ରାଉରକେଲା: ଉଦିତନଗର ରେଭିନ୍ୟୁ କଲୋନିରେ ସରକାରୀ ପାଚେରୀ ଭଙ୍ଗାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ରାଉରକେଲା ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ସାହୁ, ରଘୁନାଥପାଲୀ, ସିଭିଲଟାଉନସିପ୍,ଟାଙ୍ଗରପାଲି ଆର୍ଆରଇଙ୍କ ସମେତ ତହସିଲ କର୍ମଚାରୀ ପହଞ୍ଚି ପାଚେରୀ ଭଙ୍ଗାକୁ ରୋକିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପାଚେରୀ ଭାଙ୍ଗୁଥିବା ମହିଳା ନେତ୍ରୀ ରଞ୍ଜିତା ମଲ୍ଲିକ ତାଙ୍କ ଭାଇ ରଜତ ମଲ୍ଲିକ ମାଜିଷ୍ଟ୍ରେଟ ଶ୍ରୀ ସାହୁଙ୍କୁ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ଡ୍ୟୁଟିରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଧମକ ଦେବାରୁ ଉଦିତନଗର ଥାନାରେ ରଞ୍ଜିତା ମଲ୍ଲିକ ଓ ତାଙ୍କ ଭାଇ ରଜତଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଉଦିତନଗର ଥାନା ଅଧିକାରୀ ସୁଦର୍ଶନ ପଣ୍ଡା କହିଛନ୍ତି।
ରାଉରକେଲା ତହସିଲଦାର ତଥା ମାଜିଷ୍ଟ୍ରେଟ ଶ୍ରୀ ସାହୁଙ୍କ ଲିଖିତ ଏତଲା ଆଧାରରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅପରପଟେ ରଞ୍ଜିତା ମଲ୍ଲିକ ସରକାରୀ ଜାଗା ତାଙ୍କ ବାପାଙ୍କ ବୋଲି ଦାବି କରିଛନ୍ତି। ତହସିଲଦାର ତାଙ୍କୁ ଏବଂ ତାଙ୍କ ଭାଇକୁ ଗାଳିଗୁଲଜ କରିଥିବା ଉଦିତନଗର ଥାନାରେ ପାଲଟା ଅଭିଯୋଗ କରିଥିଲେ। ମାତ୍ର ରଞ୍ଜିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ରାଉରକେଲା ଟାଉନ ୟୁନିଟ୍ ୪୩ର ଉଦିତନଗର ରେଭିନ୍ୟୁ କଲୋନି ପ୍ଲଟ ନଂ ୭୫୬/ପି. ଖାତା ନଂ ୪୨୫ରେ ଖାଲି ପଡିଥିବା ସରକାରୀ ଜାଗାକୁ ପାଚେରୀ ଘେରା ଯାଇଛି।
ରଞ୍ଜିତା ମଲ୍ଲିକ ସେହି ଜାଗା ନିଜର ବୋଲି ଦାବି କରି ଜେସିବି ଲଗାଇ ପାଚେରୀକୁ ଭାଙ୍ଗୁଥିଲେ। ଖବର ପାଇ ରାଉରକେଲା ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ସାହୁ, ରଘୁନାଥପାଲୀ ଆର୍ଆଇ ଶ୍ରୀକାନ୍ତ ପାତ୍ର, ଟାଙ୍ଗରପାଲି ଆର୍ଆଇ ସୁଦୀପ ପଟେଲ, ସିଭିଲଟାଉନସିପ୍ ଆର୍ଆଇ ପ୍ରଭାତ ଡାଙ୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଆଇନ ଭାବେ ସରକାରୀ ପାଚେରୀଙ୍କୁ ନ ଭାଙ୍ଗିବାକୁ ରଞ୍ଜତାଙ୍କୁ କହିଥିଲେ। କିନ୍ତୁ ସେ ଶୁଣି ନଥିଲେ। ତହସିଲଦାର ଶ୍ରୀ ସାହୁଙ୍କ କହିବା ଅନୁଯାୟୀ ଓଲଟା ତାଙ୍କୁ ‘ ତୁମେ କିଏ, କାହିଁକି ଏଠାକୁ ଆସିଛ ? ତୁମର ପରିଚୟ ଦେଖାଏ, ଏମିତି ଅନେକ ପ୍ରଶ୍ନ କରିବା ସହ ରଞ୍ଜିତା ତାଙ୍କୁ ଧମକ ଚମକ ଦେଇଥିଲେ। ଡ୍ୟୁଟିରେ ଥିବା ଅନ୍ୟ ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଯଦି ଏଠାରୁ ନ ଯିବେ ତାଙ୍କୁ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ। ଯାହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଦିତନଗର ପୁଲିସ ପହଞ୍ଚି ପାଚେରୀ ଭଙ୍ଗା କାର୍ଯ୍ୟକୁ ବନ୍ଦ କରିବା ସହ ସ୍ଥିତି ଶାନ୍ତ ପଡିଥିଲା।