ସୁନ୍ଦରଗଡ଼: ପୁଣି ବିଦ୍ୟାଳୟ ରୋଷେଇ ଘର ଭାଙ୍ଗି ଚାଉଳ ଖାଇଲା ଦନ୍ତା

କୁତ୍ରା: ବିଦ୍ୟାଳୟର ରୋଷେଇ ଘର ଭାଙ୍ଗି ଦନ୍ତା ହାତୀ ପୁଣି ଥରେ ଚାଉଳ ଖାଇଛି। ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ଅନ୍ତର୍ଗତ ପଞ୍ଚରା ଗ୍ରାମରେ କିଛି ଦିନ ହେବ ହାତୀପଲଙ୍କ ଉତ୍ପାତ ଜାରି ରହିଥିବା ବେଳେ ଶୁକ୍ରବାର-ଶନିବାର ରାତି ପଞ୍ଚରା ନିକଟ କୁଲସର ପ୍ରାଥମିକ ବିଦ୍ୟାଳୟରେ ଏକ ଦନ୍ତା ହାତୀ  ବିଦ୍ୟାଳୟ ପରିସରକୁ ଆସି କାନ୍ଥ ଭାଙ୍ଗି ଚାଉଳ ଖାଇବା ସହ ରୋଷେଇ ସାମଗ୍ରୀ ଦଳାଚକଟା କରିଛି।

ରାତିରେ ଗ୍ରାମର ଜନସାଧାରଣ ହାତୀର ଶବ୍ଦ ଶୁଣି ଦଳବଳ ଭାବେ ହାତୀକୁ ଜଙ୍ଗଲ ଆଡକୁ ଘଉଡାଇ ନେଇଥିଲେ। ଖବରପାଇ ସକାଳେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଆସି ଭଙ୍ଗାଘର ଭିତରୁ ରୋଷେଇ ସାମଗ୍ରୀ ଗୋଟାଗୋଟି କରୁଥିବା ଦେଖା ଯାଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ଆସି ଦନ୍ତାର ଗତିବିଧି ଉପରେ ନଜର ରଖିଛନ୍ତି। ପ୍ରକାଶ ଥାଉକି ଦୀର୍ଘ ଗୋଟିଏ ସପ୍ତାହରୁ ଅଧିକ ହେବ ଏହି ପଞ୍ଚରା ଅଞ୍ଚଳରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଘର ଉପରେ ଆକ୍ରମଣ କରିବା ଦ୍ଵାରା ଗ୍ରାମରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ବନବିଭାଗର ସମସ୍ତ ଉଦ୍ୟମ ଫେଲ ମାରିବା ସହ ନାକେଦମ ହୋଇସାରିଲେଣି।  ବିଦ୍ୟାଳୟ ଚାରିପଟେ ପାଚେରୀ ନ ଥିବାରୁ ହାତୀଟି ବିଦ୍ୟାଳୟକୁ ପଶି ଘର ଭାଙ୍ଗିବାରେ ସମର୍ଥ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଶୀଘ୍ର ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ନିବେଦନ କରିଛନ୍ତି। ଅଞ୍ଚଳରେ ହାତୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ ଭାବେ ହାତୀ ଘଉଡେଇବା ପାଇଁ ଉପଯୁକ୍ତ ମାତ୍ରାରେ ଟର୍ଚ୍ଚଲାଇଟ, ବାଣ, ବାଜା ପ୍ରଭୃତି ଆଧୁନିକ ଯନ୍ତ୍ରପାତି ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର