ସୁନ୍ଦରଗଡ଼/ବାଲିଶଙ୍କରା: ବାଲିଶଙ୍କରା ବ୍ଲକ୍ ଘୋଘରର ଚର୍ଚ୍ଚିତ ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ଗତକାଲି ବୁଡ଼ିଯାଇଥିବା ଝାରସୁଗୁଡ଼ାର ମୁକେଶ ମେହେରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି। ଗତକାଲି ନିଖୋଜ ଚୂଡାମଣି ମେହେରଙ୍କ ମୃତଦେହ ଗଭୀର ପାଣିରୁ ଉଦ୍ଧାର ହୋଇଥିଲା। ପରେ ସନ୍ଧ୍ଯା ହୋଇଯିବାରୁ ଉଦ୍ଧାର କାର୍ଯ୍ଯକୁ ବନ୍ଦ ରଖିଥିଲେ ଅଗ୍ନିଶମ ବାହିନୀ।

Advertisment

ଗତକାଲି ଝାରସୁଗୁଡ଼ା ଜିଲ୍ଲା ବରୋମାଲ ଗାଁରୁ ୨୫ ଜଣ କନାକୁଣ୍ଡ ବଣଭୋଜି କରିବାକୁ ଆସିଥିବାବେଳେ ଘଟିଥିଲା ଅଘଟଣ। ପଥର ଉପରେ ରୋଷେଇ ଚାଲିଥିବା ବେଳେ ୧୭ ବର୍ଷର ମୁକେଶ ମେହେର ଏକ ପଥର ଉପରୁ ଅନ୍ୟପଟକୁ ଯାଉଥିବା ବେଳେ ପାଣି ଭିତ‌ରେ ଖସି ପଡ଼ିଥିଲେ। ପହଁରା ଜାଣି ନଥିବାରୁ ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସହ ଯାଇଥିବା ଚୂଡ଼ାମଣି ମେହେର(୨୬) ଓ ସତୀଶ କୁମାର ଗୁପ୍ତା (୨୬) ପାଣିକୁ ଡେଇଁ ପଡ଼ିଥି‌ଲେ। କିନ୍ତୁ ମୁକେଶକୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା। ବରଂ ଚୂଡ଼ାମଣି ଓ ସତୀଶ ବି ଭଉଁରୀରେ ଫସି ଯାଇଥିଲେ। ତେବେ କୌଣସିମତେ ସତୀଶ ଏକ ପଥରକୁ ଧରି ଜୀବନ ବଞ୍ଚାଇଥିବା ବେଳେ ଚୂଡ଼ାମଣି ଭଉଁରିରେ ବୁଡ଼ି ନିଖୋଜ ହୋଇଯାଇଥିଲେ।

ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏକ ମୁଣ୍ଡିଆ ପଥରରେ ଅଟକି ରହିଥିବା ସତୀଶଙ୍କୁ ଉଦ୍ଧାର କରିବା ସହ ଅନ୍ୟ ୨ଜଣଙ୍କ ଉଦ୍ଧାର ପାଇଁ ଅପରେସନ ଚଲାଇଥିଲା।