କୋଇଡ଼ା: ରାସ୍ତା ଦୁର୍ଦଶାରେ ଘାଣ୍ଟି ହେଉଥିବା ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାବାସୀଙ୍କ ପାଇଁ ଆଉ ଏକ ନୂଆ ଚିନ୍ତା ଘାରିଛି। କୋଇଡ଼ା ଇଲାକାରେ ଏବେ ଏକ ହାତୀ ଦଳ ଆତଙ୍କରାଜ ଚଳାଇଛନ୍ତି। ହାତୀ ଜନପଦରେ ଘୁରି ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଜି ଭୋର୍ରେ ହାତୀ ଆକ୍ରମଣରେ ମାଲଦା ପଞ୍ଚାୟତ ମୁଣ୍ଡାଯୋଡା ଗ୍ରାମରେ ଜଣଙ୍କ ମୃତ୍ୟୁ ଏବଂ ଗଣୁଆ ଗ୍ରାମର ଜଣେ ଗୁରୁତର ଆହତ ହୋଇଛନ୍ତି।
ମଣ୍ଡଯୋଡା ଗ୍ରାମର ଚୈତନ ମୁଣ୍ଡା (୪୯) ଆଜି ଭୋର୍ ୬ଟା ସମୟରେ ପାଣି ଆଣିବାକୁ ନିକଟସ୍ଥ ଝରଣାକୁ ଯାଇଥିଲେ। ସେଠାରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ଦଳି ଦେବା ପରେ ଝରଣା କୂଳରେ ଫୋପାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲା। ପୁଣି ପୂର୍ବାହ୍ନ ୯ଟା ସମୟରେ ଗଣୁଆ ଗାଁର ବାଇଧର ନାଏକ ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ କୋଇଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ହାତୀ କୋଇଡ଼ା ବଜାର ଇଲାକାରେ ପଶିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କୋଇଡା ନିକଟସ୍ଥ ନୂଆଗାଁ ଠାରେ ହାତୀ ପଶିବାରୁ ଲୋକେ ଗତକାଲି ରାତିସାରା ଉଜାଗର ରହିବାକୁ ବାଧ୍ୟ ହୋଇଥିଲେ। ରାସ୍ତାର ଦୁରବସ୍ଥା ପାଇଁ କୋଇଡ଼ାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏବେ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
କୋଇଡ଼ାରେ ହାତୀ ଆତଙ୍କ: ଜଣେ ମୃତ
/sambad/media/post_attachments/wp-content/uploads/2019/07/rkl-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)