ରାଉରକେଲା: ଗତ ୪ ତାରିଖରୁ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଫ୍ଲଡ଼ ଲାଇଟରେ ଖେଳାଯାଉଥିବା ୧୮ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଅନ୍ତିମ ଦିବସ। କଟକର ଫାଓ ଏବଂ ଭୁବନେଶ୍ୱରର ଜଗା ୟୁନାଇଟେଡ଼ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମାର୍ଦ୍ଧରେ ଫାଓ ଦଳ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଲଗାତର ୪ଟି ଗୋଲ ସ୍କୋର କରିଥିଲା।

Advertisment

ଜଗା ୟୁନାଇଟେଡ଼ ଏକ ମାତ୍ର ଗୋଲ ସ୍କୋର କରି ଗୋଲ ବ୍ୟବଧାନକୁ ୪-୧ କୁ ହ୍ରାସ କରିବାରେ ସକ୍ଷମ ହୋଇଥିଲା। ଦ୍ଵିତୀୟାର୍ଦ୍ଧ ଖେଳ ଆରମ୍ଭରୁ ଜଗା ୟୁନାଇଟେଡ଼ର ଖେଳାଳି ପ୍ରତିପକ୍ଷ ଉପରେ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ପ୍ରଦର୍ଶନ କରି ୫୩ ମିନିଟରେ କାର୍ଫୁଲ ଲାକ୍ରା ଓ ୬୪ ମିନିଟରେ ଖାଣ୍ଡୁ ମାରାଣ୍ଡିଙ୍କ ଗୋଲ ବଳରେ ବ୍ୟବଧାନ ୪ - ୩ କୁ ହ୍ରାସ କରିବାରେ ସକ୍ଷମ ହୋଇଥିଲା ଜଗା ୟୁନାଇଟେଡ଼। ତେବେ ପୁଣି ଥରେ ଫାଓ ପକ୍ଷରୁ ରୋନାଲଡୋ ଆଉ ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ଦଳକୁ ୫ - ୩ ରେ ଅଗ୍ରଣୀ କରିଥିଲେ। ଫାଓ ପକ୍ଷରୁ ଫରୱାର୍ଡ ଖେଳାଳି ରାହୁଲ ମୁଖୀ ଦଳ ପାଇଁ ଏକାକୀ ୫ଟି ଗୋଲ ସ୍କୋର କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ଶେଷରେ ଫାଓ, କଟକ ୫ - ୩ ଗୋଲରେ ବିଜୟ ହାସଲ କରି ଚଳିତ ବର୍ଷର ଟାଇଟଲ ହାସଲ କରିଥିଲା।

publive-image

ଫାଇନାଲରେ ଫାଓର ରାହୁଲ ମୁଖୀ ଶ୍ରେଷ୍ଠ ଖେଳାଳି, ଜଗା ୟୁନାଇ‌ଟେଡର ଫାଗୁ ବାସ୍କେ ଶ୍ରେଷ୍ଠ ଗୋଲକିପର, ଫାଓର ଅରବିନ ଲାକ୍ରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ‌ଭାବେ ପୁରସ୍କୃତ ହୋଇଛନ୍ତି। ଫାଇନାଲ ମ୍ୟାଚ୍କୁ ପରିଚାଳନା କରିଥିଲେ ଜାତୀୟ ରେଫରି ଶିବ ଶଙ୍କର ପଣ୍ଡା ଓ ତାଙ୍କୁ ସହାୟତା କରିଥିଲେ ନବୀନ ନାୟକ ଓ ଆଶୀର୍ବାଦ କାନୁନଗୋ। ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ ବରିଷ୍ଠ ତଥା ଜାତୀୟ ରେଫରି ଦୁର୍ଗା ମାଧବ ନାୟକ। ଫାଇନାଲ ଦିବସର ମୁଖ୍ୟଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ବିଧାୟକ ସୁବ୍ରତ ତରାଇ, ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନନ୍ଦ ଏବଂ ସୁନାମଧନ୍ୟ ଆଥ୍‌ଲେଟିକ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ଉପସ୍ଥିତ ରହି ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ। ବିଜେତା ଦଳକୁ ନଗଦ ଏକ ଲକ୍ଷ ଟଙ୍କା, ଚାମ୍ପିଆନ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ଆୟୋଜକ ରାଉରକେଲା ସ୍ପୋର୍ଟସ ଆସୋସିଏସନର ସଭାପତି ମିହିର ରାୟ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ସ୍ଥାନୀୟ ପ୍ରଶାସନ ସମେତ ଦର୍ଶକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।