ପଳାତକ ଦଲାଲ ୨୨ ବର୍ଷ ପରେ ଗିରଫ

ଆର୍‌ଏସ୍‌ପିକୁ ନିମ୍ନ ମାନର ଯନ୍ତ୍ରାଂଶ ଯୋଗାଣ

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ପ୍ରଥମ ପର୍ଯ୍ୟାୟ ଆଧୁନିକୀକରଣ ଓ ସମ୍ପ୍ରସାରଣ ଯୋଜନା (ଏମ୍‌ଇପି)ରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆର୍‌ଏସ୍‌ପି)କୁ ଶହ ଶହ କୋଟି ଟଙ୍କାର ନିମ୍ନ ମାନର ଯନ୍ତ୍ରାଂଶ ଯୋଗାଇଥିବା ବ୍ୟବସାୟୀ ତାରାପଦ ମୁଖାର୍ଜୀଙ୍କୁ ସିବିଆଇ ଆଜି ଛତିଶଗଡ଼ର ବିଳାସପୁରରେ ଗିରଫ କରିଛି। ୨୦୦୬ରୁ ପଳାତକ ଅପରାଧୀ ଭାବେ ଘୋଷିତ ଶ୍ରୀ ମୁଖାର୍ଜୀଙ୍କ ନାମରେ ସିବିଆଇ ୧୯୯୫ ଜାନୁଆରି ୧୯ରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିନଥିଲା। ସେ ଧରା ନପଡ଼ିବାରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାକୁ ପଳାତକ ଭାବେ ଘୋଷଣା କରିଥିଲା।

ସୂଚନାଯୋଗ୍ୟ, ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ସେଲ୍‌ ୧୯୯୧ରୁ ୧୯୯୫ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଧୁନିକୀକରଣ ଓ ସମ୍ପ୍ରସାରଣ ଯୋଜନାରେ ଆର୍‌ଏସ୍‌ପିରେ ପ୍ରାୟ ୫ ହଜାର କୋଟି ଟଙ୍କା ବିନିଯୋଗ ହୋଇଥିଲା। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଆବଶ୍ୟକ କୌଣସି ଯନ୍ତ୍ରାଂଶ ଉତ୍ପାଦନକାରୀ କମ୍ପାନି ତାରାପଦ ମୁଖାର୍ଜୀଙ୍କର ନ ଥିଲେ ମଧ୍ୟ ସେ ବିଭିନ୍ନ ନାମରେ କମ୍ପାନି ପଞ୍ଜୀକରଣ କରି ଅନ୍ୟାନ୍ୟ କମ୍ପାନିର ଯନ୍ତ୍ରାଂଶ ଆର୍‌ଏସ୍‌ପିକୁ ଯୋଗାଉଥିଲେ। ଏଥିପାଇଁ ଆର୍‌ଏସ୍‌ପିର ତତ୍କାଳୀନ ପ୍ରଶାସକଙ୍କ ସହ ସେ ଦଲାଲି କରୁଥିଲେ। ପ୍ରଥମ ପର୍ଯାୟ ଆଧୁନିକୀକରଣ ଆରମ୍ଭରେ ଆର୍‌ଏସ୍‌ପିର ଏମ୍‌ଡି ଥିଲେ ଡ. ଶୈବାଳ ଗୁପ୍ତା। ଆଧୁନିକୀକରଣ ଶେଷ ହେବା ବେଳକୁ ଡ. ବି,ଏନ୍‌ ସିଂହ ଏମ୍‌ଡି ଥିଲେ।

ଶ୍ରୀ ମୁଖାର୍ଜୀଙ୍କ ଦ୍ୱାରା ଯୋଗାଯାଇଥିବା ଶହ ଶହ କୋଟି ଟଙ୍କାର ଯନ୍ତ୍ରାଂଶଗୁଡ଼ିକ ନିମ୍ନ ମାନର ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏହି ହେରଫେରର ଆପାତତଃ ପ୍ରମାଣ ପାଇବା ପରେ ସିବିଆଇ ୧୯୯୫ରେ ଶ୍ରୀ ମୁଖାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହା ପରେ ଶ୍ରୀ ମୁଖାର୍ଜୀ ଦିଲ୍ଲୀ ଓ ବମ୍ବେରେ ବିଭିନ୍ନ କମ୍ପାନିରେ କାମ କରି ନିଜକୁ ଆତ୍ମଗୋପନ ରଖିବାରେ ବହୁ ବର୍ଷ ଧରି ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର