ରାଉରକେଲା: ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଓ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ସୁନ୍ଦରଗଡ଼କୁ ଗସ୍ତରେ ଆସିଥିବା ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ଏକ ସ୍ଵାରକ ପତ୍ର ପ୍ରଦାନ କରିଥିଲେ।

Advertisment

ଏହି ପତ୍ରରେ ଦର୍ଶାଯାଇଛି ଯେ ଗତ ସରକାର ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ସ୍ବପ୍ନ ହୋଇ ରହିଗଲା। ଭୁବନେଶ୍ୱର ଓ ରାଉରକେଲା ସରକାରୀ ଡାକ୍ତରଖାନା ଗୋଟିଏ ବର୍ଷରେ ନିର୍ମାଣ ହୋଇଥିଲା ଏବଂ ଉଭୟକୁ ସ୍ମାର୍ଟ ସିଟି କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଘୋଷଣା କରି ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ କରୁଛନ୍ତି। କିନ୍ତୁ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ଆର୍ ଜି ଏଚକୁ ରାଜଧାନୀ ହସ୍ପିଟାଲର ମାନ୍ୟତା ମିଳି ପାରିଲା ନାହିଁ। ଏହି ହସ୍ପିଟାଲକୁ ଓଡ଼ିଶା ସହିତ ପଡୋଶୀ ରାଜ୍ୟ ଝାରଖଣ୍ଡ ଓ ଛତିଶଗଡ଼ର ମଧ୍ୟ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି। ଜନସଂଖ୍ୟା ବୃଦ୍ଧି ଓ ଜନତାଙ୍କ ଦାବୀକୁ ଦୃଷ୍ଟିରେ ରଖି ଏହାକୁ ରାଜଧାନୀ ହସ୍ପିଟାଲର ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଉଛି।

ଏହି ହସ୍ପିଟାଲ୍ କୁ ଆଉଟ୍ ସୋର୍ସିଙ୍ଗ ଦ୍ଵାରା ନିଆଯାଉଥିବା ସ୍ଵାସ୍ଥ୍ୟ କର୍ମୀ, ସିକ୍ୟୁରିଟି ଗାର୍ଡ ଆଦିକୁ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି କରିବା ପାଇଁ ଦାବୀ କରା ଯାଇଛି । ଏହି ହସ୍ପିଟାଲ୍ ରେ ଗତ ସରକାରଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବ ବ୍ୟାପକ ହେରାଫେରି , ଅନିମିୟତା ଓ ଦୁର୍ନିତୀର ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ । ଜନସଂଖ୍ୟା ଦୃଷ୍ଟିକୁ ଦେଖି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉ। ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ତର, ନର୍ସିଂ ଷ୍ଟାଫ, ପାରା ମେଡ଼ିକାଲ ଷ୍ଟାଫ, ଆବଶ୍ୟକ ମେଡିକାଲ ସରଞ୍ଜାମ ଓ ଯନ୍ତ୍ରପାତି ଯୋଗାଇ ଦିଆଯାଉ। ଉପଯୁକ୍ତ ବାତାନୁକାଳୀନ ଯନ୍ତ୍ର ଓ କୁଲର ଅଭାବରୁ, ଗ୍ରୀଷ୍ମ ଋତୁ ସମୟରେ ଭୀଷଣ ରୌଦ୍ର ତାପ ଯୋଗୁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏଣୁ ଏହାର ସମାଧାନ ପାଇଁ ଅନୁରୋଧ କରାଯାଇଛି। ଉପରୋକ୍ତ ଦାବୀ ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ଜିଲ୍ଲା ତରଫରୁ ପାନପୋଷ ସାଂଗଠନିକ ଜିଲ୍ଲାକୁ ଗ୍ରସ୍ତରେ ଆସିବାକୁ ଅନୁରୋଧ କରାଯାଇ ଥିଲା।

ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ଜେନା , ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ରଘୁନାଥପଲ୍ଲୀ କ୍ଷେତ୍ର ସଂଯୋଜକ ଅଶୋକ ଲେଙ୍କା, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।