ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିକୁ ପାଣି ବୋହିଲା ପରି ଖର୍ଚ୍ଚ କରାଯାଇଛି। ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ତତ୍କାଳଳୀନ ଜିଲ୍ଲାପାଳ ଓ କମିଟିରେ ଥିବା ବିଧାୟକ ସଦସ୍ୟ ପାଣ୍ଠିର ଦୁରୁପଯୋଗ କରିଛନ୍ତି। ପୂର୍ବ ସରକାରଙ୍କ ଚାପ ହେଉ ଅବା ବିଭାଗୀୟ ମନ୍ତ୍ରୀଙ୍କ ଚାପରେ ଜିଲ୍ଲାପାଳମାନେ ଡିଏମ୍ଏଫ୍ ପାଣ୍ଠି ଖର୍ଚ୍ଚବେଳେ ସ୍ଥାନୀୟ ଲୋକଙ୍କ ବିକାଶକୁ କମ୍, ବଡବଡ଼ିଆ ଠିକାସଂସ୍ଥାର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଇଛନ୍ତି। ଯେଉଁଠି ଖର୍ଚ୍ଚ ନ ହେବା କଥା ସେଠି ମନଇଚ୍ଛା ଖର୍ଚ୍ଚ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୫-୧୬ରୁ ୨୦୨୪ ମେ’ ମଧ୍ୟରେ ବିଭିନ୍ନ ଖଣିରୁ ଡିଏମ୍ଏଫ୍ ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା। ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ନୂଆ ସରକାର ଦାୟିତ୍ବ ନେବା ବେଳକୁ ଡିଏମ୍ଏଫ୍ ପାଣ୍ଠିରେ ମାତ୍ର ୧ ହଜାର ୭୧୭ କୋଟି ୨୧ ଲକ୍ଷ ଟଙ୍କା ଜମାଥିଲା। ପାଣ୍ଠି ଗଠନର ପ୍ରଥମ ୭ ବର୍ଷ ମଧ୍ୟରେ ମାତ୍ର ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଗତ ତିନି ବର୍ଷ ଅର୍ଥାତ୍ ୨୦୨୧-୨୨ରୁ ୨୦୨୩-୨୪ ପର୍ଯ୍ୟନ୍ତ ୩ଟି ଆର୍ଥିକ ବର୍ଷରେ ସର୍ବାଧିକ ୪ ହଜାର ୪୯୦ କୋଟି ଟଙ୍କା ଖର୍ଚ୍ଚ କରି ଦିଆଯାଇଛି। ବର୍ତ୍ତମାନ ଯାଯପୁର ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣ ଗତ ୨୦୧୯ ଜୁଲାଇରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ୩ ବର୍ଷ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ। ତାଙ୍କର ୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ, ଅର୍ଥାତ୍ ୨୦୧୯-୨୦ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୨୫୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଆସିବା ସମୟରେ ଡିଏମ୍ଏଫ୍ ପାଣ୍ଠିରେ ପ୍ରାୟ ୧୦୬୬ କୋଟି ୬୪ ଲକ୍ଷ ଟଙ୍କା ଥିଲା।
୨୦୧୯-୨୦ ଆର୍ଥିକ ବର୍ଷରେ ୬୬୭ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ଖର୍ଚ୍ଚ ହୋଇଥିଲା ୩୬୮ କୋଟି ୫୫ ଲକ୍ଷ। ୨୦୨୦-୨୧ରେ ୭୫୧ କୋଟି ଟଙ୍କା ଆଦାୟ ହୋଇଥିଲା। ଖର୍ଚ୍ଚ ହୋଇଥିଲା ୭୧୨ କୋଟି। ୨୦୨୧-୨୨ରେ ୧୮୩୩ କୋଟି ଆଦାୟ ହୋଇଥିଲା। ଖର୍ଚ୍ଚ କରା ଯାଇଥିଲା ୧୪୪୯ କୋଟି ଟଙ୍କା। ୨୦୨୨-୨୩ ଆର୍ଥିକ ବର୍ଷ ଆରମ୍ଭ ବେଳକୁ ପାଣ୍ଠିରେ ୧୭୮୮ କୋଟି ୧୦ ଲକ୍ଷ ଟଙ୍କା ବଳକା ରହିଥିଲା। ଏହି ସମୟରେ ଦାୟିତ୍ବ ନେଇଥିଲେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି। ତାଙ୍କର ୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ କିନ୍ତୁ ଡିଏମ୍ଏଫ୍ ପାଣ୍ଠିର ସର୍ବାଧିକ ବ୍ୟୟ ହୋଇଥିଲା। ତାଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ୩୦୪୧ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଖର୍ଚ୍ଚ ହୋଇଥିଲା ୩୧୧୨ କୋଟି ଟଙ୍କା। ୨୦୨୨-୨୩ରେ ୧୧୯୦ କୋଟି ୫୭ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ସର୍ବାଧିକ ୧୯୮୯ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ୨୦୨୩-୨୪ରେ ୧୫୧୮.୨୭ କୋଟି ସଂଗ୍ରହ ହୋଇଥିବାବେଳେ ୧୦୫୨.୫୬ କୋଟି ଖର୍ଚ୍ଚ ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ୩୩୨.୫୯ କୋଟି ଆଦାୟ ହୋଇଥିବାବେଳେ ନିର୍ବାଚନୀ କଟକଣା ସତ୍ତ୍ବେ ୭୦.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଭିତ୍ତିଭୂମିର ବିକାଶ ବାବଦରେ ଏସବୁ ଅର୍ଥ ଖର୍ଚ୍ଚ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ବାସ୍ତବ ଚିତ୍ର କିନ୍ତୁ ଓଲଟା। ଜିଲ୍ଲା ଖଣି ଅଞ୍ଚଳ କୋଇଡ଼ା ବ୍ଲକ ହେଉ ଅବା ଉପାନ୍ତ ବ୍ଲକର ଅଧିକାଂଶ ଗାଁକୁ ଆଜି ବି ରାସ୍ତା ନାହିଁ। ଏବେ ବି ବିଜୁଳି ଆଲୋକ ବିନା ଲୋକେ ରାତି କାଟୁଛନ୍ତି। କେଉଁଠି କେତେ ଟଙ୍କା ଖର୍ଚ୍ଚ କରାଯାଇଛି, ତାର କୌଣସି ଫଳକ ଲଗାଯାଇନି। ଆଦିବାସୀଙ୍କ ବିକାଶ କାମରେ ଆସୁନଥିବା ଅଧିକାଂଶ ପ୍ରକଳ୍ପ କରାଯାଇଥିବା ଅଭିଯୋଗ ହେଉଛି। ଏତେ ଟଙ୍କା ଜିଲ୍ଲାର କେଉଁକେଉଁ ପ୍ରକଳ୍ପରେ ବିନିଯୋଗ ହୋଇଛି, ତା’ର କୌଣସି ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ମନଇଚ୍ଛା ଖର୍ଚ୍ଚକୁ ନେଇ ପୂର୍ବ ବିଧାନସଭାରେ ତମ୍ବିତୋଫାନ ହୋଇଥିଲା। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ ସରକାର ବଦଳିବା ପରେ ଡିଏମ୍ଏଫ୍ ପାଣ୍ଠି ବିନିଯୋଗର ତଦନ୍ତ କରିବାକୁ ପୁଣି ଦାବି ଉଠିଛି।