ଅକ୍ଷିମୁଠି ପରେ ଶୁଖିଲା ପଡିଛି ବିଲ

କୁତ୍ରା: ଅକ୍ଷୟ ତୃତୀୟାରେ ଚାଷୀ ଅକ୍ଷି ମୁଠି ଅନୁକୂଳ କରିସାରିଛନ୍ତି। ବିଲ ହଳ କରି ଧାନ ବୁଣା ସରିଥିଲେ ହେଁ ବର୍ଷା ନ ହେବାରୁ ଚାଷ କାର୍ଯ୍ୟ ଅଧାରେ ଲାଖିଛି। ବର୍ଷା ନ ହେବାରୁ କୌଣସି ନଈ, ନାଳରେ ପାଣି ନଥିବାରୁ ଚାଷୀଙ୍କୁ ନିରାଶ ହେବାକୁ ପଡ଼ିଛି। ସେମାନେ ଏବେ ମୌସୁମୀ ବର୍ଷାକୁ ଚାତକ ପରି ଅନେଇ ବସିଛନ୍ତି। ଚଳିତ ବର୍ଷ ମୌସୁମୀ କେବେ ଆସିବ ଚାଷକୁ ପର୍ଯ୍ୟାପ୍ତ ହେବକି ନାହିଁ ବୋଲି ଚାଷୀକୂଳ ଚିନ୍ତିତ ଅଛନ୍ତି। ଅନାବୃଷ୍ଟି ସହିତ ଚାଷୀଙ୍କୁ ବିହନ, ସାର ପାଇଁ ଚିନ୍ତା ଘାରିଛି। ଜୁନ ମାସ ଅଧା ହେବାକୁ ବସିଲାଣି କୁତ୍ରା ବ୍ଲକରେ ବର୍ଷାର ଦେଖା ନାହିଁ। ଟାଣ ଖରା ଯୋଗୁ ଚାଷୀଙ୍କ ଜମିରେ ହଳ ବୁଲି ପାରୁନି। ଶୀତଳଷଷ୍ଠୀ ପରେ ପରେ ପ୍ରତି ବର୍ଷ ଅର୍ଦ୍ଧାଧିକ ଚାଷ ଜମିରେ ଧାନ ବୁଣା ସରି ଯାଉଥିବା ବେଳେ ଚଳିତ ବର୍ଷ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି। ବର୍ଷା ହେଉନଥିବାରୁ ଗାଁ ମାନଙ୍କରେ ପୋଖରୀ ସବୁ ଖେଳ ପଡ଼ିଆ ପାଲଟିଛି। ଚଳିତ ବର୍ଷ ପ୍ରତି ବ୍ଲକରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ କୁତ୍ରା ବ୍ଲକରେ ଏହା ହୋଇ ନଥିବାରୁ ବିଲରେ ଧାନ ଗଜା ହୋଇ ପାରିନି। ଖାସ କରି ପାଣିପାଗରେ ବିଭ୍ରାଟ ସହ ପରିବେଶ ପ୍ରଦୂଷଣ ଓ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷୀଙ୍କ କହିବା କଥା ଗତ ବର୍ଷ ଏହି ସମୟରେ ଧାନ ପହ୍ଲା ପକାଇଥିଲେ। ତେବେ ପହ୍ଲା ପକାଇବାରେ ବିଳମ୍ବ ହେଲେ ଧାନ ଅମଳ କମିଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର