ରାଉରକେଲା : ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

ରାଉରକେଲା : ଲଜ୍ଜାରେ ଇସ୍ପାତ ସହରର ମୁହଁ ତଳକୁ ହୋଇଯିବା ଭଳି ପୁଣି ଏକ ଘଟଣା ଘଟିଛି। ଟିଉସନ ପଢ଼ିବାକୁ ଯାଇଥିବା ଜଣେ ୯ ବର୍ଷ ବୟସର ତୃତୀୟ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଛାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଏମିତି ସମ୍ବେଦନଶୀଳ ଘଟଣା ଘଟିଛି ସେକ୍ଟର-୨୦ ଅଞ୍ଚଳରେ। ଗତକାଲି ଏକ ସ୍ବେଚ୍ଛାସେବୀ ସଙ୍ଗଠନର ସହାୟତାରେ ପୀଡ଼ିତାଙ୍କ ବାପା ମାଆଙ୍କ ଲିଖିତ ଏତଲା ଆଧାରରେ ଝିରପାଣି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପୀଡ଼ିତାଙ୍କୁ ଚାଇଲ୍‌ଡ ଲାଇନ୍‌ ସହାୟତାରେ ଆର୍‌ଜିଏଚ୍‌ ‘ସଖୀ’ରେ ରଖାଯାଇଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ରହିଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।

ସେକ୍ଟର-୨୦ ପମ୍ପ ହାଉସ ନିକଟରେ ପୀଡ଼ିତାଙ୍କ ପରିବାର ରହନ୍ତି। ସ୍ବାମୀ ସ୍ତ୍ରୀ ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି। ପମ୍ପ ହାଉସ ନିକଟରେ ଏକ ସ୍ବେଚ୍ଛା‌ସେବୀ ଅନୁଷ୍ଠାନ ପିଲାମାନଙ୍କୁ ମାଗଣାରେ ଟିଉସନ କରୁଥିବାରୁ ବାପାମା’ ଝିଅକୁ ସେଠାକୁ ପଠାଉଥିଲେ। ଗତ ଶନିବାର ଅପରାହ୍ନରେ ନାବାଳିକା ନିଜ ସାଙ୍ଗମାନଙ୍କ ସହ ଟିଉସନ ଯାଇଥିଲେ। ଟିଉସନ ସରିବା ପରେ ସଂଧ୍ୟା ପ୍ରାୟ ୬ଟାରେ ଏକା ଘରକୁ ଫେରୁଥିଲେ। ବାଟରେ କୋଏଲ ନଦୀ ଅପରପାର୍ଶ୍ବ ଗାଁର ଜଣେ ଯୁବକ ତ‌ାଙ୍କୁ ଏକୁଟିଆ ଦେଖି ସେଠାରୁ ଜୋରଜବରଦସ୍ତ ଉଠାଇ ନେଇଥିଲା। ତା’ପରେ ଗାଁ ନିକଟରେ ଥିବା ନିଛଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ଝିଅ ଘରକୁ ନ ଫେରିବାରୁ ବାପା ମାଆ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ପରଦିନ ଅର୍ଥାତ୍‌ ରବିବାର ଦିନ ଟିଉସନ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ସୂଚନା ପାଇ କୋଏଲନଦୀ ଅପରପାର୍ଶ୍ବ ଗାଁ ନିକଟରୁ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର