ରାଉରକେଲା: ସହରର ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ଛାତ୍ରମାନେ ହାତରେ ବନ୍ଧୁକଧରି ରାଉରକେଲାର ରିଂ’ ରୋଡ୍‌ରେ ବୁଲିବାସହ ବିମାନବନ୍ଦର ସମ୍ମୁଖରେ ବନ୍ଧୁକଧରି ନାଚିଥିଲେ। ‘ସମ୍ବାଦ’ରେ ଏହି ଖବର ପ୍ରକାଶିତ ହେବାପରେ ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଥିଲା। ଦୁଇ ଦିନଧରି ନାବାଳକ, ସେମାନଙ୍କ ଅଭିଭାବକମାନଙ୍କୁ ପଚରାଉଚରା କରିଥିଲା। ନାବାଳକମାନେ ଖେଳଣା ବନ୍ଧୁକ ଧରି ନାଚିଥିବା ତଦନ୍ତ ପରେ ପୁଲିସ୍‌ ପକ୍ଷରୁ କହାଯାଇଛି। ସମସ୍ତେ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ର ଓ ନାବାଳକ ଅଟନ୍ତି। ତେଣୁ ଭବିଷ୍ୟତରେ ଏହାର ପୁନରାବୃତ୍ତି ନ କରିବାକୁ ଚେତାବନୀ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ପୁଲିସ୍ ସୂଚନା ଦେଇଛି।
Advertisment
ଅପରପକ୍ଷରେ ଯେଉଁ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଉକ୍ତ ଭିଡିଓ ଅପଲୋଡ୍‌ କରାଯାଇଥିଲା, ତାକୁ ହଟାଇ ଦିଆଯାଇଛି। କିଛି ଛାତ୍ର ବନ୍ଧୁକଧରି ନାଚିବା, ଦାମୀ କାର୍‌ରେ ଲମ୍ବା ଲାଇନ୍‌କରି ରିଂ ରୋଡ୍‌ ପରିକ୍ରମା କରିବା, ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିବାର ଭିଡିଓ ଅପଲୋଡ୍‌ କରିଥିଲେ। ଏହାସହ ଉକ୍ତ ସ୍କୁଲର ଅଧ୍ୟକ୍ଷଙ୍କ ଫଟୋ ଲଗାଇ ଅରୁଚିକର ମନ୍ତବ୍ୟ ଦେଇ ଓ ଶିକ୍ଷକଙ୍କୁ ଅଶାଳୀନ ସମ୍ବୋଧନ କରି ଭିଡିଓ ଅପଲୋଡ୍‌ କରିଥିଲେ। ଉକ୍ତ ଭିଡିଓ ଗୁଡ଼ିକୁ ମଧ୍ୟ ଡିଲିଟ୍‌ କରାଯାଇଛି। ତେବେ କିଏ ଉକ୍ତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲିଛନ୍ତି, କିଏ ପରିଚାଳନା କରୁଛନ୍ତି ସେନେଇ ପୁଲିସ ତଦନ୍ତ କରିଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ସ୍କୁଲର ଜଣେ ଛାତ୍ର ହିଁ ଉକ୍ତ ଆକାଉଣ୍ଟ୍‌ ମାଧ୍ୟମରେ ଏସବୁ ପୋଷ୍ଟ କରିଥିବା ଜଣା ପଡ଼ିଛି।