ସୁନ୍ଦରଗଡ଼: ବହୁଦିନ ଧରି ପୁନର୍ବାସ, ଥଇଥାନ ସୁବିଧା ଦାବି କରି ଆସୁଥିବା ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାରର ବିବାହିତା ଝିଅମାନଙ୍କୁ ଉଭୟ କମ୍ପାନି ଓ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ରହିଛି। ପ୍ରତିବାଦରେ ଆଜି ସକାଳୁ ବିସ୍ଥାପିତ ମହିଳାମାନେ ଏକ ଶୋଭଯାତ୍ରାରେ ଯାଇ ଖଣି ବନ୍ଦ କରିଛନ୍ତି। ଫଳରେ ରେଳ ଯୋଗେ ଦର୍ଲିପାଲିସ୍ଥିତ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଓ ଛତିଶଗଡ଼ ଲାରାକୁ କୋଇଲା ପରିବହନ ବନ୍ଦ ରହିଛି। ପ୍ରାୟ ୨୫ ହଜାର ଟନ୍ କୋଇଲା ପରିବହନ ନ ହୋଇ ଖଣି ଷ୍ଟକୟାର୍ଡରେ ପଡ଼ି ରହିଛି।
ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଓ କମ୍ପାନି କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳରେ ପହଞ୍ଚି ନୀତିନିୟମ ଅନୁସାରେ ସୁବିଧା ଦିଆଯିବ ବୋଲି ବୁଝାଇଥିଲେ। କିନ୍ତୁ ଆନ୍ଦୋଳନକାରୀ ଲିଖିତ ପ୍ରତିଶ୍ରୁତି ଦେବାକୁ ଦାବି କରିଥିଲେ। ହେଲେ ଉପଜିଲ୍ଲାପାଳ ଏ ସମ୍ପର୍କରେ ଅଫିସରେ ଆଲୋଚନା କରିବା ବୋଲି କହିଥିଲେ, ଯାହାକୁ ଆନ୍ଦୋଳନକାରୀ ପ୍ରତ୍ୟାଖ୍ୟାନ କରି ଧାରଣାରେ ବସିଛନ୍ତି। ଦାବି ପୂରଣ ନେଇ ଲିଖିତ ସମ୍ମତି ନ ମିଳିବା ଯାଏ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି। ଆମକୁ ନ୍ୟାୟ ଦିଅ, ନହେଲେ ଗିରଫ କରି ଜେଲ ପଠାଅ ବୋଲି ସେମାନେ ଗର୍ଜିଥିଲେ।
ଉଲ୍ଲେଖଯୋଗ୍ୟ, ଏନଟିପିସି ଡୁଲିଙ୍ଗା କୋଇଲା ଖଣିରେ ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ବିସ୍ଥାପିତ ପରିବାରର ବିବାହିତା ଝିଅମାନେ ଥଇଥାନ ଓ ପୁନର୍ବାସ ଦାବିରେ ଦୀର୍ଘ ବର୍ଷେ ହେଲା ବିଭିନ୍ନ ସମୟରେ ପ୍ରତିବାଦ, ଧାରଣା ଦେଇ ଆସୁଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଟାଳି ଆସୁଛି। ଏପରିକି ଅନେକ ସମୟରେ ପୁଲିସ ଲଗାଇ ସେମାନଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରିଆସୁଥିବା ଅଭିଯୋଗ ହୋଇଛି। ଧାରା ୪(୧) ଲାଗୁ ହେବା ପୂର୍ବରୁ ବିସ୍ଥାପନ ନୀତି ଅନୁଯାୟୀ ୧୮ ବର୍ଷ ହୋଇଥିବା ଓ ବିବାହ କରି ନଥିବା ଏ ଝିଅମାନେ ସର୍ବେକ୍ଷଣ ତାଲିକାରେ ସାମିଲ ହୋଇଥିଲେ। ଅର୍ଥାତ ସର୍ବେକ୍ଷଣ ପରେ ସେମାନେ ବିବାହ କରିଥିଲେ। କିନ୍ତୁ ବିଳମ୍ବିତ ବିସ୍ଥାପନ ପ୍ରକ୍ରିୟା ମଧ୍ୟରେ କମ୍ପାନି ଓ ପ୍ରଶାସନ ବିସ୍ଥାପନ ତାରିଖକୁ ବାରମ୍ବାର ପରିବର୍ତ୍ତନ କରି ଅପଡେଟ ନାମରେ ବିବାହ କରୁଥିବା ଝିଅମାନଙ୍କୁ ତାଲିକାରୁ ବାଦ୍ ଦେଇ ଚାଲିଲେ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ପୁଅ ପରି ଝିଅମାନେ ମଧ୍ୟ ସମାନ ଅଧିକାର ପାଇବେ ବୋଲି ରାୟ ପ୍ରକାଶ କରିବା ଏବଂ ଓଡ଼ିଶା ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ସୂଚିତ କରିଥିଲେ। ଏହା ସତ୍ତ୍ବେ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ପୁନର୍ବାସ ଓ ଥଇଥାନ ସୁବିଧା ଦେବାକୁ ନା କରି ଦେଇଥିବା ଝିଅମାନେ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ନାହିଁ।