ରାଉରକେଲା : କିଛିଦିନର ବ୍ୟବଧାନ ପରେ ପୁଣିଥରେ ପିଲାଚୋର ଘଟଣା ସାମ୍ନାକୁ ଆସିଛି। ପିଲାଚୋର ସନ୍ଦେହରେ ଜଣେ ଫେରିବାଲା ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗାଁଆକୁ ଗାଁ ଫେରି କରି ସାଇକେଲରେ ରାଉରକେଲା ଫେରୁଥବା ସମଶେର୍ ଶେଖ (୩୧)ଙ୍କୁ ଚାନ୍ଦିପୋଷ ନିକଟରେ କିଛି ଯୁବକ ତାଙ୍କୁ ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହିତ, କୁରାଢ଼ୀରେ ତାଙ୍କ ପିଠି, ଗୋଡ, ହାତରେ ଚୋଟ ମାରିଥିଲେ। ସେ ପିଲା ଚୋର ନୁହେଁ ବୋଲି ଯେତେ କାକୁତମିନତି ହୋଇଥିଲେ ମଧ୍ୟ ସମଶେର୍ଙ୍କୁ ଆକ୍ରମଣକାରୀମାନେ ଛାଡ଼ି ନଥିଲେ। ସମଶେର୍ ଲହୁଲୁହାଣ ହୋଇ ତଳେ ପଡ଼ିଯିବା ପରେ ସେମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ପରେ ସମଶେର୍ ଜୀବନ ବଞ୍ଚାଇବାକୁ ସାଇକେଲ ଛାଡି ସେଠାରୁ ଗୁରୁଣ୍ଡି ଗୁରୁଣ୍ଡି କିଛି ବାଟ ଆସି ରାସ୍ତା କଡ ଗଛମୂଳେ ପହଞ୍ଚିଥିଲେ। ସେଠାରୁ ଆସି ନପାରି ସେ ରାତି ତମାମ ପଡ଼ି ରହିଥିଲେ। ଆଜି ଭୋର୍ରେ କିଛି ଲୋକ ତାଙ୍କୁ ଦେଖି ଚାନ୍ଦିପୋଷ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁତର ସମଶେର୍ଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)କୁ ପଠାଇଥିଲେ। ସେ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Rkl-Pila-chori.jpg)