ରାଉରକେଲା : ରାଉରକେଲା ଛେଣ୍ଡ କଳିଙ୍ଗବିହାର କୋ-ଅପରେଟିଭ୍ କଲୋନୀ ଡି/୪୮ ଘରେ ଏକତ୍ର ରହୁଥିବା ଜଣେ ଶିକ୍ଷୟିତ୍ରୀ ଓ ଜଣେ କଲେଜ୍ ଛାତ୍ରୀଙ୍କ କ୍ଷତ-ବିକ୍ଷତ ଗଳିତ ଶବ ପୁଲିସ୍ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ପରୀକ୍ଷା-ନିରୀକ୍ଷା କରି ଫେରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତି ଅନୁଯାୟୀ ହତ୍ୟାକାରୀ ଉଭୟଙ୍କୁ ହତ୍ୟା କରିବା ପରେ ଭିତର ପଟୁ ଗ୍ରୀଲ୍ରେ ତାଲାଦେଇ ଫେରାର୍ ହୋଇଯାଇଛି। ଶିକ୍ଷୟିତ୍ରୀଙ୍କ ସହ ଏକତ୍ର ରହି ଆସୁଥିବା (ଲିଭ୍ ଇନ୍ ରିଲେସନ୍ସିପ୍) ତଥା ସିଭିଲ୍ ଟାଉନ୍ସିପ୍ରେ ଟ୍ରାଭେଲ୍ ଏଜେନ୍ସି ଖୋଲିଥିବା ବ୍ରଜ ସୁନ୍ଦର ସାହୁ (୫୦) ଏହି ଦୁଇ ଜଣଙ୍କ ହତ୍ୟାକାରୀ ବୋଲି ପୁଲିସ୍ ଅନୁମାନ କରୁଛି। ନିହତ ଶିକ୍ଷୟିତ୍ରୀ ଇଷ୍ଟର୍ ଲେଙ୍କା (୪୯) ଓ ଛାତ୍ରୀ ମଧୁସ୍ମିତା ସାହୁ (୧୭)ଙ୍କ ପରିବାର ଲୋକେ କେବଳ ବ୍ରଜଙ୍କୁ ହିଁ ସନ୍ଦେହ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଦିନ ଧରି ବ୍ରଜଙ୍କୁ କୌଣସି ପଡ଼ୋଶୀ ଦେଖିନଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅପ୍ ରହିଛି। ତେଣୁ ତାଙ୍କ ପ୍ରତି ସନ୍ଦେହ ଘନୀଭୂତ ହୋଇଛି। ତାଙ୍କୁ ଧରିବା ପାଇଁ ପୁଲିସ୍ ତାଙ୍କ ମୋବାଇଲ୍ ଫୋନ୍ ଟ୍ରାକିଂ କରୁଥିବା ସୂଚନା ମିଳିଛି। ଗତ ୨୫ ତାରିଖ ସନ୍ଧ୍ୟାରେ ଇଷ୍ଟର୍ଙ୍କ ସହ ଲେବର୍ଟେନ୍ମେଣ୍ଟ୍ ନିବାସୀ ତାଙ୍କ ଭାଇ ସନ୍ତୋଷ ଫୋନ୍ରେ କଥାବାର୍ତ୍ତା କରିଥିଲେ। ୨୬ ତାରିଖରୁ ତାଙ୍କ ସହ ଆଉ ଯୋଗାଯୋଗ ନଥିବାରୁ ୨୫ ତାରିଖ ରାତି ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ତୋଷ ଅନୁମାନ କରୁଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ସଂଗ୍ରହ କରିଥିବା ପ୍ରାମାଣିକ ତଥ୍ୟ ଅନୁଯାୟୀ ଇଷ୍ଟର୍ଙ୍କ ବେକକୁ କଟାଯାଇଥିବା ବେଳେ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି। ଆତତାୟୀ ମଧୁସ୍ମିତାଙ୍କ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କରି ମାରିଥିବା ଜଣାପଡୁଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ଚିତ୍ର ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି।
ବେଦବ୍ୟାସ ନିକଟବର୍ତ୍ତୀ ଫାର୍ସାଟୋଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଇଷ୍ଟର ଲେଙ୍କା (୪୯) ଛେଣ୍ଡ କଳିଙ୍ଗ ବିହାରସ୍ଥିତ ନିଜ ଡି/୪୮ କ୍ୱାର୍ଟର୍ସରେ ରହୁଥିଲେ। ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ପରେ ଇଷ୍ଟର୍ କ୍ରମଶଃ ବ୍ରଜଙ୍କ ସଂସ୍ପର୍ଶରେ ଆସିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଇଷ୍ଟର ଓ ବ୍ରଜ ମନ୍ଦିରରେ ବିବାହ କରି ୨୦୦୨ରୁ ଉଭୟ ଏକତ୍ର ଡି/୪୮ ଘରେ ରହୁଥିଲେ। ଘଟଣାକ୍ରମେ ବ୍ରଜଙ୍କ ଭାଣିଜୀ ମଧୁସ୍ମିତାଙ୍କୁ ଏଠାରେ ପାଠ ପଢ଼ିବା ପାଇଁ ଉଭୟ ବ୍ରଜ ଓ ଇଷ୍ଟର୍ ସାଲେପୁରରୁ ଡାକିଥିଲେ। ଦୁଇ ବର୍ଷ ତଳେ ଏଠାକୁ ଆସିଥିବା ମଧୁସ୍ମିତା ବେଦବ୍ୟାସ କଲେଜରେ ନାମଲେଖାଇ ପଢ଼ୁଥିଲେ। ସେପଟେ ମୋଟର ପାର୍ଟ୍ସ ଦୋକାନଠାରୁ ଆରମ୍ଭ କରି ଟ୍ରାଭେଲ୍ ଏଜେନ୍ସି ଆଦି ବିଭିନ୍ନ ବ୍ୟବସାୟରେ ଅସଫଳ ବ୍ରଜ କେବଳ ଯେ ଇଷ୍ଟର୍ଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ ତାହା ନୁହେଁ, ବରଂ ନୂଆ ବ୍ୟବସାୟ ପାଇଁ ସେ ଇଷ୍ଟର୍ଙ୍କଠାରୁ ମୋଟା ଅଙ୍କର ଟଙ୍କା ଦାବି କରିଆସୁଥିଲେ। ଏପରିକି ଇଷ୍ଟର୍ ତାଙ୍କ ଡି/୪୮ ଘର ବିକ୍ରି କରି ଟଙ୍କା ଦେବାକୁ ବ୍ରଜ ବାରମ୍ବାର ତାଗିଦ୍ କରୁଥିଲେ ବୋଲି ଇଷ୍ଟର୍ଙ୍କ ଭାଇ ସନ୍ତୋଷ କହିଛନ୍ତି। ଅପର ପକ୍ଷରେ ପ୍ରଥମ ସ୍ୱାମୀଙ୍କ ଆଡୁ ଜନ୍ମିତ ଝିଅ ଓ ପୁଅର ଦାୟିତ୍ୱ ବୁଝୁଥିବା ଇଷ୍ଟର୍ ସେମାନଙ୍କ ଆବ୍ୟାକତା ନିଜ ଦରମାରୁ ଭରଣା କରୁଥିଲେ; ଯାହାକୁ ବ୍ରଜ ତୀବ୍ର ବିରୋଧ କରିଆସୁଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା।
ଇଷ୍ଟର୍ଙ୍କ ଅକାଳ ବିୟୋଗରେ ମର୍ମାହତ ସହକର୍ମୀମାନେ କହିଛନ୍ତି ଯେ ପ୍ରଥମ ସ୍ୱାମୀଙ୍କ ଆଡୁ ଜନ୍ମିତ ଝିଅର ବିବାହ ପାଇଁ ଇଷ୍ଟର୍ ବର୍ଷେ ତଳେ ଯଥାସାଧ୍ୟ ବ୍ୟୟ କରିଥିବା ବେଳେ ପୁଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏବେ କୋଲକାତାର କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ। ତାଙ୍କ ଚିକିତ୍ସା ଲାଗି ୪ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଇଷ୍ଟର୍ ତାହା ଯୋଗାଡ଼ କରିଥିଲେ। ଏପରିକି ଟଙ୍କା ଧରି ସେ ୨୬ ତାରିଖରେ କୋଲକାତା ଯିବାକୁ ମଧ୍ୟ ପ୍ରସ୍ତୁତି ନେଇଥିଲେ। ସେ ଗତକାଲି କୋଲକାତାରେ ନ ପହଞ୍ଚିବାରୁ ଅପେକ୍ଷାରତ ରୋଗାକ୍ରାନ୍ତ ପୁଅ ଇଷ୍ଟର୍ଙ୍କୁ ବାରମ୍ବାର ଫୋନ୍ କରି ନିରାଶ ହେବା ପରେ ମାମୁଁ ସନ୍ତୋଷ ଓ ମା’ଙ୍କ ପ୍ରତିବେଶୀଙ୍କୁ ଜଣାଇଥିଲେ। ତେବେ ଇଷ୍ଟର୍ଙ୍କ ଘର ଗ୍ରୀଲ୍ରେ ତାଲା ଝୁଲୁଥିବା ପଡ଼ୋଶୀମାନେ ଜଣାଇବାରୁ ପୁଅ ଶେଷରେ ମାମୁଁ ସନ୍ତୋଷଙ୍କୁ ଖବର ଦେଇଥିଲେ। ସନ୍ତୋଷ ତାହା ଦେଖିବାକୁ ଆସିଥିବା ବେଳେ ଘରୁ ଦୁର୍ଗନ୍ଧ ଆସୁଥିବା ବାରିଥିଲେ। ଏହା ପରେ ସେ ଓ ପଡ଼ୋଶୀ ଗତକାଲି ରାତି ଛେଣ୍ଡ ଥାନାକୁ ଖବର ଦେଇଥିଲେ।
ଆଜି ସକାଳେ ସମ୍ପର୍କୀୟମାନଙ୍କ ସାମ୍ନାରେ ପୁଲିସ ଗ୍ରୀଲ୍ ତାଲା ଖୋଲି କୋଠରୀ ମଧ୍ୟରୁ ଦୁଇ ଜଣଙ୍କ ଶବ ଉଦ୍ଧାର କରିଥିଲେ। ଏସ୍ପି ଉମା ଶଙ୍କର ଦାଶ ସଦଳବଳ ଘଟଣାସ୍ଥଳ ପରିଦର୍ଶନ କରି ହତ୍ୟାକାରୀକୁ ଗିରଫ ପାଇଁ କୌଶଳ ଟିପ୍ସ ଦେଇଥିବା ଜଣାପଡ଼ିଛି। ଶିକ୍ଷକତା କରୁଥିବା ଇଷ୍ଟର୍ଙ୍କ ପାଖରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଥିଲା। ପୁଅ ଚିକିତ୍ସା ପାଇଁ ଘରେ ନଗଦ ୪ ଲକ୍ଷ ଟଙ୍କା ବି ଥିଲା। ତେଣୁ ଅଳଙ୍କାର ଓ ଟଙ୍କା ପାଇଁ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି।