ପତ୍ରାପାଲି ଛକରେ ଟ୍ରକକୁ ପିଟିଲା ବାଇକ୍, ଜଣେ ମୃତ

ବାରମ୍ବାର ଦୁର୍ଘଟଣାର ପ୍ରତିବାଦ, ଉତ୍ତ୍ଯକ୍ତଙ୍କ ରାସ୍ତାରୋକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ପତ୍ରାପାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ବୁଧବାର ଦିନ ୧୧ଟାରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ପତ୍ରାପାଲି ଛକ କଡରେ ଠିଆ ହୋଇଥିବା ଏକ ଭାରୀଯାନକୁ ଏକ ବାଇକ୍ ପଛ ପଟୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ, ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଆହତଙ୍କ ଅବସ୍ଥା ଅତି ଜଟିଳ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା। ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ପରିଚୟ ଜଣାପଡି ନଥିବାବେଳେ ସେ ରାଉରକେଲା ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିଲେ।

ତେବେ ଛକ ଓ ରାସ୍ତାକଡରେ ଗାଡି ପାର୍କିଂ ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଓ ଏଥିରେ ଅନେକ ଧନଜୀବନ ହାନୀ ହେଉଥିବା ଅଭିଯୋଗ କରି ସୁନ୍ଦରଗଡ଼ ପୌର କାଉନସିଲର ସୁମନ୍ତ ସାହୁଙ୍କ ନେତୃତ୍ବରେ ପତ୍ରାପାଲି ବାସିନ୍ଦା ରାସ୍ତାରୋକ କରିଥିଲେ। ଖବର ପାଇ ସଦର ତହସିଲଦାର, ଟାଉନଥାନା ଅଧିକାରୀ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଲୋକେ ରାସ୍ତାରୋକରୁ ହଟି ନାହାନ୍ତି। ଟ୍ରକଗୁଡିକର ବେଆଇନ ପାର୍କିଂ ହଟାଇବା ଓ ଛକରେ ୨୪ ଘଣ୍ଟିଆ ପୁଲିସ ମୁତୟନ ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର