ସୁନ୍ଦରଗଡ଼ : ଆଜି ମହାମାରୀ କରୋନା ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ମୁଣ୍ଡ ନେଇଛି। ଅପରାହ୍ନ ସାଢ଼େ ୫ଟାରେ ଆଖି ବୁଜିଛନ୍ତି ସବଡେଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ ଏକ୍କା (୩୯)। ଜଣେ ସୁନାମଧନ୍ୟ, କର୍ମନିଷ୍ଠ ଅଧିକାରୀ ଭାବେ ପରିଚିତ ଓ ରାଜ୍ୟସ୍ତରରେ ପୁରସ୍କୃତ ଏହି ଅଧିକାରୀଙ୍କ ମୃତ୍ୟୁ ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି। ସବୁଠାରୁ ହୃଦୟବିଦାରକ କଥାଟି ହେଲା, ୧୧ ବର୍ଷ ତଳେ ବିବାହ କରିଥିବା ମୃତ ଅଜୟଙ୍କ ପତ୍ନୀ ଅନିମା ମିଞ୍ଜ ଏବେ ୭ ମାସର ଗର୍ଭବତୀ। ଆଉ ୩ ମାସ ପରେ ଘରକୁ ନୂଆ ଅତିଥି ଆସିବ ବୋଲି ୧୧ ବର୍ଷ ଧରି ନିଃସନ୍ତାନ ଥିବା ଅଜୟ ଓ ଅନିମା ବହୁତ ଖୁସିରେ ଥିଲେ। କିନ୍ତୁ ସେ ନୂଆ ଅତିଥିର ଟିକି ମୁହଁକୁ ଦେଖିବାକୁ ଅଜୟ ଆଉ ରହିଲେ ନାହିଁ। ଅନ୍ତଃସତ୍ତ୍ବା ଅନିମା ଏବେ ଏକା, ତାଙ୍କ ପାଦ ତଳୁ ମାଟି ଖସିଯାଇଛି ଯେମିତି। ସ୍ବର୍ଗତ ଏକ୍କା କିଛି ଦିନ ତଳେ କରୋନା ସଂକ୍ରମଣ ଚିହ୍ନଟ ହୋଇ ଅସୁସ୍ଥ ହେବା ପରେ ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିବା ଓ ଅକ୍ସିଜେନ୍ ସ୍ତର ଖସିଥିଲା। ଅକ୍ସିଜେନ୍ ଲଗାଇବା ପରେ ସେ ସୁସ୍ଥ ଅନୁଭବ କରିଥିଲେ। କିନ୍ତୁ ଆଜି ଅପରାହ୍ନ ୫ଟାରେ ହଠାତ ଗୁରୁତର ହୋଇପଡ଼ିଥିଲେ। ରାଉରକେଲା ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଥିବା ବେଳେ ଠିକ୍ ସାଢ଼େ ୫ଟାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବାଲିଶଙ୍କରା ବ୍ଳକ୍ ଲୁଲୁକିଡିହିର ଅତି ଗରିବ ଆଦିବାସୀ ପରିବାରରୁ ଆସିଥିବା ଅଜୟ ବହୁ ସଂଘର୍ଷ କରି ଆଗକୁ ବଢ଼ିଥିଲେ। ୨୦୧୩ରେ ସେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକରେ ନିଯୁକ୍ତି ପାଇଥିଲେ। ଶିକ୍ଷା ପ୍ରତି ତାଙ୍କ ସମର୍ପଣ ଭାବ ଯୋଗୁଁ ୨୦୧୯ରେ ରାଜ୍ୟର ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଗାରିମା ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସମେତ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣସମ୍ପାଦକ ଗୋବିନ୍ଦଚନ୍ଦ୍ର ସୁଆର ଓ ସଂଘର ଅନ୍ୟ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିଛନ୍ତି।
କରୋନାରେ ଆଖି ବୁଜିଲେ ସବଡେଗା ଶିକ୍ଷା ଅଧିକାରୀ, ଘରେ ୭ ମାସର ଅନ୍ତଃସତ୍ତ୍ବା ପତ୍ନୀ
/sambad/media/post_attachments/wp-content/uploads/2021/05/WhatsApp-Image-2021-05-20-at-21.21.58.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)