ରାଉରକେଲା : ମିଳିଲା କ୍ଷତିପୂରଣ ଓ ନିଯୁକ୍ତି ପ୍ରତିଶ୍ରୁତି ; ୨୧ ଦିନ ପରେ ମର୍ଗରୁ ଶବ ଉଠାଇଲେ ପରିବାର

ରାଉରକେଲା: କ୍ଷତିପୂରଣ ମିଳିବା ସହ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶ୍ରୁତି ପରେ ଆଜି ପରିବାର ଲୋକ ଆଇଜିଏଚ ମର୍ଗରେ ୨୧ ଦିନ ଧରି ସଢୁଥିବା ରାଇସନ ମାରାଣ୍ଡିଙ୍କ ଶବକୁ ଉଠାଇଛନ୍ତି l ଟାଙ୍ଗରପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି l ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ୬ ଲକ୍ଷ, ଅନ୍ତ୍ୟୋଷ୍ଟିକ୍ରିୟା ପାଇଁ ୧୫ ହଜାର ଟଙ୍କା ମୃତ ଠିକା ଶ୍ରମିକଙ୍କ ପତ୍ନୀଙ୍କୁ ପ୍ରଦାନ କରାଯାଇଛି l କ୍ଷତିପୂରଣ ଓ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ମଧ୍ୟରେ ୫ ଥର ବୈଠକ ବସିଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଥରେ ଓ ଆଇଜିଏଚ୍‌, ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦୁଇ ଥର ଲେଖାଏଁ ବୈଠକ ହୋଇଥିଲା l ପୁଲିସ ମୃତକଙ୍କ ଫର୍ଟିଲାଇଜର ନୟାଡେରା ଘରେ ନୋଟିସ୍‌ ମାରି ତଦନ୍ତରେ ସହାୟତା ଲୋଡିଥିଲା l

ଉଲ୍ଲେଖଯୋଗ୍ୟ, ଲାଠିକଟା ବ୍ଲକ ଅନ୍ତର୍ଗତ ହାତିବାରୀ ପଞ୍ଚାୟତ ନୟାଡେରାର ରାଇସନ ମାରାଣ୍ଡି (୫୨) ୨୦୦୫ ମସିହାରୁ ଆର୍‌ଏସ୍‌ପିରେ ୱେଲ୍‌ଡର ଭାବେ କାମ କରୁଥିଲେ। ସେ ଠିକା ସଂସ୍ଥା ‘ପୁଷ୍ପା ଏଣ୍ଟରପ୍ରାଇଜେସ୍‌’ ଅଧୀନରେ କାମ କରୁଥିଲେ। ମା’ ସାଲ୍‌ଗେ ମାରାଣ୍ଡି (୮୫), ସ୍ତ୍ରୀ ମାଲ୍‌ହୋ (୩୬), ଦୁଇ ନାବାଳକ ପୁଅ ଟିକାରାମ (୧୨) ଓ ଲକ୍ଷ୍ମଣ (୩) ଓ ଏକମାତ୍ର ଝିଅ (୫)ଙ୍କୁ ନେଇ ରାଇସନଙ୍କ ପରିବାର। ଗତ ୧୧ ତାରିଖ ଆର୍‌ଏସ୍‌ପି ସି’ ସିଫ୍ଟରେ ରାଇସନ ଡ୍ୟୁଟି ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ନିୟମାନୁଯାୟୀ ତାଙ୍କୁ ଆମ୍ବୁଲାନ୍‌ସରେ ଆଇଜିଏଚ୍‌କୁ ଅଣାଯିବା କଥା, ମାତ୍ର ଠିକା ସଂସ୍ଥା କର୍ତୃପକ୍ଷ ନିଜସ୍ବ ଗାଡ଼ିରେ ଆଇଜିଏଚ୍‌ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ତା’ପରଦିନ, ଅର୍ଥାତ୍‌ ୧୨ ତାରିଖ ସକାଳ ପ୍ରାୟ ସାଢ଼େ ୬ଟାରେ ପରିବାରକୁ ଫୋନ୍‌କରି ରାଇସନଙ୍କ ଦୁର୍ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ। ମୃତ୍ୟୁ ସୂଚନା ଦେଇ ଆଉ ଧରାଛୁଆଁ ଦେଇ ନଥିଲା ଠିକା ସଂସ୍ଥା। ଏମିତିକି ଆର୍‌ଏସ୍‌ପି କର୍ତୃପକ୍ଷଙ୍କର ମଧ୍ୟ ଦେଖା ଦର୍ଶନ ମିଳି ନଥିଲା। ଏପରି ଦାୟିତ୍ବହୀନ ବ୍ୟବହାରର ପ୍ରତିବାଦରେ ତାଙ୍କ ପରିବାର ମୃତଦେହ ଗ୍ରହଣ କରି ନଥିଲେ ଫଳରେ ଆଇଜିଏଚ୍ ମର୍ଗରେ ମୃତଦେହ ପଡ଼ି ରହିଥିଲା। 

ସମ୍ବନ୍ଧିତ ଖବର