ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଦିବ୍ୟାଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀଙ୍କ ଚାକିରି ସ୍ଥାୟୀ କରାଯାଇ ସେମାନଙ୍କ ବେତନ ବୃଦ୍ଧି କରାଯାଉ ବୋଲି ଦିବ୍ୟାଙ୍ଗ ସ୍ବେଚ୍ଛାସେବୀ ଦାବି କରିଛନ୍ତି। ଏନେଇ ସ୍ବେଚ୍ଛାସେବୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଵା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ୩୩ ଜଣ ଦିବ୍ୟାଙ୍ଗ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟାଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ଭାବେ ଗତ ୧୧ ବର୍ଷ ହେଲା କାମ କରି ଆସୁଛନ୍ତି। ପ୍ରଥମେ ୨୦୧୦ ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଓ ୨୦୧୩ ଶିକ୍ଷାବର୍ଷରୁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆଜି ପର୍ଯ୍ୟନ୍ତ କାମ କରି ଆସୁଛନ୍ତି। ଏହି ସ୍ବେଚ୍ଛାସେବୀମାନେ ପ୍ରତ୍ୟେକ ଦିନ ଦୁଇଟି ସ୍କୁଲ ଓ ଜଣେ ଶଯ୍ୟାଶାୟୀ ପିଲାଙ୍କ ଘରକୁ ଯାଇ ଶିକ୍ଷାଦାନ କରିବା ସହ ବାଣୀଶ୍ରୀ ଭତ୍ତା,ଏସ୍କର୍ଟ ଆଲାଉନ୍ସ , ଟ୍ରାଭେଲିଂ ଆଲାଉନ୍ସ୍ ସମେତ ଡାକ୍ତରୀ ସାର୍ଟିଫିକେଟ ତିଆରି କରିବାରେ କାର୍ଯ୍ୟ କରିଥାନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଏହି ସ୍ବେଚ୍ଛାସେବୀମାନଙ୍କୁ ମାସିକ ମାତ୍ର ୪୭୬୦ ଟଙ୍କା ଦରମା ପ୍ରଦାନ କରାଯାଉଥିବା ବେଳେ ୬ ମାସରେ ଥରେ ଦରମା ଦିଆଯିବା ସହ ପ୍ରତ୍ୟେକ ଶିକ୍ଷାବର୍ଷ ପ୍ରାରମ୍ଭରେ ଦିନକ ପାଇଁ ଛଟେଇ କରି ଦିଆଯାଉଥିବାରୁ ପେଟପାଟଣା ତଥା ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଛି।

ଏହି ସ୍ବେଚ୍ଛାସେବୀମାନେ ଛଟେଇ ପ୍ରକ୍ରିୟା ବନ୍ଦ କରାଯିବା, ଦରମା ବୃଦ୍ଧି, ଇନ୍ ସର୍ଭିସ୍ ତାଲିମ ସହ ଚାକିରି ସ୍ଥାୟୀ କରାଯିବା ଆଦି ଦାବି ସମ୍ମିଳିତ ସ୍ମାରକପତ୍ର  ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଜିଲ୍ଲାର ଅସ୍ଥାୟୀ ସଭାପତି ଦୁର୍ଯୋଧନ ବେଟି, ଉପଦେଷ୍ଟା ପପୁ ପ୍ରସାଦ ସିଂ, ରବିରତ୍ନ କିଶାନ, ହିରଣ୍ମୟୀ ପତି, ଝିର୍ଗା ଓରାମ, ପରମେଶ୍ବର ପ୍ରଧାନ, ଗଙ୍ଗାରାନି ବାରଲା, ସୁଭଦ୍ରା ତନ୍ତି , ପ୍ରମୋଦ ପ୍ରଧାନ, ପ୍ରେମାନନ୍ଦ ନିଖଣ୍ଡିଆ , ସୁନାଚାନ୍ଦ୍ ତାଣ୍ଡିଆ, ସୁବାସ ପଟେଲ, ଅନୁପମ ଡାଙ୍ଗ, ଅଶୋକ ବେହେରା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକର ଆଇଇଭି ଉପସ୍ଥିତ ଥିଲେ।