କରୋନା କାରୁଣ୍ୟ: କିଏ ମଲା ମୁହଁ ଦେଖିବାକୁ ଆକୁଳ ତ କିଏ ଶବ ଛାଡ଼ି ପଳାଉଛି!

ସୁନ୍ଦରଗଡ଼ : ମହାମାରୀ କରୋନା ମଣିଷକୁ ଭୀତତ୍ରସ୍ତ କରିଦେଇଛି। ଏହା ମଧ୍ୟରେ ମୃତ୍ୟୁ ଭୟରେ ଥରୁଥିବା ମଣିଷ ଯେ କେବଳ ମାନବିକତା ଭୁଲି ଯାଉଛି ତାହା ନୁହେଁ, କେଉଁଠି କେଉଁଠି ରକ୍ତର ସମ୍ପର୍କକୁ ମଧ୍ୟ ପଛ କରି ଚାଲିଯାଉଛି। ତେବେ ଏତେ ସବୁ ନିରାଶା ଭିତରେ ଆଶ୍ବାସନାର କଥା ହେଲା, ଏବେ ମଧ୍ୟ କିଛି ଲୋକ ନିଜ ଜୀବନକୁ ତୁଚ୍ଛ କରି ମାନବିକତାର ଜୟଯାତ୍ରା ଜାରି ରଖିଛନ୍ତି। କରୋନା କାଳରେ ସୁନ୍ଦରଗଡ଼ ରାଣୀବଗିଚାସ୍ଥିତ ମଶାଣିରେ ଏମିତି କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ହତଚକିତ କରିଦେଇଛି।

କିଛି ଦିନ ତଳେ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରୁ ମଶାଣିକୁ ଆସିଥିଲା ଜଣେ ମହିଳାଙ୍କ ଶବ। ଭେଡ଼ାବାହାଲର ଏହି ମହିଳା କରୋନା ସଂକ୍ରମଣରେ ପ୍ରାଣ ହରାଇଥିଲେ। ଶବ ମହାପ୍ରୟାଣ ଗାଡ଼ିରେ ଆସିଥିବା ବେଳେ ପଛେ ପଛେ ମହିଳାଙ୍କ ସ୍ବାମୀ ଓ ଝିଅ ପହଞ୍ଚିଥିଲେ। ଶବ ଜୁଇକୁ ଉଠିବା ପୂର୍ବରୁ ହଠାତ ସାମ୍ନାକୁ ଚାଲି ଆସିଲେ ସ୍ବାମୀ। ଶେଷ ଥର ପାଇଁ ପତ୍ନୀଙ୍କ ମଲା ମୁହଁକୁ ଟିକେ ଦେଖିବେ ଓ ସିନ୍ଥିରେ ସିନ୍ଦୂର ପିନ୍ଧାଇବେ ବୋଲି ଅନୁନୟ ହୋଇଥିଲେ। ସ୍ବାମୀଙ୍କ ଆଗରୁ ସ୍ତ୍ରୀଙ୍କ ମୃତ୍ୟୁ ହେଲେ ହିନ୍ଦୁ ବିଶ୍ବାସରେ ତାଙ୍କୁ ସୁଲକ୍ଷଣୀ ଗଣାଯାଏ। ରୀତି ଅନୁସାରେ, ନିଜ ହାତରେ ସ୍ବାମୀ ମୃତା ପତ୍ନୀଙ୍କୁ ସିନ୍ଦୂର ଓ ଶଂଖା ପିନ୍ଧାଇ ମଶାଣିକୁ ନେଇଥାନ୍ତି। କରୋନା କାଳରେ ଏସବୁ ରୀତି ପାଇଁ ସୁଯୋଗ ନଥିବା ଜାଣି ମଧ୍ୟ ସିନ୍ଦୂର ଟିକେ ପିନ୍ଧାଇ ନିଜ ଜୀବନ ସାଥୀକୁ ସବୁଦିନ ପାଇଁ ବିଦାୟ ଦେବାକୁ ଆକୁଳ ହେଉଥିଲେ ସ୍ବାମୀ। କିନ୍ତୁ କୋଭିଡ୍ ମାର୍ଗଦର୍ଶିକା ତାଙ୍କୁ ବାରଣ କରିଥିଲା ଓ ସ୍ବାମୀ ଦୂରରୁ ଫୁଲମାଳଟେ ପତ୍ନୀଙ୍କ ମଲାଦେହ ଉପରକୁ ଫିଙ୍ଗି ଅତି ମ୍ରିୟମାଣ ଅବସ୍ଥାରେ ଫେରି ଯାଇଥିଲେ।

