ସୁନ୍ଦରଗଡ଼: ନିଯୁକ୍ତି ନାହିଁ ତ ଭୋଟ ନାହିଁ ନାରାରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଶହଶହ  ଶିକ୍ଷିତ ବେରୋଜଗାର ଯୁବକଯୁବତୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

Advertisment

ଜିଲ୍ଲାର  ଖଣିଖାଦାନ, କଳକାରଖାନା ସହ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ରୂପାୟନ ପାଇଁ ନିଯୁକ୍ତି ଦିଆଯାଉଥିଲେ ମଧ୍ୟ ସେଥିରେ ସ୍ଥାନୀୟ ବେରୋଜଗାରଙ୍କୁ ଉପେକ୍ଷା କରାଯାଉଛି। ବହିର୍ଉତ୍ସ ସଂସ୍ଥା ଜରିଆରେ ବାହାର ରାଜ୍ୟ ଓ ଜିଲ୍ଲାର ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି। ବିଶେଷ କରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଦିଆଯାଉଥିବା ନିଯୁକ୍ତିରେ ବି ସୁନ୍ଦରଗଡ଼ର ଶିକ୍ଷିତ ବେକାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

publive-image

ନିକଟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନରେ ବୈଷୟିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ଏଥିରେ ବାହାର ସଂସ୍ଥା ଜରିଆରେ ବାହାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ମସୁଧା ଚାଲିଥିବା ଜଣାପଡ଼ିବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହିକ୍ରମରେ ଜିଲ୍ଲାର ଶିକ୍ଷିତ ବେରୋଜଗାର ଯୁବକ, ଯୁବତୀମାନେ ନାରୀ କଲ୍ୟାଣ କେନ୍ଦ୍ରରୁ ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିକ୍ଷୋଭରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ସାମିଲ ହୋଇ ଯୁବକଯୁବତୀଙ୍କ ଦାବିରେ ସ୍ବର ମିଳାଇଛନ୍ତି। ପ୍ରତିବାଦ ସଭାରେ ଆନ୍ଦୋଳନକାରୀ ଜିଲ୍ଲା ପ୍ରଶାସନ ଉପରେ ପ୍ରବଳ ବର୍ଷିଛନ୍ତି।