ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ ଗତ ୧୦ ବର୍ଷ ଧରି ହେଉନି ନିର୍ବାଚନ। ଫଳରେ ଆର୍ଏମ୍ସିରେ ଚାଲିଛି ଅଫିସରରାଜ। ପ୍ରତିବାଦ କରିବାକୁ କେହି ନଥିବାରୁ ବାଟବଣା ହେଉଛି ସରକାରଙ୍କ ବିଭିନ୍ନ ଯୋଜନା। ଆଗଉନି ବସ୍ତିର ବିକାଶ। ଯେତିକି ବିକାଶ ମୂଳକ କାମ ହେଉଛି, ତା’ ଅଧିକାଂଶ ବସ୍ତିବାସିନ୍ଦାଙ୍କ କାମରେ ଆସୁନି। ସ୍ବାସ୍ଥ୍ୟ, ପରିମଳ, ରାସ୍ତାଘାଟ,ପରିବେଶ ସୁରକ୍ଷା, ଆଲୋକୀକରଣ ସହ ଅନ୍ୟାନ୍ୟ କାମ କଚ୍ଛପ ଗତିରେ ଚାଲିଛି। କେବଳ ଏତିକି ନୁହେଁ ୱାର୍ଡ ଗଠନ ହୋଇପାରୁ ନଥିବାରୁ ନିଜ ନିଜ ଅଞ୍ଚଳର ସମସ୍ୟା ପାଇଁ ବସ୍ତିବାସିନ୍ଦା ବାରମ୍ବାର ଆର୍ଏମ୍ସି କାର୍ଯ୍ୟାଳୟକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି। ଏହା ସତ୍ବେ ଦାୟିତ୍ବରେ ଥିବା ଅଧିକାରୀମାନେ ବସ୍ତିର ସମସ୍ୟାକୁ ଯେତିକି ଗୁରୁତ୍ବ ଦେବା କଥା, ତା’ ହେଉ ନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଆର୍ଏମ୍ସିର ଅନେକ କାର୍ଯ୍ୟରେ ଦୁର୍ନୀତି ଓ ବସ୍ତିର ବିକାଶର କଚ୍ଛପଗତିକୁ ନେଇ କଂଗ୍ରେସ, ବିଜେପି ଓ ଅନ୍ୟ ଦଳ ଅନେକବାର ଆର୍ଏମ୍ସି ଅଫିସ୍ ଘେରାଉ କରିଛନ୍ତି। ଧାରଣା ଦେଇଛନ୍ତି। ହେଲେ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।
ଜାଗା ମିଶନ, ମୁକ୍ତା, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ମିଳୁଥିବା କୋଟି କୋଟି ଟଙ୍କା ଏସ୍ଏଚ୍ଜି ଗ୍ରୁପ ଜରିଆରେ ବାଣ୍ଟି ଦିଆଯାଉଛ। ହେଲେ କାମର ନାଁ ଗନ୍ଧ ନାହିଁ। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ପ୍ରତ୍ୟେକ ‘ଲୁ’ ନିର୍ମାଣ ବାବଦରେ ୨ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେଲା। ସହରର ବିଭିନ୍ନ ସ୍ଥାନ ଓ ପ୍ରମୁଖ ଛକରେ ୨୦୦ ‘ଲୁ’ ନିର୍ମାଣ ହେଲା। ଏଥିରୁ ପ୍ରାୟ ଅଧିକାଂଶ ‘ଲୁ’ ଲୋକଙ୍କ କାମରେ ଆସୁନି। ଏବେ ବି କିଛି ସ୍ଥାନରେ ଅଧା ନିର୍ମାଣ ହୋଇପଡ଼ିଛି। ଜାଗା ମିଶନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଶକ୍ତିନଗର ମିସନଶକ୍ତି ବଜାର ବାବଦରେ ପ୍ରାୟ ୬୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ତାଲା ଝୁଲୁଛି। ଆର୍ଏମ୍ସି ଅଧିକାଂଶ କାମରେ ଏମିତି ମାଳ ମାଳ ଅଭିଯୋଗ ରହିଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ପୂର୍ବତନ ବିଧାୟକ ଦିଲୀପ ରାୟ ଆର୍ଏମ୍ସି ନିର୍ବାଚନ ହେଉ ନଥିବାରୁ ବସ୍ତିର ବିକାଶ ଯେମିତି ହେବା କଥା ହୋଇପାରୁନି। ବିକାଶମୂଳକ କାମ ଠିକ୍ ହେଉଛି କି ନାହିଁ ପ୍ରତିବାଦ କରିବାକୁ କୌଣସି ଜନ ପ୍ରତିନିଧି ନାହାନ୍ତି। ରାଉରକେଲା ବିକାଶ ହେବାକୁ ହେଲେ ଆର୍ଏମ୍ସି ନିର୍ବାଚନ ତୁରନ୍ତ ହେବା ଦରକାର। ନ ହେଲେ ସହରରେ ଯେତିକି ବିକାଶମୂଳକ କାମ, ତା’ର ସ୍ଥାୟିତ୍ବକୁ ନେଇ ସର୍ବଦା ପ୍ରଶ୍ନ ଉଠୁଥିବ।
ବିଜେପିର ବରିଷ୍ଠ ନେତା ନିହାର ରାୟ କହିଛନ୍ତି, ଆର୍ଏମ୍ସି ନିର୍ବାଚନ ନ କରାଇବାକୁ ସରକାରଙ୍କ ଚକ୍ରାନ୍ତ। କୋର୍ଟର ଆଳ ଦେଖାଇ ବର୍ଷ ବର୍ଷ ଧରି ଗଡାଇ ଚାଲିଛନ୍ତି। ନିର୍ବାଚନ ହେଉ ନଥିବାରୁ ଅଫିସ୍ର ରାଜ ଚାଲିଛି। ପ୍ରତ୍ୟେକ କାମରେ ଦୁର୍ନୀତିର ଗନ୍ଧ ବାହାରୁଛି। ସ୍ଥାନୀୟ ପ୍ରତିନିଧି ଏ ସଂକ୍ରାନ୍ତରେ ଥରୁଟିଏ ବିଧାନସଭାରେ ପ୍ରଶ୍ନ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ମାର୍ଟସିଟି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ସତ, କିନ୍ତୁ ସହରବାସୀ ବିକାଶ ଯେତିକି ଦେଖିବା, ତା’ ଦେଖିପାରିଲେ ନାହିଁ।
ଉଲ୍ଲେଖଯୋଗ୍ୟ, ୧୯୯୫ ଜୁଲାଇ ୨୦ରେ ରାଉରକେଲା ଏନ୍ଏସି ମାନ୍ୟତା ପାଇଥିଲା। ୧୯୮୮ ସେପ୍ଟେମ୍ବରରେ ଏନ୍ଏସିରୁ ପୌରପାଳିକା ହୋଇଥିଲା। ୨୦୧୪ ନଭେମ୍ବରରେ ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କରାଯାଇଥିଲା। ଆର୍ଏମ୍ସି ଅଧୀନରେ ମୋଟ ୧୩୨ ବସ୍ତି ରହିଛି। ବସ୍ତିରେ ୪୦, ୪୮୦ ପରିବାରରେ ମୋଟ ଲୋକସଂଖ୍ୟା ହେଉଛି ୧,୬୪, ୮୬୦। ସହରର ମୋଟ ଲୋକସଂଖ୍ୟାର ୫୦%ରୁ ଅଧିକ ବସ୍ତିରେ ରହୁଛନ୍ତି।