ନେତାଙ୍କ ସହ ପରାଜୟର ସମୀକ୍ଷା କଲେ ଦିଲୀପ, ସାରଦାଙ୍କୁ ଜଣାଇଲେ ଅଭିନନ୍ଦନ

ରାଉରକେଲା: ରାଉରକେଲା ନିର୍ବାଚନରେ ହାରିବା ପରେ ଗତକାଲି ଦିଲୀପ ରାୟ ସହରରେ ପହଞ୍ଚିଥିଲେ। ସଂଧ୍ୟାରେ ନିଜ ପରାଜୟକୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକରେ ରାଉରକେଲାର ୧୯୭ ବୁଥ ଓ ନିର୍ବାଚନ ପରିଚାଳନା କରୁଥିବା ଦଳର ଶତାଧିକ ନେତା ଉପସ୍ଥିତ ଥିଲେ। ପରାଜୟକୁ ନେଇ ଟିକ୍‌ନିକ୍‌ ସମୀକ୍ଷା କରାଯାଇଥିଲା। ପ୍ରଥମେ ଦିଲୀପ ବିଜୟୀ ପ୍ରାର୍ଥୀ ସାରଦା ନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜନତାଙ୍କ ମତକୁ ସ୍ବୀକାର କରିଥିଲେ। ରାଉରକେଲା ବିକାଶରେ ତାଙ୍କର ଉଦ୍ୟମ ଜାରି ରହିବ ବୋଲି କର୍ମକର୍ତ୍ତାଙ୍କୁ କହିଥିଲେ। ଏଥିସହ ଆଗାମୀ ଆର୍‌ଏମ୍‌ସି ନିର୍ବାଚନରେ ବିଜେପି କିପରି ସମସ୍ତ ୪୦ ୱାର୍ଡ ସେଥିପାଇଁ ନେତା ଓ କର୍ମୀମାନଙ୍କୁ ଆଜିଠୁ କାମ ଆରମ୍ଭ କରିଦେବାକୁ ପରାମର୍ଶ ଦେଇଥିଲେ। ବୁଥସ୍ତରରେ ପରିଚାଳନା କରୁଥିବା ଦଳର ନେତାଙ୍କ ସହ ପରାଜୟ ସଂକ୍ରାନ୍ତରେ ଟିକ୍‌ନିକ୍‌ ଆଲୋଚନା କରିଥିଲେ।

କିସାନଟୋଲା, ବନ୍ଧପୋଷ, ବାଲୁଘାଟ, ଝିରପାଣି, ନୟାବଜାର, ପ୍ଲାଣ୍ଟସାଇଟ୍‌, ନାଲାରୋଡ, ଭାଟିରୋଡ, ରଜକ୍‌ ରୋଡ, ବିଶ୍ରାରୋଡ, ଗାନ୍ଧିରୋଡ, ଉତ୍କଳପାଲି, ବନ୍ଧମୁଣ୍ଡା, ଦେଓଗାଁ ଆଦି କେତେକ ବସ୍ତିରେ ଦିଲୀପଙ୍କୁ କମ୍‌ ଭୋଟ ମିଳିଥିଲା। ନାଲାରୋଡ, ଭାଟିରୋଡ ଓ ରଜକ୍‌ ରୋଡରେ ଦିଲୀପ ରାୟଙ୍କୁ ମାତ୍ର ୬୭୫ ଖଣ୍ଡ ଭୋଟ ମିଳିଥିଲା। ବିଜେଡ଼ିର ସାରଦା ପ୍ରସାଦ ନାୟକଙ୍କୁ ସର୍ବାଧିକ ୪ ହଜାର ୨୯୫ରୁ ଅଧିକ ଭୋଟ ମିଳିଥିଲା। କଂଗ୍ରେସ ବି.