ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ନୋଡାଲ ବିଦ୍ୟାଳୟ ଛାତ୍ରାବାସର ଅନ୍ତେବାସୀଙ୍କ ଠାରୁ ଷ୍ଟାଇପେଣ୍ଡ ଅର୍ଥ ହଡ଼ପ ଘଟଣାରେ ବୀରମିତ୍ରପୁର ସିଆରସିସି ସୁଦର୍ଶନ ବଡ଼ାଇକ ଓ ସଂପୃକ୍ତ ସ୍କୁଲର ଶିକ୍ଷକ ଡି ଟପ୍ପୋ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି ହଡ଼ପ ଘଟଣାରେ ସଂପୃକ୍ତ ସିଆରସିସି ଓ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ।

Advertisment

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମଙ୍ଗଳବାର ଘରକୁ ପଠାଇ ଦେଇଥିଲେ । ଏଥି ସହ ସେମାନଙ୍କୁ ତିନି ମାସର ଆଗୁଆ ଷ୍ଟାଇପେଣ୍ଡ ମଧ୍ୟ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଏହି ଅର୍ଥ ନେଇ ଘରକୁ ଯାଇଥିଲେ । କିନ୍ତୁ ଅଣ୍ଡାଳି ଜାମବାହାଲ ନୋଡାଲ ବିଦ୍ୟାଳୟ ଛାତ୍ରାବାସର ଅନ୍ତେବାସୀ ନିର୍ଦ୍ଧାରିତ ଷ୍ଟାଇପେଣ୍ଡ ଠାରୁ କମ ପାଇଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁସାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ମନମୁଖୀ ୨୦୦ ରୁ ୨୫୦ ଟଙ୍କା କାଟି ରଖିଥିଲେ । ଏହା ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତିନି ମାସ ଷ୍ଟାଇପେଣ୍ଡ ହିସାବରେ ଜଣେ ଛାତ୍ରୀ ୨୪୦୦ ଟଙ୍କା ଓ ଜଣେ ଛାତ୍ର ୨୨୫୦ ଟଙ୍କା ପାଇଥିଲେ । କିନ୍ତୁ ଅଣ୍ଡାଳି ଜାମବାହାଲ ନୋଡାଲ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଛାତ୍ରୀଙ୍କୁ ୨୨ ଶହ ଟଙ୍କା ଦେଇ ୨ ଶହ ଟଙ୍କା ଲେଖାଏଁ କାଟି ରଖିଥିଲେ । ସେହିପରି ଛାତ୍ରମାନଙ୍କୁ ୨ ହଜାର ଟଙ୍କା ଦେଇ ୨୫୦ ଟଙ୍କା କାଟି ରଖିଥିଲେ । ଏହାର ପ୍ରତିବାଦ କରି କୌଣସି ସୁଫଳ ନ ମିଳିବାରୁ ଏବଂ ଭବିଷ୍ୟତରେ ନିଜ ପିଲା ହଇରାଣ ହରକତ ହେବା ଆଶଙ୍କା ଥିବାରୁ ଅଭିଭାବକମାନେ ଷ୍ଟାଇପେଣ୍ଡ ଅର୍ଥ ଧରି ଘରକୁ ଯାଇଥିଲେ ।

ଜାମବାହାଲ ବିଦ୍ୟାଳୟର ଛାତ୍ରାବାସରେ ୧୦୦ ଜଣ ଛାତ୍ରୀ ଓ ୪୦ ଜଣ ଛାତ୍ର ରହୁଛନ୍ତି । କରୋନା ପାଇଁ ରାଜ୍ୟ ସରକାର ସହାନୁଭୂତି ଦେଖାଇ ଗରିବ ଛାତ୍ରଛାତ୍ରୀଙ୍କ ଚଳିବା ପାଇଁ ଆଗୁଆ ଏହି ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଅର୍ଥ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଅର୍ଥରୁ ହଡ଼ପ କରିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।