ରାଉରକେଲା: ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ରଘୁନାଥପାଲି ନିର୍ବାଚନମଣ୍ଡଳୀ ପାଇଁ ଗୁରୁବାର ସଂଧ୍ୟାରେ ପରିବେଶ ପଞ୍ଚାୟତ ବସିଥିଲା। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଜ୍ଞାନ ରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଜଗବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଓ ଗୁରୁତ୍ବ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟକରୁଥିବା ପରିବେଶବିତ୍‌, ସ୍ବେଚ୍ଛାସେବୀ, ପାଣିପାଗ ଓ ଜଳବାୟୁ ବିଶାରଦ, ମହିଳା ସଂଗଠନର ସଦସ୍ୟା, ବୁଦ୍ଧିଜୀବୀ, ସ୍ତମ୍ଭକାର, ଛାତ୍ରଛାତ୍ରୀ, ରାଜନେତାଙ୍କ ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ନିଜନିଜ ମତ ରଖିଥିଲେ। ରାଉରକେଲା ଜିଲ୍ଲା ପ୍ରତିନିଧି ମଳୟ ରଂଜନ ସାହୁ ସ୍ବାଗତ ବକ୍ତବ୍ୟ ରଖିଥିବାବେଳେ ମହାନଗର ପ୍ରତିନିଧି ଦେବବ୍ରତ ଗଡ଼ତିଆ ଧନ୍ୟବାଦ ଦେଇଥିଲେ।

Advertisment

ଏହି କାର୍ଯ୍ୟକ୍ରମ ନେଇ ନିଜର ମତ ପ‌ୋଷଣ କରିଛନ୍ତି କେତେକ ବିଶିଷ୍ଟ ବ୍ୟକ୍ତି।

ବୈଶ୍ବିକ ଚୁକ୍ତିନାମା ହେଉ
ପରିବେଶ ପ୍ରଦୂଷିତ ହୋଇଚାଲିଥିବାବେଳେ ଏହା ସ୍ଥାୟୀ ସମାଧାନ ହେଉନି କାହିଁକି? ଏହାକୁ ବୁଝି ତଦନୁଯାୟୀ ପଦକ୍ଷେପ ନିଆଯାଉ। ନିଜନିଜ ସ୍ତରରେ ବି ପରିବେଶ ସୁରକ୍ଷା ସଂକ୍ରାନ୍ତୀୟ ପଦକ୍ଷେପ ନିଅନ୍ତୁ। କିନ୍ତୁ ଏନେଇ ବୈଶ୍ବିକସ୍ତରରେ ଚୁକ୍ତିନାମା ହୋଇ ତା'ର ଅନୁପାଳନ କରିବା ଶ୍ରେୟସ୍କର। ଗ୍ରୀନ୍‌ ଟେକ୍ନୋଲୋଜି, ପୁନଃବ୍ୟବହାର ପ୍ରକ୍ରିୟାକୁ ସମ୍ଭବ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଅନୁମୋଦନ କରାଯାଉ। ସବୁ ସରକାର ଉପରେ ଛାଡ଼ିବା ଠିକ୍‌ନୁହେଁ, ଏ ଦିଗରେ ନିଜକୁ ସଚେତନ ହେବାକୁ ପଡ଼ିବ। ସ୍କୁଲ ପିଲାଙ୍କୁ ପରିବେଶ ବିଜ୍ଞାନ ଶିକ୍ଷା ପ୍ରଦାନ କରିବା ଉଚିତ।
ଇଂ ନଳିନୀକାନ୍ତ ଧର, ଥିଙ୍କର୍ସ ଫୋରମ୍

ଜନସଂଖ୍ୟା ବିସ୍ଫୋରଣରେ ଅଙ୍କୁଶ ଲାଗୁ
ପୂର୍ବରୁ ପରିବେଶ ଅନୁକୂଳ ଥିଲା। ବାସପୋଯୋଗୀ ରହୁଥିଲା। ଏବେ କିନ୍ତୁ ଏହା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରି ପରିବେଶସୁରକ୍ଷା ଦିଗରେ ପଦକ୍ଷେପ ନିଅନ୍ତୁ। ଆଗରୁ ମୁନିଋଷି ପରିବେଶର କୋଳରେ ରହି ବିଶ୍ବକୁ ଜ୍ଞାନ ଦେଉଥିଲେ। ସେସବୁ ଜ୍ଞାନକୁ ଆହରଣକରି ଆମକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଏତଦ୍‌ବ୍ୟତୀତ ଜନସଂଖ୍ୟା ବିସ୍ଫୋରଣକୁ ସନ୍ତୁଳିତ ରଖିବା ଅନିବାର୍ଯ୍ୟ ହୋଇପଡ଼ିଛି। ମାତ୍ରାଧିକ ଜନସଂଖ୍ୟା ସାଙ୍ଗକୁ ସେହିମାତ୍ରାରେ ପରିବେଶ ସୁରକ୍ଷାକୁ ଅଣଦେଖା, ସମସ୍ୟାକୁ ଦ୍ବିଗୁଣିତ କରୁଛି।
ଡ. ସୁମନ ଦତ୍ତ, ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ

