ଡିଏମ୍‌ଏଫ୍‌ ଫାଣ୍ଠିର ଦୁରୁପଯୋଗ ହେଉଛି

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିର ଦୁରୁପଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପାଣ୍ଠିର ସଠିକ୍‌ ବିନିଯୋଗ କରାଯାଉ ନାହିଁ। ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଗଠନ କରାଯାଇଛି, ତାହା କୌଣସି କାମରେ ଆସୁନି। ଆଜି ପର୍ଯ୍ୟନ୍ତ ଖଣି ଅଞ୍ଚଳଲୋକେ ବିକାଶର ପାଦଚିହ୍ନ ଦେଖି ପାରି ନାହାନ୍ତି। ନିରୀହ ଆଦିବାସୀଙ୍କ ବିକାଶରେ ପାଣ୍ଠି ଯେତିକି ଖର୍ଚ୍ଚ ହେବା କଥା, ସେତିକି ହେଉ ନାହିଁ। ସୁନ୍ଦରଗଡ ଜିଲ୍ଲାରେ ବିକାଶ ନାଁରେ ଡିଏମ୍‌ଏଫ୍‌ ପାଣ୍ଠିକୁ ବାଟମାରଣା କରାଯାଉଛି। ଏହା ବିରୋଧରେ ଝାଡ଼ଖଣ୍ଡ ମୋକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ। ଏଥିପାଇଁ‌ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି କହିଛନ୍ତି ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା।

ରବିବାର ଜେଏମ୍‌ଏମ୍‌ ପକ୍ଷରୁ ଆୟୋଜିତ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହାଁସଦା କହିଛନ୍ତି ଖଣି ଅଞ୍ଚଳରେ ଲୋକ କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଅଧିକାଂଶ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ଏମାନଙ୍କ ବିକାଶରେ ଜିଲ୍ଲା ଖଣିଜ ପାଣ୍ଠିକୁ ଖର୍ଚ୍ଚ କରିବା ପରିବର୍ତ୍ତେ ପିସିଆର୍‌ ଭ୍ୟାନ୍‌ ସହ ଅନ୍ୟାନ୍ୟ କାମରେ ବିନିଯୋଗ କରାଯାଉଛି। ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ବିରୋଧୀ। ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଜେଏମ୍‌ଏମ୍‌ର ରାଜ୍ୟ ସଭାନେତ୍ରୀ ଅଞ୍ଜଳି ସୋରେନ କହିଛନ୍ତି ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀଙ୍କ ବିକାଶକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ବର୍ଷ ବର୍ଷ ଧରି ବିସ୍ଥାପିତଙ୍କ ଦୁଃଖ ଘୁଞ୍ଚୁନି। ବିକାଶର ନାଁ ଆଦିବାସୀ ଶୋଷଣ କରାଯାଉଛି। ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକଳାପ ବିରୋଧରେ ଜେଏମ୍ଏମ୍‌ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବ। ଆଦିବାସୀଙ୍କୁ ନ୍ୟାୟ ଦେବାକୁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି, ପବନ ସିଂହ, ଲେଥା ତିର୍କୀ, ପାତ୍ରାସ ଏକ୍କା, ଜିତେନ୍ଦ୍ର ମହାନ୍ତ, ଦୀପକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର