ସୁନ୍ଦରଗଡ଼: ଏକ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଜନତାଙ୍କ କନିକା ବିଟ୍ ହାଉସ୍କୁ ଟେକାପଥର ମାଡ଼ ଓ ଗାଡ଼ି ଭଙ୍ଗାରୁଜା ଘଟଣା ପରେ ଗିରଫଦାରି ନାମରେ ଖୋଦ୍ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ପୁଲିସ ରାତି ଅଧିଆ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ଉଚ୍ଚ ପାହ୍ୟା ପୁଲିସ ଅଧିକାରୀଙ୍କ ଦ୍ବାରା ଏହାର ତଦନ୍ତ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପଶ୍ଚିମାଞ୍ଚଳ ପୁଲିସ ମହା ନିରୀକ୍ଷକଙ୍କୁ ସୁନ୍ଦରଗଡ଼ ଉପଖଣ୍ଡ ଦୌରା ଜଜ୍ ଚିନ୍ମୟୀ ପଣ୍ଡା ଆଦେଶ ଦେଇଛନ୍ତି। କୋର୍ଟ ଆଦେଶ ଆରକ୍ଷୀ ଅଧିକ୍ଷକଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ତାଙ୍କ ବିରୋଧରେ ପୁଣି ଏକ ମାମଲା କୋର୍ଟରେ ଦରଜ ହୋଇଛି। ହେମଗିର ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ଦିଲୀପ ପଟ୍ଟନାୟକ ଆରକ୍ଷୀ ଅଧିକ୍ଷକଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ କମ୍ପ୍ଲେନ କେସ୍ ଭାରତୀୟ ଦଣ୍ଡବିଧି ଧାରା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୧୬୬, ୧୬୭, ୩୪୨, ୫୦୩, ୫୦୪ରେ ଦାଏର କରିଛନ୍ତି। ମାମଲାରୁ ପ୍ରକାଶ ଯେ, ଗତ ୪ ତାରିଖ ରାତି ସାଢ଼େ ୧୨ଟାରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସଶସ୍ତ୍ର ପୁଲିସ ବଳ ସହ ତାଙ୍କ ଘରକୁ ଜବରଦସ୍ତ ପଶି ଶ୍ରୀ ପଟ୍ଟନାୟକଙ୍କୁ ମାଡ଼ପିଟ କରି ତାଙ୍କ ପତ୍ନୀକୁ ବିଧବା କରିଦେବି କହି ଧମକଚମକ ଦେଇଥିଲେ। ଏହା ପରେ ତାଙ୍କ ଘର ଝରକା କାଚ ଓ ବଲେରୋ ଗାଡ଼ିର କାଚ ଭାଙ୍ଗି ତାଙ୍କୁ କନିକା ବିଟ୍ ହାଉସ୍କୁ ଉଠାଇ ନେଇଥିଲେ। ଅନ୍ୟପଟେ ଗତ ୫ ତାରିଖରେ ଅଦାଲତ ପରିସରରୁ ସାଧା ପୋଷାକଧାରୀ କିଛି ପୁଲିସ ଶ୍ରୀ ପଟ୍ଟନାୟକଙ୍କ ପୁଅକୁ ଜବରଦସ୍ତ ଟେକି ସଦରଥାନାକୁ ନେଇ ସେଠାରେ କୁଆଡ଼େ ତାକୁ ମାଡ଼ପିଟ କରି କୋର୍ଟ ଚାଲାଣ କରିଥିଲେ। ପୁଲିସର ଏଭଳି ସମ୍ବେଦନହୀନ ଆଚରଣ ଓ ନିର୍ଯାତନା ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ଆଘାତ ଦେଇଛି ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ହେମଗିର ଥାନାକୁ ଏତଲା ଦେବାକୁ ଯାଇଥିଲେ ବି ପୁଲିସ ଗ୍ରହଣ ନକରିବା ଅଭିଯୋଗ କରି ଗତ ୧୧ ତାରିଖରେ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ 'ଅଭିଯୋଗ ଭିତ୍ତିହୀନ ଓ ପୁଲିସ ଆଇନ ଭିତରେ ରହି ନିଜ କର୍ତ୍ତବ୍ୟ ସମ୍ପାଦନ କରିଛି ବୋଲି କହିଥିଲେ।
ଏସ୍ପିଙ୍କ ବିରୋଧରେ ଅଦାଲତରେ ମାମଲା
କନିକା ପ୍ରସଙ୍ଗ
/sambad/media/post_attachments/wp-content/uploads/2019/07/76-highcourt_5-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)