ବର୍ଷାଜଳ ଅମଳ ବ୍ୟବସ୍ଥା ହେଉ
ପ୍ରତ୍ୟେକ ସହର ଓ ଗ୍ରାମାଞ୍ଚଳରେ ବର୍ଷାଜଳ ଅମଳ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହାକୁ ସରକାର ପ୍ରାଥମିକତାଦେଲେ ବହୁମାତ୍ରା ସମସ୍ୟାର ସମାଧାନ ହୋଇପାରିବ। ଏତଦ୍‌ବ୍ୟତୀ ରାଉରକେଲା ଉନ୍ନୟନ ପ୍ରାଧିକରଣ(ଆର୍‌ଡିଏ୍‌), ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଭଳି ସଂସ୍ଥା ଘର ନିର୍ମାଣ ସମୟରେ ଆବଶ୍ୟକ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯାଉ। ବୃକ୍ଷରୋପଣ କରୁନଥିବା ବ୍ୟକ୍ତିକୁ ଘର ନିର୍ମାଣ ପାଇଁ ଅନୁମତି ନଦେବାର ପ୍ରାବଧାନ ହେଉ। ପୂର୍ବରୁ ପୋଖରି ତିଆରି ଚାରିକଡ଼େ ବୃକ୍ଷରୋପଣ କରାଯାଉଥିଲା, କିନ୍ତୁ ଏବେ ତାହା ଦେଖିବାକୁ ମିଳୁନି। ଏସବୁ ଦିଗରେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।
ବିନୋଦ ରାଉତ, କ୍ଲିନ୍ ଆଣ୍ଡ ଗ୍ରିନ୍

ଆତ୍ମପ୍ରଚାରରେ ସୀମିତ ନରହୁ ସଫେଇ ଅଭିଯାନ
ଦେଶରେ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବାପରଠାରୁ ବିଭିନ୍ନ ଅଞ୍ଚଳରେ ସ୍ବେଚ୍ଛାସେବୀ ସଂଗଠନ ସଫେଇ ଅଭିଯାନ ଚଳାଉଛନ୍ତି। ତେବେ ଝାଡ଼ୁ ଧରି ଫଟୋ ନେବାରେ ଲୋକେ ବ୍ରତୀ ନ ରହି, ବାସ୍ତବରେ ସଫେଇ କରନ୍ତୁ। ଜଳବାୟୁ ପରିବର୍ତ୍ତନ ହେଉଛି ଏକ ବୈଶ୍ବିକ ସମସ୍ୟା। ଏହାକୁ ମିଳିମିଶି ପ୍ରତିହତ କରିବାକୁ ହେବ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଆତ୍ମସଚେତନତା ନିତାନ୍ତ ଜରୁରୀ। ଯେ ପର୍ଯ୍ୟନ୍ତ ଜନସାଧାରଣ ଏହି ସମସ୍ୟାକୁ ଅନୁଶୀଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିବା ସମ୍ଭାବନା ପ୍ରାୟ କ୍ଷୀଣ। କୋଭିଡ ମହାମାରୀ ସମୟରେ ଲୋକେ ସଂକ୍ରମଣକୁ ରୋକିବାକୁ ମାସ୍କ ବ୍ୟବହାର କରୁନଥିଲେ, ବରଂ ପୁଲିସର ଜରିମାନାଠାରୁ ବଞ୍ଚିବାକୁ ମାସ୍କ ପିନ୍ଧୁଥିଲେ। ଏଭଳି ନକରାତ୍ମକ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ।
ଶୈଳେନ୍ଦ୍ର ମହାନ୍ତି, ସହରସେବା ସମିତି

