିଟିରୁ ସାଢ଼େ ୬ ହଜାର ଟଙ୍କା ନେଇ ପଳାଇଥିଲେ। ଦୁର୍ବୃତ୍ତମାନେ ତରବରିଆ ଭାବେ ଲୁଟ୍ କରିଥିବାରୁ ସୁନାଗହଣା ଡବା ନିକଟରେ ଥିବା ପର୍ସରେ ୧୮ ହଜାର ଟଙ୍କା ଥିଲେ ମଧ୍ୟ ତାହାକୁ ନେଇପାରି ନାହାନ୍ତି। ଦୁର୍ବୃତ୍ତମାନେ ଦମ୍ପତିଙ୍କ ଶୋଇବା ଘରେ ତରଳ ନିଶାଦ୍ରବ୍ୟ ସ୍ପ୍ରେ କରି ଥିବାରୁ ପତିପତ୍ନୀ ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ଅନୁମାନ କରାଯାଉଛି।
ଭୋର ପ୍ରାୟ ୫ଟାରେ ବିଷ୍ଣୁପ୍ରିୟାଙ୍କ ନିଦ ଭାଙ୍ଗିଥିଲା। ଆଲମିରା ଓ ଘରର ପଛ କବାଟ ଖୋଲାଥିବା ଦେଖି ସେ ସନ୍ଦେହ କରିଥିଲେ। ସେ ଆଲମିରା ଲକର ଖୋଲି ଦେଖିଲେ ଯେ ଝିଅ ପାଇଁ ସୁନାଗହଣା ଭର୍ତ୍ତି ଡବା ନାହିଁ। ଭ୍ୟାନିଟି ବ୍ୟାଗ ଏବଂ ମନି ପର୍ସ ଏଣେତେଣେ ପଡିଥିବା ଦେଖି ବିଷ୍ଣୁପି୍ରୟା ସ୍ୱାମୀ ଲମ୍ବୋଧରଙ୍କୁ ନିଦରୁ ଉଠାଇଥିଲେ। ଲମ୍ବୋଧର ଏ ସମ୍ପର୍କରେ ସେକ୍ଟର-୭ ଥାନାକୁ ଜଣାଇଥିଲେ। ପୁଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଲୁଟ୍ ସାମଗ୍ରୀ ମଧ୍ୟରେ ନିର୍ବନ୍ଧ ବେଳେ ପୁଅ ଘର ପକ୍ଷରୁ ଝିଅକୁ ଦିଆଯାଇଥିବା ସାଢ଼େ ୩ ଲକ୍ଷ ଟଙ୍କାର ଅଳଙ୍କାର ସହ ଝିଅ ପାଇଁ ମହନ୍ତ ଦମ୍ପତି କିଣିଥିବା ଅଢ଼େଇ ଲକ୍ଷ ଏବଂ ପତ୍ନୀଙ୍କର ୩ ଲକ୍ଷ ଟଙ୍କାର ସୁନା ଗହଣା ଥିଲା। ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି)ର ଟେଲିକମ୍ୟୁନିକେସନ ବିଭାଗରେ କାର୍ଯ୍ୟରତ ଲମ୍ବୋଧର ମହାନ୍ତ ସେକ୍ଟର-୭ ସ୍ଥିତ ସି-୪୧ରେ ପତ୍ନୀଙ୍କ ସହ ରହୁଥିଲେ।
ତାଙ୍କର ପୁଅ-ଝିଅ ଦୁହେଁ ବାଙ୍ଗାଲୋରରେ ଚାକିରି କରନ୍ତି। ଡିସେମ୍ବର ୩ରେ ଝିଅ ମଧୁସ୍ମିତାର ବିବାହ ବିହାର ନାଳନ୍ଦାରେ ଠିକ୍ ହୋଇଥିଲା। ଏଥିପାଇଁ ସେ ରାଉରକେଲାରେ ଦୁଇଟି ହୋଟେଲ ବୁ୍କ୍ କରିଥିଲେ। ସମସ୍ତ ଜିିିନିଷପତ୍ର କିଣି ଘରେ ରଖିଥିଲେ। କେବଳ ଏତିକି ନୁହେଁ ନିର୍ବନ୍ଧ ବେଳେ ପୁଅ ଘରପକ୍ଷରୁ ଦିଆଯାଇଥିବା ସାଢ଼େ ୩ ଲକ୍ଷ ଟଙ୍କାର ସୁନାଗହଣାକୁ ଝିଅ ମଧୁସ୍ମିତା ମା’ଙ୍କୁ ରଖିବାକୁ ଦେଇଥିଲେ। କିଛି ଦିନ ଘରେ ରହିବା ପରେ ବାଙ୍ଗାଲୋର ଚାଲିଯାଇଥିଲେ। ସେହିପରି ଲମ୍ବୋଧର ଝିଅ ପାଇଁ ଧନ୍ତରେସ୍ରେ ପୁଣି ଅଢ଼େଇ ଲକ୍ଷର ସୁନାଗହଣା ସହ ପତ୍ନୀଙ୍କ ୩ ଲକ୍ଷ ଟଙ୍କାର ପୁରୁଣା ସୁନାଗହଣାକୁ ଏକ ଡବାରେ ଭର୍ତ୍ତି କରି ଆଲମିରା ଲକ୍ରେ ରଖିଥିଲେ। ପ୍ରତିଦିନ ପରି ଗତକାଲି ବି ସିଫ୍ଟରେ ଡୁ୍ୟୁଟିରୁ ଆସିବା ପରେ ଉଭୟ ପତିପତ୍ନୀ ଖାଇପିଇ ଶୋଇଯାଇଥିଲେ। ରାତି ପ୍ରାୟ ୨/୩ ଭିତରେ ଦୁର୍ବୃତ୍ତମାନେ ସ୍କାଏ ଲାଇଟ୍ ଭିତରେ ହାତପୁରାଇ ପଛ କବାଟ ଖୋଲି ଭିତରକୁ ପଶିଥିବା ଅନୁମାନ କରାଯାଉଛି। ଗତ ୧ ବର୍ଷ ଭିତରେ ସି -୪୨, ସି -୪୪, ସି -୩୧ କ୍ୱାର୍ଟରରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିଛନ୍ତି। ମାତ୍ର କେହି ଧରାପଡ଼ି ନାହାନ୍ତି।