ଗିରଫ ହେଲେ ବହିଷ୍କୃତ ପୁଲିସ ଆଇଆଇସି ଆନନ୍ଦ ମାଝୀ, ଅଦାଲତରେ ହାଜର କରାଯିବ

ଭୁବନେଶ୍ୱର: ବହୁଚର୍ଚ୍ଚିତ  ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି ସକାଳେ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଅପରାହ୍ଣରେ ତାଙ୍କୁ କ୍ର‌ାଇମବ୍ରାଞ୍ଚ ଗିରଫ କରିଛି। ପୁଲିସ ଡିଜି ଅଭୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।  ଫେରାର ଥିବା ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରୁ ଠାବ କରି  କ୍ରାଇମବ୍ରାଞ୍ଚ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି ଡିଜି। ଏଥିସହ ସେ ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚକୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ଧନ୍ୟବାଦ ଦେଇଛନ୍ତି।

ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବାର ମ‌ାତ୍ର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇଛି । ପ୍ରଥମେ ନିଲମ୍ବନ, ତା’ପରେ ବହିଷ୍କାର ଏବଂ ଶେଷରେ ଗିରଫଦାରୀ। ଏହି ଘଟଣାରେ ପୁଲିସ ଡିଜି ଅଭୟ ଟୁଇଟ୍ କରି ପୀଡ଼ିତାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।

ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଥାନା ଅଧିକାରୀ ଆନନ୍ଦ ମାଝୀ ବର୍ତ୍ତମାନ କ୍ର‌ାଇମବ୍ରାଞ୍ଚ ହେପାଜତରେ ଓ ତାଙ୍କୁ ଅଦାଲତରେ ହାଜର କରାଯିବା ଲାଗି ପ୍ରସ୍ତୁତି ଚାଲିଛି।  ଓଡ଼ିଶା ପୁଲିସ୍ ମହାନିର୍ଦେଶକ ଅଭୟ ଆଜି ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ | ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କୁ କ୍ରମାଗତ ଦୁଷ୍କର୍ମ ପରେ ସେ ଗର୍ଭବତୀ ଥିବା ବେଳେ ପୂବର୍ତନ ଥାନାଧିକାରୀ ମାଝୀଙ୍କ ନିର୍ଦ୍ଦେଶରେ ଗର୍ଭପାତ କରାଯାଇଥିଲା ।

ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ଚିକିତ୍ସା ସମୟରେ  ହିଁ ସତ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ | ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି |

ସମ୍ବନ୍ଧିତ ଖବର