ରାଉରକେଲା: ଅବାଧ ଜଙ୍ଗଲ କଟାରୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ। କେତେବେଳେ କାନ୍ଥଭାଙ୍ଗି ଘରେ ଭିତରେ ପଶୁଛନ୍ତି ତ ଅନ୍ୟ କେତେବେଳେ ଏକର ଏକର ଧାନ ଓ ପନିପରିବା ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଝାଳବୁହା ପରିଶ୍ରମ କରୁଥିବା ଚାଷୀଟିଏ ସର୍ବସ୍ବାନ୍ତ ହେଉଛି। ଉଜୁଡିଯାଉଛି ତା’ର ସୁନାର ଫସଲ। କେଉଁ ଚାଷୀର ଲକ୍ଷଲକ୍ଷ ଟଙ୍କାର ପନିପରିବା ଫସଲ ନଷ୍ଟ ହୋଇଯାଉଛି। ପୁଣି ଅନ୍ୟ କେଉଁ ଚାଷୀର ଏକର ଏକର ଧାନ କ୍ଷେତ ଉଜୁଡିଯାଉଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ବର୍ଷ ତମାମ ଜାରି ରହିଥିବା ହାତୀପଲଙ୍କ ଉପଦ୍ରବ ରୋକିବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି।

Advertisment

ଆବଶ୍ୟକ ସୋଲାର ଫେନ୍‌ସିଂ ଅବା ଟ୍ରେଞ୍ଚ ଖୋଳାଯାଉ ନଥିବାରୁ ବର୍ଷ ତମାମ ଆଦିବାସୀ ଚାଷୀଙ୍କୁ ଏହାର ଫଳ ଭୋଗିବାକୁ ପଡୁଛି। ଅବଶ୍ୟ କ୍ଷତିପୂରଣ ବାବଦରେ ସମୁଦ୍ରକୁ ‌ଶଙ୍ଖେ ଭଳି ବନବିଭାଗ କିଛି ଆର୍ଥିକ ସହାୟତା ପ୍ରଦାନ କରି କାମସାରି ଦେଉଛି। ହେ‌ଲେ ଜିଲ୍ଲାରେ ହାତୀ ଦାଉରୁ ଚାଷୀଙ୍କ ‌କ୍ଷେତକୁ କିପରି ରକ୍ଷା କରାଯାଇପାରିବ, ତାର କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ ଜିଲ୍ଲାରେ ଗତ ୩୧ ମାସ (୨୦୨୧ ଜାନୁଆରିରୁ ୨୦୨୩ ଜୁଲାଇ) ମଧ୍ୟରେ ହାତୀପଲ ମୋଟ ୧୭୬୦ ଏକର ଧାନ ଓ ପନିପରିବା କ୍ଷେତ ନଷ୍ଟ କରିଛନ୍ତି। ଅର୍ଥାତ୍ ହାତୀପଲ ଜିଲ୍ଲାରେ ମାସକୁ ହାରାହାରି ୫୭ ଏକର ଫସଲ ଉଜାଡ଼ୁଛନ୍ତି। ଏହି ସମୟ ମଧ୍ୟରେ ମୋଟ ୪,୧୦୮ ଜଣ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଜିଲ୍ଲାର ତିନି ବନଖଣ୍ଡ ଯଥା ରାଉରକେଲା, ବଣାଇ ଓ ସୁନ୍ଦରଗଡ଼ ମଧ୍ୟରୁ ବଣାଇ ବନଖଣ୍ଡରେ ହାତୀପଲ ସର୍ବାଧିକ କ୍ଷୟକ୍ଷତି କରିଛନ୍ତି। ବଣାଇରେ ଗତ ୩୧ ମାସରେ ମୋଟ ୯୪୫. ୫୪୯୩ ଏକର ପନିପରିବା ଓ ଧାନ କ୍ଷେତ ଉଜାଡ଼ିଛନ୍ତି। କ୍ଷତିଗ୍ରସ୍ତ ହୋଇଛନ୍ତି ୨,୫୧୪ ଚାଷୀ। ଏମାନଙ୍କ ମଧ୍ୟରେ ବଣାଇ ଓ ଲହୁଣିପଡ଼ା ବ୍ଲକ୍‌ରେ ଅଧିକାଂଶ ଚାଷୀ ଅଛନ୍ତି। ଯେଉଁମାନଙ୍କର ଏକର ଏକର ପନିପରିବା ଓ ଧାନ କ୍ଷେତକୁ ହାତୀପଲ ଉଜାଡିଦେଇଛନ୍ତି। ଗତ ୨୦୨୧ରେ ୧୧୭୭ ଚାଷୀଙ୍କର ୪୭୭.୮୧ ଏକର ଫସଲ ନଷ୍ଟ ହୋଇଥିବାବେଳେ ୨୦୨୨ରେ ୧୩୧୧ ଚାଷୀଙ୍କର ୪୫୮.୯୫୪୨ ଏକର ଫସଲ ନଷ୍ଟ ହୋଇଛି।

୨୦୨୩ ଜୁଲାଇ ଶେଷ ସୁଦ୍ଧା ୨୬ ଜଣ ଚାଷୀଙ୍କ ୮.୭୮ ଏକର ଚାଷ ଓ ପରିବାର କ୍ଷେତ ନଷ୍ଟ ହୋଇଛି। ରାଉରକେଲା ବନଖଣ୍ଡରେ ଗତ ୩୧ ମାସରେ ୧୩୯୩ ଚାଷୀଙ୍କର ୭୦୧.୫୧ ଏକର ଫସଲ ଓ ଧାନ କ୍ଷେତ ନଷ୍ଟ ହୋଇଛି। ୨୦୨୧ରେ ହାତୀପଲ ୬୮୨ ଚାଷୀଙ୍କର ୩୦୮. ୧୯୭ ଏକର ପନିପରିବା ଓ ଧାନ ଫସଲ ନଷ୍ଟ କରିଛନ୍ତି। ୨୦୨୨ରେ ୭୦୨ ଚାଷୀଙ୍କର ୩୮୫.୫୬୨ ଏକର ଧାନ ଓ ପନିପରିବା ଫସଲ ଖାଇବା ସହ ଦଳିଚକଟି ମାଟିରେ ମିଶାଇ ଦେଇଛନ୍ତି। ୨୦୨୩ ଜୁଲାଇ ଶେଷ ସୁଦ୍ଧା ୯ ଚାଷୀଙ୍କର ୭ .୭୫୧ ଏକର ଚାଷ ଉଜୁଡ଼ିଯାଇଛି। ସେମିତି ସୁନ୍ଦରଗଡ଼ ବନଖଣ୍ଡରେ ୨୦୧ ଚାଷୀଙ୍କର ୧୧୦ ଏକର ଫସଲ ଉଜୁଡ଼ିଯାଇଛି। ୨୦୨୧ରେ ୧୦ ଚାଷୀଙ୍କର ପ୍ରାୟ ୩ ଏକର ଫସଲ ନଷ୍ଟ ହୋଇଛି। ୨୦୨୨ରେ ୧୯୦ ଚାଷୀଙ୍କର ୧୦୭ ଏକରରୁ ଅଧିକ ପନିପରିବା ଓ ଧାନ ଫସଲ ନଷ୍ଟ କରିଛନ୍ତି। ୨୦୨୩ ଜୁଲାଇ ଶେଷ ସୁଦ୍ଧା ଜଣେ ଚାଷୀଙ୍କର ୦.୪୭୨ ଏକର ଫସଲ ନଷ୍ଟ ହୋଇଛି।