ସପ୍ତାହକ ପରେ ଦୀପାବଳି; ଆଶା ଓ ଆଶଙ୍କାରେ କୁମ୍ଭକାର ପରିବାର

ରାଉରକେଲା : ଆଉ ସପ୍ତାହକ ପରେ ଆଲୋକର ପର୍ବ ଦୀପାବଳି। ଇସ୍ପାତ ସହର ରାଉରକେଲାରେ ଏହି ପର୍ବ ଖୁବ୍ ଧୁମ୍‌ଧାମ୍‌ରେ ପାଳନ ହୁଏ। ସହର ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ହେବା ସହ କୋଟି କୋଟି ଟଙ୍କାର ବାଣ ଶବ୍ଦରେ ପ୍ରକମ୍ପିତ ହୋଇ ଉଠେ। ଏଥର କରୋନା କଟକଣା ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ରହିଛି। ତେଣୁ ସମ୍ପୂର୍ଣ୍ଣ ପାରମ୍ପରିକ ପଦ୍ଧତିରେ ଲୋକେ ଦୀପାବଳି ପାଳନ କରିବେ। ଚାଇନା ସାମଗ୍ରୀକୁ ଲୋକେ ବର୍ଜନ କରୁଥିବାରୁ ବଜାରରେ ମଧ୍ୟ ସେସବୁ ଦେଖିବାକୁ ମିଳୁନାହିଁ। ତେଣୁ ପରମ୍ପରା ଅନୁଯାୟୀ ଲୋକେ ଦୀପ ଜଳାଇ ପର୍ବ ପାଳନ କରିବେ। ଏଥିପାଇଁ ମାଟି ଦୀପର ଚାହିଦା ବଢିବ ବୋଲି କୁମ୍ଭାର ପରିବାର ଓ ବ୍ୟବସାୟୀ ଆଶା ରଖିଛନ୍ତି ।

ରାଜେଶ ପ୍ରଜାପତିଙ୍କ ଘର ତିଲିକାନଗର। ତାଙ୍କ ପରିବାର ଦୀର୍ଘ ୫୦ ବର୍ଷ ହେଲା ଦୀପ ଗଢି ସହରବାସୀଙ୍କୁ ଦୀପାବଳି ସମୟରେ ଯୋଗାଇ ଦେଇଥାନ୍ତି। ପ୍ରତିବର୍ଷ ସେ ଦେଢଲକ୍ଷରୁ ଅଢେଇଲକ୍ଷ ଦୀପ ଗଢିଥାନ୍ତି। ବଜାରରେ ଅଧିକାଂଶ ଦୀପ ଚାଲିଯାଏ। ଏଥର କରୋନା ପାଇଁ ଆଶା ଓ ଆଶଙ୍କାରେ ସେ ୧ ଲକ୍ଷ ଦୀପ ଗଢିଛନ୍ତି। ପୂର୍ବରୁ ୧୦୦୦ ଦୀପ ପାଇଁ ସେ ୫ଶହ ଟଙ୍କା ପାଉଥିଲେ। ଏବେ ମାଲ୍‌ର ଦର ବଢିଛି । ପୂର୍ବରୁ ମାଟି ଟ୍ରାକ୍ଟର ୭୦୦ ଟଙ୍କାରେ ମିଳୁଥିଲା, ଏବେ ୧୨ଶହ ଟଙ୍କାରେ କିଣିବାକୁ ପଡୁଛି। କାଠ ୪୦୦ ଟଙ୍କା ଥିଲା, ଏଥର ୭୫୦ ଟଙ୍କାରେ କିଣୁଛନ୍ତି। ଭୁସି ଓ ଶ୍ରମିକ ମଜୁରି ମଧ୍ୟ ବଢିଛି। ତେଣୁ ଦୀପ ଦର ଗତବର୍ଷ ଠାରୁ ବଢାଇବା ପାଇଁ ଆଶା ରଖିଛନ୍ତି। କରୋନା ପାଇଁ ଚାଇନା ସାମଗ୍ରୀ ଆସୁନଥିବାରୁ କୁମ୍ଭାର ପରିବାର ଲାଭବାନ ହେବା ସ୍ବାଭାବିକ। କିନ୍ତୁ ଦୀପାବଳି ବଜାରରେ ବିକ୍ରି ନହେବା ପର୍ଯ୍ୟନ୍ତ ଏ ନେଇ ଠିକ୍ କହି ହେବନାହିଁ ବୋଲି ଅନେକ କୁମ୍ଭାର ପରିବାର କହିଛନ୍ତି । ସେହିପରି ପ୍ରମୋଦ ପ୍ରଜାପତିଙ୍କ ପରିବାର ଦୀର୍ଘ ୩୪ ବର୍ଷ ହେଲା କେବଳ ଦୀପାବଳିରେ ଦୀପ ବିକ୍ରି କରି ବର୍ଷକ ପାଇଁ ରୋଜଗାର କରିଥାନ୍ତି। କରୋନା ପାଇଁ ଏଥର ଦୀପାବଳିରେ ବେପାର କିପରି ହେବ ସେଥିପାଇଁ ସେ ଏବଂ ରାଉରକେଲା ସହରରେ ଦୀପ ଗଢି ପେଟ ପୋଷୁଥିବା ମାଲଗୋଦାମ, ସାରନଗରୀ, ପାନପୋଷ, ଉଦିତନଗର ପ୍ରଭୃତି ସ୍ଥାନର ଶତାଧିକ ପରିବାର ଆଶା ଓ ଆଶଙ୍କା ଭିତରେ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର