ଭୁବନେଶ୍ବର: ସୁନ୍ଦରଗଡ଼ଜିଲ୍ଲା କେ.ବଲାଙ୍ଗରେ ଆଜି ସକାଳୁ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ମୃତକମାନେ ହେଲେ କରମପାଲ ସିଂ (ପିତା: ସମର ସିଂ), ଶବର ବଳ (ପିତା: ସ୍ବର୍ଗତଃ ବଂଶୀଧର ବଳ), ପୁଷ୍ପା ଗୋପୀ (ସ୍ୱାମୀ: ଲିଲମୋହନ ଗୋପୀ), ସତ୍ୟଭାମା ଠାକୁର (ସ୍ୱାମୀ: ଭୀମ ଠାକୁର), ମେରୀ ନାଗ (ସ୍ୱାମୀ: ଅଲିଅସ ନାଗ)।
ସୂଚନାଯୋଗ୍ୟ, କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ ‘ଲିଙ୍ଗରାଜ’ ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ଝରକାକୁ କଟର୍ ସାହାଯ୍ୟରେ କାଟି ଯାତ୍ରୀମାନଙ୍କୁ ବାହାର କରିଥିଲେ।
CM Mohan Charan Majhi