ଏନ୍. ପଟ୍ଟନାୟକଙ୍କୁ ୭୭୭ ଖଣ୍ଡ ଭୋଟ ମିଳିଥିଲା। ଅର୍ଥାତ୍‌ କଂଗ୍ରେସର ସର୍ବାଧିକ ଭୋଟର ନିଜ ଦଳ ପରିବର୍ତ୍ତେ ବିଜେଡ଼ି ସପକ୍ଷରେ ଯାଇଥିଲା। ଦିଲୀପ ରାୟ ବାସ୍ତନ୍ତୀକଲୋନି ୧୦୫୨ରୁ ଅଧିକ ଭୋଟ ପାଇଥିଲାବେଳେ ମଧୁସୂଦନପାଲିରେ ୪୬୦, ବିରଜାପାଲି ଓ ଉଦିନଗରରେ ୨୯୫, ଡେଲିମାର୍କେଟରେ ୬୭୫, ଜନତା ନିବାସ ଗଳିରେ ୪୩୧, ଲାଲ୍‌ବିଲ୍‌ଡିଂରେ ଏରିଆରେ ସାରଦାଙ୍କ ଠୁ ୧୧୩ ଖଣ୍ଡ ଅଧିକ ଭୋଟ ପାଇଥିଲେ। ସେମିତି ସିଭିଲଟାଉନସିପ୍‌ରେ ସାରଦାଙ୍କଠୁ ୮୨୪ ଖଣ୍ଡ, କୋଏଲନଗରରେ ୮୪୫ ଖଣ୍ଡ ଅଧିକ ଭୋଟ ପାଇଥିଲେ। କିନ୍ତୁ ଗଙ୍ଗାଧରପାଲିରେ ୫୪୮ ଖଣ୍ଡ କମ୍‌ ଭୋଟ ପାଇଥିବାବେଳେ ଝିରପାଣିରେ୧୦୭୪, ଓଏସ୍‌ଏପିରୁ ପିଏଚ୍‌ଡି ଅଞ୍ଚଳ ପର୍ଯ୍ୟନ୍ତ ୨୫୪, କୋଏଲବ୍ୟାଙ୍ଗ (ଖରିଆବାହାଲ ବସ୍ତି)ରେ ୭୫୧, ରେଳବାଇ କଲୋନିରେ ସାରଦାଙ୍କଠୁ ୨୪୬ ଖଣ୍ଡ ଭୋଟ କମ୍‌ ପାଇଥିଲେ। କେବଳ ଏତିକି ନୁହେଁ ଶକ୍ତିନଗର, ପୁଲିସ କଲୋନି, ଏଫ୍‌ସିଆଇ ବସ୍ତି, ପାକିସ୍ତାନ କଲୋନି, ଟିମ୍ବରକଲୋନି, ଗୋପବନ୍ଧୁପାଲି ଆଦି ଅଞ୍ଚଳରେ ମଧ୍ୟ ଦିଲୀପଙ୍କୁ କମ୍‌ ଭୋଟ ମିଳିଥିଲା। କମ୍‌ ଭୋଟ ପାଇଥିବା ଅଞ୍ଚଳରେ କାର୍ଯ୍ୟକରୁଥିବା ଦଳର ନେତାଙ୍କ ପ୍ରଚାର ଭୋଟରମାନଙ୍କ ଜିଣିପାରିନଥିଲା। କାମ କରୁଥିବା ନେତାମାନେ ତୃଣମୂଳସ୍ତରରେ ଭୋଟର ପାଖରେ ପହଞ୍ଚି ପାରିନଥିବାରୁ ଦିଲୀପ ରାୟଙ୍କୁ ପରାଜୟ ମୁହଁ ଦେଖାଇବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଦିଲୀପ ରାୟ ଗତ ୨୦୧୪ ନିର୍ବାଚନରେ ବିଜେଡ଼ିର ସାରଦା ପ୍ରସାଦ ନାୟକଙ୍କୁ ୧୦ ହଜାର ୯୨୯ ଖଣ୍ଡ ଅଧିକ ‌ଭୋଟରେ ପରାସ୍ତ କରିଥିଲେ। ହେଲେ ୧୯୯୫ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଭାତ ମହାପାତ୍ରଙ୍କଠୁ ୬ ହଜାର ୩୭୪ ଭୋଟରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର