ସୁନ୍ଦରଗଡ଼: ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗ୍ରାମସଭାକୁ ସର୍ବୋଚ୍ଚ ମାନ୍ୟତା, ପ୍ରତି ଆର୍ଥିକ ବର୍ଷରେ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ନପାଇବା ଯାଏଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧି, ପେନସନ, କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଆଦି ୧୦ ଦଫା ଦାବିରେ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ସମୟରେ ଡିଜିଟାଲ ଦସ୍ତଖତ (ଡିଏସସି) ଜରିଆରେ ଦେୟ ପ୍ରଦାନ ମଧ୍ୟ ବନ୍ଦ କରାଯାଇଥିବା ସଂଘ ସୂଚନା ଦେଇଛି। ପୂର୍ବରୁ ୨ ମାସ ତଳେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସଂଘ ଶେଷକୁ ଏହି ଚରମ ନିଷ୍ପତ୍ତି ନେଇଥିବା ପ୍ରକାଶ।
ଆଜି ସ୍ଥାନୀୟ ଡିଆରଡିଏ ଛକରେ ସଂଘ ସଭାପତି ଉଗ୍ରସେନ କିସାନଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା କରାଯାଇ ସରକାରଙ୍କ ଉପରେ ବର୍ଷିଥିଲେ ସଦସ୍ୟ। କରୋନା ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିବା ସରକାର ଏବେ ତୃଣମୂଳସ୍ତରରର ଗଣତନ୍ତ୍ର ପ୍ରତି ଅବହେଳା କରୁଥିବା ସରପଞ୍ଚମାନେ ଅଭିଯୋଗ କରି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ଏହି ଅବସରରେ ସଂଘ କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରତିବାଦ ଶୋଭାଯାତ୍ରାରେ ସାଧାରଣ ସମ୍ପାଦକ ତ୍ରିଲୋଚନ ପ୍ରଧାନ, ଉପସଭାପତି ଅଜିତ ତିର୍କୀ, ଲକ୍ଷ୍ମୀପ୍ରିୟା ଲାକ୍ରା, କୋଷାଧ୍ୟକ୍ଷ ବିନୟଭୂଷଣ ବାର୍ଲା, ସହ କୋଷାଧ୍ୟକ୍ଷ ସଚିନ ଏକ୍କା, ସହ ସମ୍ପାଦକ ଅର୍ଜୁନ ଏକ୍କା, ଏମାନ୍ତୁସ କୁଜୁର, ଲଳିତ ଲାକଡା, ଦେବଲାଲ ଲାକଡା, ଗୋବର୍ଦ୍ଧନ ହାହା ପ୍ରମୁଖ ସାମିଲ ଥିଲେ।