ରାଉରକେଲା: ବର୍ଷା ଆରମ୍ଭରୁ ଡରାଇଲାଣି ସହରବାସୀଙ୍କୁ ଡରାଇଲାଣି ଡେଙ୍ଗୁ। ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗତ ଜାନୁଆରିରୁ ଜୁନ୍‌ ଶେଷ ସୁଦ୍ଧା ୧୨ ‌ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଜାନୁଆରି ମାସରେ ଆର୍‌ଜିଏଚ୍‌ରେ ଚିହ୍ନଟ ହୋଇଥିଲେ ୩ ଡେଙ୍ଗୁ ରୋଗୀ। ମେ’ରେ ଜଣେ, ଜୁନ୍‌ରେ ସର୍ବାଧିକ ୬ ଓ ଜୁଲାଇ ୫ ତାରିଖ ସୁଦ୍ଧା ଜଣେ ଏମିତି ମୋଟ ୧୨ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ଆର୍‌ଜିଏଚ୍‌ ନୁହେଁ ଘରୋଇ ହସ୍ପିଟାଲରେ ମଧ୍ୟ କିଛି ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଚିହ୍ନଟ ଡେଙ୍ଗୁରୋଗୀ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅନ୍ତର୍ଗତ ମାଲଗୋଦାମ, ବାଲୁଘାଟ, ଗୋପବନ୍ଧୁପାଲୀ, ଛେଣ୍ଡକଲୋନି ଓ ଅନ୍ୟ କିଛି ରୋଗୀ ଇସ୍ପାତ ସହରାଞ୍ଚଳର ବୋଲି ଜଣାପଡ଼ିଛି। ବସ୍ତି ଓ କଲୋନିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରୁ ଦିନକୁ ଦିନ ସହରରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଡେଙ୍ଗୁରୋଗୀ ସହରବାସୀଙ୍କ ଚିନ୍ତା ବଢ଼ାଇଥିଲାବେଳେ ରାଉର‌କେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ।

Advertisment

ଡେଙ୍ଗୁରୋଗୀ ଚିହ୍ନଟ ‌ହେବା ପରେ ମଧ୍ୟ ଆର୍‌ଏମ୍‌ସି ପରିମଳ ବିଭାଗ ପକ୍ଷରୁ କଲୋନି ଓ ବସ୍ତିରେ ମଶା ଧୂଆଁ ଛଡ଼ା ଯାଉନଥିବା କଲୋନିବାସୀ ଅଭିଯୋଗ କରିଛନ୍ତି। ସହରର ପ୍ରମୁଖ ଡ୍ରେନ୍‌ ଠାରୁ ଆରମ୍ଭ କରି ଛୋଟ ଡ୍ରେନ୍‌ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇ ପଡ଼ିଥିବାରୁ କେବଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉ ନାହିଁ, ଡେଙ୍ଗୁ ହେବାର ମଧ୍ୟ ସମ୍ଭାବନା ରହିଛି। ଗତବର୍ଷ ଡେଙ୍ଗୁ ଅଣାୟତ ହେବାରୁ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇଜଣିଆ କୀଟତତ୍ବବିତ୍ ରାଉରକେଲା ଆସିଥିଲେ। ତେବେ ଡେଙ୍ଗୁ ପ୍ରବଣ ରାଉରକେଲା ପ୍ରତି ଏବେଠୁ ଜିଲ୍ଲା ସ୍ବାସ୍ଥ୍ୟବିଭାଗ, ଆର୍‌ଏମ୍‌ସି ଓ ଜିଲ୍ଲା ପ୍ରଶାସନ ଠୋସ୍‌ ପଦକ୍ଷେପ ନ ନେଲେ, ସ୍ଥିତି ଅଣାୟତ ହେବାର ସମ୍ଭାବନା ରହିଛି। ସୂଚନା‌ଯୋଗ୍ୟ, ଗତ ୨୦୨୩ରେ ୧୪୭ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୨୨ ଡିସେମ୍ବର ୩୧ରେ ୧୮ ରକ୍ତ ନମୁନା ପରୀକ୍ଷାରୁ ୧୨ ଡେଙ୍ଗୁ ଚିହ୍ନଟ ହୋଇଥିଲେ। କେବଳ ଅକ୍ଟୋବରରେ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୨୦୨୨ ଅକ୍ଟୋବର ୩୧ରେ ୩୪ ରକ୍ତ ନମୁନାରୁ ୧୩, ୧୮ରେ ୩୮ରୁ ୧୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ମାଲଗୋଦାମ ଜନବସତି ଅଞ୍ଚଳରେ ଖଟାଲ୍‌, ଘୁଷୁରି ଫାର୍ମ ଯୋଗୁ ପ୍ରତିବର୍ଷ ଏହି ଅଞ୍ଚଳରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ସହରରେ ବଢ଼ିଚାଲିଥିବା ଡେଙ୍ଗୁରୋଗୀଙ୍କ ସଂଖ୍ୟାରେ ବ୍ରେକ୍‌ ଲଗାଇବାର ଆବଶ୍ୟକତା ରହିଛି। ନ ହେଲେ ସହରରେ ବିଗତ ଦିନରେ ହଇଜା ପରି ସ୍ଥିତି ଉପୁଜିବ, ଏଥିରେ ଦ୍ବିମତ ନାହିଁ।