ଉଭାନ ହୋଇଗଲାଣି ନୀଳ ଆକାଶ
ଦିନଥିଲା ଜଳବାୟୁ ପରିବର୍ତ୍ତନ ଏତେଟା ସଙ୍ଗୀନ ସ୍ଥିତିରେ ପହଞ୍ଚିନଥିବାରୁ ନୀଳ ଆକାଶ ଦେଖିବାକୁ ମିଳୁଥିଲା। ଏବେ କିନ୍ତୁ ଏହି ନୀଳ ଆକାଶ ଏକପ୍ରକାର ଉଭାନ ହୋଇଗଲାଣି। କାହିଁକି ଏଭଳି ହେଉଛି? ଏହାକୁ ହୃଦୟଙ୍ଗମକରି ତଦନୁଯାୟୀ ପଦକ୍ଷେପ ନେବାକୁ ପଡ଼ିବ। ଆମର ରହଣିଶୈଳୀ, ଖାଇବାଶୈଳୀରେ ପରିବର୍ତ୍ତନ ହେଉ। ପ୍ରଦୂଷଣ ରୋକିବାକୁ ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯାଉ। ଗତ ୨୦୨୩ ଜାନୁଆରିରେ ରାଉରକେଲାରେ ପୁରୁଷ ହକି ବିଶ୍ବକପ ସମୟରେ ସହରର ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରତିଯୋଗିତା ଶେଷ ହେବାପରେ ସ୍ଥିତି ପୂର୍ବ ରୂପକୁ ଫେରିଆସିଥିଲା। ସେତେବେଳେ ଯେଭଳି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଥିଲା, ସେହିଭଳି ପଦକ୍ଷେପ ବର୍ଷସାରା ନିଆଯାଉ।
ଅଜୟ ପ୍ରଧାନ, ବାସନ୍ତୀ ପାଠାଗାର

ନିଜନିଜ ଦାୟିତ୍ବ ପାଳନ କରିବାକୁ ହେବ
ପ୍ରତ୍ୟେକ ଭାରତୀୟଙ୍କୁ ସାମ୍ବିଧାନିକ ଅଧିକାର ମିଳିଛି। ଏସବୁ ଅଧିକାରକୁ ଆମେ ଉପଭୋଗ କରୁଛୁ। କିନ୍ତୁ ଆମେ ଆମର ଦାୟିତ୍ବକୁ ପାଳନ କରୁଛୁ କି? ବାସ୍ତବରେ, ଆମେ ଆମର ଗୁରୁଦାୟିତ୍ବକୁ ଭୁଲିସାରିଲେଣି। ଏଥିପାଇଁ ପରିବେଶସୁରକ୍ଷା ଦିଗରେ ଆଦୌ ବିବ୍ରତ ନୁହେଁ। ଏଭଳି ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ହେବ। ଆମେ ସମସ୍ତେ ନିଜନିଜ ଘରେ ବିଭିନ୍ନ ଔଷଧୀୟ ବୃକ୍ଷ, ଫୁଲ ବଗିଚା କରିବା ଉଚିତ।
ବନ୍ଦିତା ମହାନ୍ତ, ଲେଡି ଲାୟନ୍

ସହରରେ ଡେଙ୍ଗୁ ବ୍ୟାପିବା ଚିନ୍ତାଜନକ
କିଛି ବର୍ଷ ପୂର୍ବେ ସହରରେ ରୋଗ ସଂକ୍ରମଣ ହେଉନଥିଲା। ଏବେ କିନ୍ତୁ ଏହା ଉତ୍କଟ ରୂପ ନେଲାଣି। ପ୍ରାୟ ପ୍ରତିବର୍ଷ ଶତାଧିକ ଲୋକ ଡେଙ୍ଗୁ, ମ୍ୟାଲେରିଆ, ହଇଜା, ଜଣ୍ଡିସ୍ ଆଦିରେ ସଂକ୍ରମିତ ହେଉଛନ୍ତି। ଏମିତିକି ଏହି ରୋଗରେ ଆକ୍ରାନ୍ତଙ୍କ ଅକାଳ ବିୟୋଗ ଘଟୁଥିବା ଦେଖିବାକୁ ମିଳୁଛି। ସହର ଆଖପାଖ ଅଞ୍ଚଳକୁ ସଫାସୁତରା ରଖିବାକୁ ସମସ୍ତେ ଆଗେଇ ଆସନ୍ତୁ। ବିଶେଷକରି ସ୍ବେଚ୍ଛାସେବୀ ସଂଗଠନ ଅଭିଯାନର ନେତୃତ୍ବନେଇ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ଯୋଡ଼ନ୍ତୁ। ଅଭିଯାନ ଯେତେ ସୁଦୂରପ୍ରସାରୀ ହେବ, ତା'ର ପ୍ରଭାବ ବ୍ୟାପକ ହେବ।
ବିଶ୍ବଜିତ ରାଉତ, ମିରର୍ ଫାଉଣ୍ଡେସନ୍