ମେ’ ୭ ତାରିଖରେ କିନ୍ତୁ ଏହାର ବିପରୀତ ଘଟଣାକୁ ସାମ୍ନା କରିଥିଲେ ମଶାଣିବନ୍ଧୁମାନେ। ରାତିରେ ଏନଟିପିସି କୋଭିଡ୍ କେନ୍ଦ୍ରରୁ ମହାପ୍ରୟାଣ ଗାଡ଼ିରେ ଆସିଥିଲା ଚାରିଟି ମୃତଦେହ। କିନ୍ତୁ ସେତେବେଳକୁ ଝଡ଼ ବର୍ଷା ହେବାରୁ ୩ ଘଣ୍ଟା ଧରି ଜୁଇ ପ୍ରସ୍ତୁତ ହୋଇପାରି ନଥିଲା। ରାତି ୯ଟାରେ ଝଡ଼ ଥମିବା ପରେ ଜୁଇ ଲଗାଇଥିଲେ ମଶାଣିବନ୍ଧୁ। କିନ୍ତୁ ସେତେବେଳକୁ ୩ଟି ମୃତଦେହର ଆତ୍ମୀୟ ପରିଜନ ପହଞ୍ଚି ନଥିଲେ। ଗୋଟିଏ ଶବ ପୋଡ଼ିବା ପରେ ମଶାଣିବନ୍ଧୁ ଅନ୍ୟ ୩ ମୃତଦେହର ଆତ୍ମୀୟଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ରାତି ବଢ଼ିବା ପରେ ବି କାହାର ଦେଖା ନଥିଲା। ଶେଷକୁ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ସେ ସବୁ ମୃତଦେହର ସମ୍ପର୍କୀୟମାନେ ଡାକ୍ତରଖାନାରୁ ହିଁ ଘରକୁ ଚାଲିଯାଇଥିବା ସୂଚନା ଦେଇଥିଲେ। ‘ଶବ ତ ମଶାଣିବନ୍ଧୁମାନେ ପୋଡ଼ିବେ, ଝଡ଼ ବର୍ଷାରେ ଆମେ ରହିଲେ କ’ଣ କରିବୁ’ କହି ଚାଲି ଯାଇଥିବା ସୂଚନା ମିଳିଥିଲା। ଶେଷକୁ ମଶାଣିବନ୍ଧୁମାନେ ଶବ ସତ୍କାର କରିଥିଲେ। ତେବେ ମୃତଦେହକୁ ନିଜ ରକ୍ତ ସମ୍ପର୍କୀୟମାନେ ଛାଡ଼ି ଚାଲିଯିବା ଘଟଣା ସେଠାରେ ଉପସ୍ଥିତ ସମସ୍ତଙ୍କୁ ବିଚଳିତ କରିଥିଲା। କରୋନା କାଳର ଏ ବିପରୀତ ଚିତ୍ର ଯେତିକି ବ୍ୟଥିତ କରିଥିଲା, ସେତିକି ଆଶ୍ବାସନା ଦେଇ ଚାଲିଥିଲା ମଶାଣିବନ୍ଧୁଙ୍କ ମାନବିକତା।

ସମ୍ବନ୍ଧିତ ଖବର