ସୁନ୍ଦରଗଡ଼ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି 

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଡିଜିପି ଅଭୟ, ଆଇନଶୃଙ୍ଖଳା ଏଡିଜି ଯଶବନ୍ତ ଜେଠୁଆ ରାଉରକେଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାଉରକେଲା ଓ ସୁନ୍ଦରଗଡ ପୁଲିସ ଜିଲ୍ଲାରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରିବାକୁ ଗଠିତ ଏନ୍ଫୋର୍ସମେଣ୍ଟ ଟିମ୍ କେମିତି କାର୍ଯ୍ୟ  କରୁଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥା କେମିତି କରାଯାଉଛି ? ଆଦି ବିଷୟରେ ଉପସ୍ଥିତ ରାଉରକେଲା ଏସପି ମୁକେଶ କୁମାର ଭାମୁ, ସୁନ୍ଦରଗଡ ଏସପି ସାଗରିକା ନାଥଙ୍କୁ ପଚାରିଥିଲେ।

କୋଭିଡ୍ ନିୟମ ପାଳନ କରୁନଥିବା ଅମାନିଆଙ୍କ ବିରୋଧରେ ଏନ୍ଫୋର୍ସମେଣ୍ଟ ଟିମ୍ କ’ଣ କାର୍ଯ୍ୟାନୁଷ୍ଠାନ ନେଇ ସେ ସଂକ୍ରାନ୍ତରେ ମଧ୍ୟ ଦୁଇ ଏସ୍ପିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲକଡାଉନରେ  ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡାକଡ଼ି କରିବାକୁ ଦୁଇ ଏସପିଙ୍କୁ  ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଆଲୋଚନା ବେଳେ ରାଉରକେଲା ଏସପି ଶ୍ରୀ ଭାମୁ କହିଛନ୍ତି ଗତ ୧୬ରୁ ଆଜି ପର୍ଯ୍ୟନ୍ତ ରାଉରକେଲା ପୁଲିସ ଜିଲ୍ଲାରେ ୩୦ରୁ ଅଧିକ ଦୋକାନ ସିଲ୍ କରାଯାଇଛି। ମାସ୍କ ପିନ୍ଧି ନଥିବା, କୋଭିଡ ନିୟମ ମାନୁ ନଥିବା ଅମାନିଆଙ୍କ ଠାରୁ ପ୍ରାୟ ୧୬ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି କହିଥିଲେ। ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଛନ୍ତି, ଝାଡ଼ଖଣ୍ଡ ଓ ଛତିଶଗଡ ସୀମାନ୍ତର ୬ଟି ସ୍ଥାନରେ ବ୍ୟାରିକେଡ୍ କରାଯାଇ ଯାଞ୍ଚକୁ କଡାକଡି କରାଯାଇଛି।

ଦୁଇ ରାଜ୍ୟରୁ ସୁନ୍ଦରଗଡ଼ ଜିଲ୍ଲାକୁ ଆସୁଥିବା ଲୋକଙ୍କୁ କରୋନା ନେଭେଟିଭ୍ ରିପୋର୍ଟ ମଗାଯାଉଛି। ଯେଉଁମାନେ ରିପୋର୍ଟ ଦେଖାଉଛନ୍ତି, ସେମାନଙ୍କୁ ଜିଲ୍ଲାକୁ ଆସିବାକୁ ଅନୁମତି ଦିଆଯାଉଛି। ରିପୋର୍ଟ ଦେଖାଉ ନଥିବା ଲୋକଙ୍କୁ ଜିଲ୍ଲା ଭିତରକୁ ଆସିବାକୁ ଅନୁମତି ଦିଆଯାଉନାହିଁ ବୋଲି କହିଥିଲେ। ସେ  ଆହୁରି ମଧ୍ୟ କହିଛନ୍ତି ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଅକ୍ସିଜେନ୍ ଟ୍ୟାଙ୍କରକୁ ଜିଲ୍ଲା ପୁଲିସ ପକ୍ଷରୁ ଏସକଟ୍ କରି ନିଆଯାଉଛି। ଅଦ୍ୟାବଧି ସୁନ୍ଦରଗଡ଼ରୁ ୧୯ଟି ଟ୍ୟାଙ୍କରକୁ ଏସକଟ୍ ଦିଆଯାଇଛି।

ସମ୍ବନ୍ଧିତ ଖବର