ବିଷ ଦିଆ ତୀର, ବିଦ୍ୟୁତ ଦ୍ୱାରା ହାତୀ ମରାଯାଇଥିଲା

ହାତୀ ଦାନ୍ତ ସହ ୨ ଅଭିଯୁକ୍ତ ଗିରଫ, ଦାନ୍ତ କାଟି ନେଇ ପୋଖରୀରେ ପୋତି ଦେଇଥିଲେ

ବଣାଇଁଗଡ଼ : ରାଉରକେଲା ବନଖଣ୍ଡ ବାଙ୍କି ରେଞ୍ଜ ଅନ୍ତର୍ଗତ କେ.ବଲାଙ୍ଗ ସେକ୍ସନର ସାରସପୋଷ ଗ୍ରାମରେ ଗତ ମଙ୍ଗଳବାର ରାତିରେ ଧାନ ଫସଲ ଖାଇବାକୁ ଆସିଥିବା ହାତୀପଲ ମଧ୍ୟରୁ ୬-୭ବର୍ଷର ଅଣ୍ଡିରା ହାତୀକୁ ତୀର ମାଡ଼କରି ହତ୍ୟା କରିବା ଘଟଣାରେ ଛିଡାକୁଦର ଗ୍ରାମର ଚନ୍ଦନ ମୁଣ୍ଡା (୨୫) ଓ ସାରସପୋଷ ଗ୍ରାମର ଦୀନବନ୍ଧୁ ମୁଣ୍ଡା (୧୯)ଙ୍କୁୁ ପୁଲିସ ସହାୟତାରେ ବନ ବିଭାଗ ଗିରଫ କରିଛି। ସେମାନଙ୍କଠାରୁ ଦୁଇଟି ହାତୀ ଦାନ୍ତକୁ ମଧ୍ୟ ଜବତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ରାଜାମୁଣ୍ଡାସ୍ଥିତ ରେଞ୍ଜ ଅଫିସକୁ ଆଣି ବନ କର୍ମଚାରୀମାନେ ଜେରା କରୁଛନ୍ତି।

କେ.ବଲାଙ୍ଗ ଅଞ୍ଚଳରେ କିଛି ଦିନ ଧରି ଘୂରି ବୁଲୁଥିବା ୧୪ଟି ହାତୀ ସାରସପୋଷ ଗ୍ରାମକୁ ଆସି ଧାନ ଫସଲ ଖାଇ ନଷ୍ଟ କରୁଥିଲେ। ହାତୀଙ୍କ ଦାଉରୁ ଅମଳକ୍ଷମ ଧାନ ଫସଲକୁ ରକ୍ଷା କରିବା ପାଇଁ ଗ୍ରାମବାସୀମାନେ ପୂର୍ବରୁ ବିଦ୍ୟୁତ ତାର ବିଛାଇଥିଲେ। ଗତ ମଙ୍ଗଳବାର ରାତି ଆସିଥିବା ହାତୀପଲ ମଧ୍ୟରୁ ଏହି ଛୋଟ ହାତୀଟି ତାରରେ ଛନ୍ଦି ହେବା ପରେ ଅଭିଯୁକ୍ତମାନେ ବିଷାକ୍ତ ତୀର ମାରି ତାକୁ ଘାଇଲା କରିଥିଲେ। ହାତୀ ଶାବକଟି ପ୍ରାଣ ବିକଳରେ ସେଠାରୁ କିଛି ଦୂର ଚାଲି ଯିବା ପରେ ତାକୁ ପୁଣି ବିଦ୍ୟୁତ କରେଣ୍ଟ ଦେଇ ସେମାନେ ହତ୍ୟା କରିଥିଲେ। ହାତୀପଲ ସେଠାରୁ ଜଙ୍ଗଲକୁ ପଳାଇଯିବା ପରେ ଏକାକୀ ପଡିଥିବା ଶାବକର ବହାରକୁ ଦେଖାଯାଉଥିବା ଦାନ୍ତକୁ ଚନ୍ଦନ ଓ ଦୀନବନ୍ଧୁ କାଟି ନେଇଥିଲେ। ସେମାନେ ହାତୀ ଦାନ୍ତକୁ ପଲିଥିନ୍‌ରେ ଗୁଡ଼ାଇ ସାରସପୋଷ ଗ୍ରାମର ଏକ ପୋଖରୀରେ ପୋତି ଦେଇଥିଲେ। ତେବେ ହାତୀ ଶାବକର ପାଟି ଭିତରେ ଥିବା ଦାନ୍ତକୁ ସେମାନେ ନେଇପାରି ନଥିଲେ ବୋଲି ଉଭୟ ଅଭିଯୁକ୍ତ ଜେରା ବେଳେ ସ୍ୱୀକାର କରିଥିବା ଜଣାପଡ଼ିଛି।

ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକ ହାତୀର ଶବ ବ୍ୟବଛେଦ କରିବା ବେଳେ ମୃତ ଅଣ୍ଡିରା ହାତୀର ଗୋଟିଏ ଦାନ୍ତ କାଟି ଦିଆଯାଇଥିବା ଓ ହାତୀକୁ ମାରିବା ପାଇଁ ବିଷାକ୍ତ ତୀର ପ୍ରୟୋଗ କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ଭିତ୍ତି କରି ରାଉରକେଲା ବନଖଣ୍ଡର ସହକାରୀ ବନ ସଂରକ୍ଷକ ଦିଲୀପ ସାହୁ, ବାଙ୍କି ରେଞ୍ଜ ଅଧିକାରୀ ସଲବିନ୍ଦର ସିଂ ଓ କେ.ବଲାଙ୍ଗ ଥାନା ଅଧିକାରୀ ସୋମନାଥ ଜେନା ସାରସପୋଷ ଏବଂ ଛିଡାକୁଦର ଗ୍ରାମରେ ଆଜି ସକାଳେ ମିଳିତ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କ ସ୍ୱୀକାରୋକ୍ତି ଆଧାରରେ ପୋଖରୀ ପାଣିରେ ଲୁଚାଯାଇଥିବା ଦୁଇଖଣ୍ଡ ଦାନ୍ତକୁ ତଦନ୍ତକାରୀ ଦଳ ଜବତ କରିଥିଲେ। ଆସନ୍ତାକାଲି ଦୁଇ ଅଭିଯୁକ୍ତଙ୍କୁ ବଣାଇଁ କୋର୍ଟକୁ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର