ରାଉରକେଲା: ପ୍ରାୟ ୩୬ ବର୍ଷ ପୂର୍ବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ସୁନ୍ଦରଗଡ଼ରେ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର(ଏସ୍‌ଟିସି) ସ୍ଥାପନ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା, ଅଞ୍ଚଳର କ୍ରୀଡ଼ା ପ୍ରତିଭା ଚିହ୍ନଟକରି ଉପଯୁକ୍ତ ତାଲିମ ପ୍ରଦାନ କରିବା। କିନ୍ତୁ ଏହି କେନ୍ଦ୍ର ଏବେ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଲାଣି। ଏଠାରେ ଲାଗିରହିଥିବା ଯାବତୀୟ ସମସ୍ୟା ହିଁ ଏହାର ପ୍ରମୁଖ କାରଣ ପାଲଟିଛି। ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାକୁ ସମାଧାନ କରାଯିବାର ପ୍ରୟାସ ବି କରାନଯିବା; ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।
ଓଡ଼ିଶାର ‘କ୍ରୀଡ଼ା ଜିଲ୍ଲା’ଭାବେ ଅବିହିତ ସୁନ୍ଦରଗଡ଼ରେ ୧୯୮୭ ମସିହାରେ ସାଇ ପକ୍ଷରୁ ନ୍ୟାସ୍‌ନାଲ ସ୍ପୋର୍ଟ‌୍ସ ଟ୍ୟାଲେଣ୍ଟ୍‌ କଣ୍ଟେଷ୍ଟ୍‌(ଏନ୍‌ଏସ୍‌ଟିସି) ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟର ବାଳକଙ୍କୁ ହକି ଓ ସେଣ୍ଟ୍‌ ମ୍ୟାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାଳିକାଙ୍କୁ କ୍ରୀଡ଼ା ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଯୋଜନା ହିଁ ଦେଶର ମହାନ ହକି ଖେଳାଳି ଦିଲୀପ ତିର୍କୀଙ୍କୁ ସୃଷ୍ଟି କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ସାଇ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ଏହା ବଦଳରେ ୧୯୯୯ରେ ଡେ’ ବୋର୍ଡିଂ ଯୋଜନାରେ ହକି, ଫୁଟବଲ, ଦୌଡ଼କୁଦ, ବାସ୍କେଟବଲ, ଭଳିବଲ, ବକ୍ସିଂ କୋଚ୍‌ ନିଯୁକ୍ତକରି ଉଭୟ ବିଦ୍ୟାଳୟର ୨୨-୨୨ଜଣ ଖେଳାଳିଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। ତେବେ ଏହି ଯୋଜନା ମଧ୍ୟ ତାରକା ଖେଳାଳି ସୃଷ୍ଟି କରିବାରେ ବିଫଳ ହେବାରୁ ୨୦୧୨ ମସିହାରେ ବନ୍ଦ କରିଦିଆଗଲା। ୨୦୦୨ ମସିହାରେ ସାଇ ‘ସ୍ପେଶାଲ ଏରିଆ ଗେମ୍‌ସ(ଏସ୍‌ଏଜି) ଯୋଜନା ଆଣିଥିଲା। ଏହି ଯୋଜନା ମାଧ୍ୟମରେ ସୁନ୍ଦରଗଡ଼ ଷ୍ଟାଡିୟମରେ ଆସ୍ଥାୟୀ ଛାତ୍ରାବାସ ତିଆରି ହକି ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ପ୍ରଥମ ବ୍ୟାଚରେ ୨୮ ଜଣ ବାଳକ ହକି ଖେଳାଳିଙ୍କୁ ଚୟନ କରାଯାଇଥିଲା। ୨୦୦୪ରେ ମହିଳା ହକି ଓ ତୀରନ୍ଦାଜୀ ଏବଂ ୨୦୦୫ରେ ଆଥଲେଟିକ୍ସ୍‌କୁ ସାମିଲ କରାଯାଇଥିଲା। ସେତେବେଳେ ଏହି କେନ୍ଦ୍ରରେ ୨୮ ଜଣ ଲେଖାଏ ପୁରୁଷ ଓ ମହିଳା ହକି ଖେଳାଳି, ତୀରନ୍ଦାଜୀରେ ୧୫ ଜଣ ପୁରୁଷ ଓ ମହିଳା ଖେଳାଳି ଏବଂ ଆଥ୍‌ଲେଟିକ୍ସରେ ୧୨ ଜଣ ଥିଲେ।

Advertisment

publive-image
ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ‘ସାଇ’ର ଛାତ୍ରାବାସ ନିର୍ମାଣ ଓ ଭିତ୍ତିଭୂମି ବିକାଶ ପାଇଁ ଭବାନୀପୁର ଅଞ୍ଚଳରେ ୧୯ ଏକର ଜମି ଯୋଗାଇ ଦେଇଥିଲେ। ୨୦୦୪ରୁ ଭବାନୀପୁରରେ ‘ସାଇ’ କାର୍ଯ୍ୟରତ ଥିବାବେଳେ ୨୦୦୭ରେ ଏଠାରେ ସିନ୍ଥେଟିକ୍‌ ହକି ର୍ଟଫ୍‌ ବିଛା ଯାଇଥିଲା। ଏଠାରୁ ହିଁ ପୁରୁଷ ହକି ବର୍ଗରେ ବିକାଶ ଟପ୍ପୋ, ରୋଶନ ମିଞ୍ଜ, ବେଳସାଯୋର ହୋରୋ, ମଞ୍ଜିତ କୁଲୁ, ସୁମନ ବେକ୍‌ ଏବଂ ମହିଳା ବର୍ଗରେ ଅଲିମ୍ପିଆନ ଦୀପଗ୍ରେସ ଏକ୍କା, ସୁନେଳିତା ଟପ୍ପୋ, ସୁଜାତା କୂଜୁର, ଆଥଲେଟିକ୍ସରେ ପୂର୍ଣ୍ଣିମା ହେମ୍ରମ, ବିବିଆନା କୁଲୁ, ବନିତା ଲାକ୍ରା ଆଦି ପ୍ରତିଷ୍ଠିତ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇଥିଲେ। କିନ୍ତୁ ତୀରନ୍ଦାଜୀ ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିନଥିଲା। ଏମିତିକି ଏଠାରେ ସ୍ବିମିଂ ପୁଲ୍‌ ପାଇଁ ପ୍ରୟାସ ଆରମ୍ଭ ହୋଇଥିବାବେଳେ ଏହା କିନ୍ତୁ ବାସ୍ତବତାରେ ପରିଣତ ହୋଇପାରିନଥିଲା। ୨୦୧୭ରେ ଏହାର ନାଁ ପରିବର୍ତ୍ତନ କରି କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର(ଏସ୍‌ଟିସି) ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ନିୟମାନୁସା‌ରେ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କ୍ରିଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ କରାଯିବ। ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରିବେ ଓ ‘ସାଇ’ ପକ୍ଷରୁ ପିଲାମାନଙ୍କୁ ଉନ୍ନତ ପ୍ରଶିକ୍ଷଣ, କ୍ରୀଡ଼ା ଉପକରଣ ଯୋଗାଇବା, ରହଣି, ଷ୍ଟାଇପେଣ୍ଡ୍‌, ଶିକ୍ଷା ଖର୍ଚ୍ଚ, ମେଡିକାଲ ଖର୍ଚ୍ଚ ବହନ ସମେତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପ୍ରଦାନ କରିବେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାକାର ଭିତ୍ତିଭୂମିର ବିକାଶ କରାଯାଉନି। ଭିତ୍ତିଭୂମି ବିକାଶ ପାଇଁ ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି; କିନ୍ତୁ ସୁଫଳ ମିଳୁନି। ଏହି କେନ୍ଦ୍ରରେ ଏଯାଏ ପାଚେରି ନିର୍ମାଣ କରାଯାଇପାରିନି। ଏଠାରେ ଖେଳାଳି ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ହକି ବର୍ଗରେ କେବଳ ୧୬ ଜଣ ମହିଳା ଓ ୧୩ ଜଣ ପୁରୁଷ ଖେଳାଳି ଥିବାବେଳେ ତୀରନ୍ଦାଜୀରେ ୯ ଜଣ ମହିଳା ଓ ୬ ଜଣ ପୁରୁଷ ଖେଳାଳି, ଆଥଲେଟିକ୍ସରେ ୯ ଜଣ ମହିଳା ଓ ୪ ଜଣ ପୁରୁଷ ଖେଳାଳି ଅଛନ୍ତି। ଏଠାରେ ଆବଶ୍ୟକ ସଂଖ୍ୟକ କୋଚ୍‌ ବି ନାହାନ୍ତି। ହକିରେ ୩ ଜଣ ପ୍ରଶିକ୍ଷକ ଥିବାବେଳେ ତୀରନ୍ଦାଜୀରେ କେବଳ ଜଣେ ପ୍ରଶିକ୍ଷକ ଅଛନ୍ତି। ବିଶେଷଜ୍ଞଙ୍କ ମତରେ ଏଠାରେ ହକି ‌ବର୍ଗରେ ଉଭୟ ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ୩୦ ଲଣ ଲେଖାଏ ଖେଳାଳି ରହିବା ଆବଶ୍ୟକ। ପ୍ରଶିକ୍ଷଣ ପାଇଁ ଜଣେ ମହିଳା କୋଚ୍‌ଙ୍କ ସମେତ ଅନ୍ୟୁନ ୬ ଜଣ ଜଣ ରହିବା ଆବଶ୍ୟକ। ଏଠାରେ ନୂଆ ଟର୍ଫ‌ ବିଛାଇବା ମଧ୍ୟ ଅତ୍ୟାବଶ୍ୟକ ହୋଇପଡ଼ିଛି। ତଥାପି, ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ସରକାରଙ୍କ ପକ୍ଷରୁ ଜିଲ୍ଲାରେ ୧୬ଟି ନୂଆ ହକି କେନ୍ଦ୍ର ସ୍ଥାନ କରାଯାଇଥିବାବେଳେ ଏହି ଏସ୍‌ଟିସିକୁ କିନ୍ତୁ ଭୁଲି ଯାଇଛନ୍ତି।
ଏନେଇ ଏସ୍‌ଟିସି ପ୍ରଭାରୀ ତଥା ମୁଖ୍ୟ ପ୍ରଶିକ୍ଷକ ଆବ୍ରାହମ କିସ୍‌ପଟ୍ଟା କହିଛନ୍ତି, ଏଠାରେ ଭିତ୍ତିଭୂମିର ଘୋର୍‌ ଅଭାବ ରହିଛି। ଏହାର ବିକାଶ କରାଯିବା ଜରୁରି ହେଲାଣି। ଭିତ୍ତିଭୂମି ବିକାଶ ହେଲେ, ଏଠାକାର ଖେଳାଳି ଆକାଂକ୍ଷିତ ପରିଣାମ ଆଣିପାରିବେ।’ ଏବେ ଏଠାରେ ଥିବା ଆଥଲେଟିକ୍ସ ବିଭାଗକୁ ବନ୍ଦ କରିବାକୁ ମସୁଧା ଚାଲିଥିବା ଚର୍ଚ୍ଚା ଜୋର୍‌ ଧରିଛି। ତୀରନ୍ଦାଜୀ କ୍ଷେତ୍ରରେ ସଫଳତା ମିଳୁନି। ଅଞ୍ଚଳରେ ଅନେକ ମହିଳା ଫୁଟବଲ ପ୍ରତିଭା ଅଛନ୍ତି। ଏଣୁ ଏଠାରେ ମହିଳା ଫୁଟବଲ ବିଭାଗ ଯୋଡ଼ିବାକୁ ଦାବି ଜୋର୍‌ ହେଲାଣି।