କ୍ରମାଗତ ଅବହେଳା ମୁଖ୍ୟକାରଣ
ପରିବେଶ ସୁରକ୍ଷା କ୍ଷେତ୍ରରେ ଆମେ କ୍ରମାଗତଭାବେ ଅବହେଳା କରିଚାଲିଛୁ। ଏହି ସଙ୍କଟକୁ ଗମ୍ଭୀରତାର ସହ ନେବାକୁ ପଡ଼ିବ। ଯଦି ପୂର୍ବଭଳି ଅବହେଳା ଜାରି ରୁହେ, ତା'ହେଲେ ଆମର ଆଗାମୀ ପିଢ଼ି ଏହାର ଯନ୍ତ୍ରଣା ଭୋଗିବେ। କୋଭିଡ ମହାମାରୀ ଜନସାଧରଣଙ୍କ ବେପରୁଆ ମନୋଭାବକୁ ପଦାରେ ପକାଇଦେଇଥିଲା। ପ୍ରଥମ ଲହର ସମୟରେ ଲୋକେ ଭୟଭୀତ ଥିବାରୁ ନିୟମର କଡ଼ା ପାଳନ କରିଥିଲେ। ତେବେ ଦ୍ବିତୀୟ ଲହର ସମୟରେ ଖାମଖିଆଲି ମନୋବୃତ୍ତି ଯୋଗୁଁ ବହୁଲୋକଙ୍କ ଜୀବନହାନୀ ହେଲା। ଏବେ ଚେତିବାର ବେଳ ପହଞ୍ଚିଯାଇଛି। ସଚେତନ ହୋଇ ଏହି ସମସ୍ୟାର ଦୃଢ଼ ମୁକାବିଲା କରିବାକୁ ହେବ।
ପ୍ରଫୁଲ୍ଲ କୁମାର ପାତ୍ର, ପରିବେଶବିତ୍

ସମସ୍ତେ ମା’ ପାଇଁ ଗଛଟିଏ ଲଗାନ୍ତୁ
ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ିବାକୁ ଲାଗିଛି। ଗଛ କଟାଯାଇଛି, ଘର ନିର୍ମାଣ, ପ୍ଲାଣ୍ଟ ସ୍ଥା​ପନ ଓ ରାସ୍ତାଘାଟ ନିର୍ମାଣ କରାଯାଉଛି। ତେଣୁ ଆମ ଆଖପାଖ​ରେ ଅନେକ ପରିବର୍ତ୍ତନ ଆସୁଛି। କେଉଁଠି ଅଧିକ ବର୍ଷା ହେଉଛି ତ କେଉଁଠି କମ୍‌। କେଉଁଠି ପୁଣି ମରୁଡ଼ି ପଡ଼ିଯାଉଛି। ଅନେକ ସ୍ଥାନରେ ପାରଦ ୫୦ ଡିଗ୍ରି ଟପିଲାଣି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ସମସ୍ତେ ମା’ ପାଇଁ ଗ​ଛଟିଏ ଲଗାଇ ତାର ରକ୍ଷଣାବେକ୍ଷଣ କରିବା ତାହାଲେ ହିଁ ଆମେ ସୁସ୍ଥ ସମାଜ ଗଠନ କରିପାରିବା।
ଜୟ କଂସାରୀ, ପରିବେଶବିତ୍‌

ନିଜ ଆଖପାଖ ଅଞ୍ଚଳକୁ ସଫା ରଖିବା
‘ସମ୍ବାଦ’ର ଏହି କାର୍ଯ୍ୟକ୍ରମରୁ ଆମେ ପରିବେଶ ସମ୍ବନ୍ଧୀୟ ଅନେକ ତଥ୍ୟ ପାଇଲୁ ଏବଂ ସମାଜକୁ ସଚେତନ ମଧ୍ୟ କରିବୁ। ପରିବେଶକୁ ସୁରକ୍ଷିତ ରଖି କେମିତି ଆମ ଦେଶକୁ ସୁରକ୍ଷିତ ରଖିପାରିବା ସେନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବୁ। ପରିବେଶ ପାଇଁ କାହାକୁ ଦୋଷ ନଦେଇ ନିଜ ଆଖପାଖ ଅଞ୍ଚଳକୁ ସଫା ରଖି ଆମେ ସମାଜକୁ ଏକ ଭଲ ବାର୍ତ୍ତା ଦେଇପାରିବା।
ଝୁନୁ ନାୟକ, ସମର୍ପଣ