ହାତୀ ଘଉଡ଼ାଇବା ଲାଗି ତତଲା ବର୍ଚ୍ଛା ଚେଙ୍କ ଦେବା ଘଟଣା : ବନ ଅଧିକାରୀଙ୍କ ଉପସ୍ଥିତିରେ ଦିଆଯାଉଛି ଚେଙ୍କ

ପ୍ରଶ୍ନ ପଚାରିବାରୁ ରାଗିଗଲେ ବନଖଣ୍ଡ ଅଧିକାରୀ, ‘ସମ୍ବାଦ’ରେ ଖବର ପ୍ରକାଶ ପରେ ହଇଚଇ

କୁତ୍ରା/ସୁନ୍ଦରଗଡ଼ : ଜନବସତି ବା କ୍ଷେତ ଆଡ଼କୁ ଖାଦ୍ୟ ଅନ୍ବେଷଣରେ ଆସୁଥିବା ବଣୁଆ ହାତୀଙ୍କୁ ଘଉଡ଼ାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଯେଉଁ ତତଲା ବର୍ଚ୍ଛା ଚେଙ୍କ ପଦ୍ଧତି ଅନୁସରଣ କରାଯାଉଛି, ତା’ର ସ୍ବରୂପ ଭାରି ଭୟଙ୍କର ଓ ଅବିଶ୍ବସନୀୟ ଭାବେ ଅମାନୁଷିକ। ଏ ବର୍ଚ୍ଛାରେ ଗୋଟିଏ ମୁନିଆ ଲୁହା ରଡ୍‌କୁ ବାଉଁଶ ଠେଙ୍ଗାରେ ବନ୍ଧା ହୋଇଥାଏ। ଲୁହାରଡ୍‌ରେ ଜଳାଇବାଲାଗି ସୁତୁଲିର ଗୋଟିଏ ‌ପେଣ୍ଡୁ ଗଳା ଯାଇଥାଏ। ପେଣ୍ଡୁ ଉପରକୁ ମୁନିଆ ଲୁହା ଫୁଟେ ବା ଚାଖଣ୍ଡେ ବାହାରି ଥାଏ। ହାତୀ ଘଉଡ଼ାଇବାବେଳେ ସେ ସୁତୁଲି ପେଣ୍ଡୁରେ କିରାସିନି ବା ପେଟ୍ରୋଲ୍ ଢାଳି ନିଆଁ ଲଗାଯାଏ। ନିଆଁରେ ତାହା ଗରମ ହୋଇଯାଏ। ଆଉ ହାତୀ ଉପରକୁ ଫିଙ୍ଗିଲେ ବର୍ଚ୍ଛାଟି ସେଇ ଚଳନ୍ତା ସୁତୁଲି ପେଣ୍ଡୁ ପର୍ଯ୍ୟନ୍ତ ହାତୀ ଦେହରେ ପଶିଯାଏ। ହାତୀ ଯେତେ ଛାଟିପିଟି ହୋଇ ଧାଇଁ ପଳାଇଲେ ବି ବର୍ଚ୍ଛାଟି ବେଶ୍ କିଛି ସମୟ ତା’ଦେହରେ ଲାଖି ରହେ। ସେହି ସମୟତକ ଜଳନ୍ତା ପେଣ୍ଡୁର ନିଆଁ ସଦ୍ୟ ସୃଷ୍ଟି ହୋଇଥିବା କ୍ଷତ ଓ ତା’ ଆଖପାଖ ଅଞ୍ଚଳକୁ ପୋଡ଼ି ପକାଉଥାଏ। ଆହତ ଓ ଭୟଭୀତ ହାତୀ ସେ ଇଲାକା ଛାଡ଼ି ପଳାଏ ଏବଂ ସହଜରେ ସେ ସ୍ଥାନକୁ ଆଉ ଫେରେନାହିଁ। ଏଥିରୁ ସହଜରେ ଅନୁମାନ କରା ଯାଇପାରେ ଯେ କିଛି ହାତୀଙ୍କ କ୍ଷେତ୍ରରେ ଜଳିଥିବା ସେହି କ୍ଷତ କିଛିଦିନ ପରେ ପଚି ପୋକ ହେଉଥିବ। ତାହା ହାତୀର ମୃତ୍ୟୁର କାରଣ ବି ହେଉଥିବ। କ୍ବଚିତ୍ ସଭ୍ୟ ସମାଜରେ ଯେତେ ବଣୁଆ ଓ ଭୟଙ୍କର ପଶୁକୁ ବି ଏଭଳି ନିର୍ଦ୍ଦୟ ଭାବେ ନିୟନ୍ତ୍ରଣ କରିବା ଦେଖା ଯାଏନାହିଁ।

ସୁନ୍ଦରଗଡ଼ ଜିଲ୍ଲାରେ ହାତୀ-ମଣିଷ ଲଢେଇରେ ହାତୀଙ୍କୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ହାତୀ ଘଉଡ଼ାଳି ଆଣି ତତଲା ବର୍ଚ୍ଛା ଚେଙ୍କ ଦିଆଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶିତ ହୋଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ତା’ର ଆହୁରି କିଛି ନୂଆ ଦିଗ ସାମ୍‌ନାକୁ ଆସିଛି। ବର୍ଷ ବର୍ଷ ଧରି ବଡଗାଁ ଓ ରାଜଗାଙ୍ଗପୁର ବନାଞ୍ଚଳ ଅନ୍ତର୍ଗତ ପଞ୍ଚରା, ନୂଆଗାଁ, କଟଙ୍ଗଝରିଆ, ଓଟୋମୁଣ୍ଡା, ବିରତୋଲା, ଜୁରାଜାମ, ସିଆଲଯୋର, କାଦୋପଡା, ପଞ୍ଚୁପଡା, ତୁନମୁରା ପ୍ରଭୃତି ଅଞ୍ଚଳରେ ହାତୀଙ୍କ ଉତ୍ପାତରେ ଧନଜୀବନ ନଷ୍ଟହୁଏ। ଲୋକେ ବର୍ଷ ତମାମ ହାତୀ ଆତଙ୍କର ସାମ୍‌ନା କରିଥାନ୍ତି। କ୍ରମାଗତ ହାତୀ ଆକ୍ରମଣରେ ସର୍ବସ୍ବାନ୍ତ ହୁଅନ୍ତି ଅନେକ ପରିବାର । କିଏ ବିଧବା ହୁଏ ତ କିଏ ଅନାଥ । ବନବିଭାଗ କ୍ଷତିପୂରଣ ଦେଇ କାମ ସାରିଦିଅନ୍ତି । ହାତୀଙ୍କୁ ଜନବସତିଠାରୁ ଦୂରରେ ରଖିବାର ପ୍ରାୟ ସବୁ ଯୋଜନା ବିଫଳ ହୋଇଛି। ସେଥିପାଇଁ କ୍ରମାଗତ ହାତୀ ଆକ୍ରମଣରୁ ନିଜ ଗାଁକୁ ସୁରକ୍ଷିତ କରିବା ପାଇଁ ଲୋକେ ବାଧ୍ୟ ହୋଇ ପେସାଦାର ଝାଡଖଣ୍ଡୀ ହାତୀ ଘଉଡାଳିଙ୍କ ସାହାଯ୍ୟରେ ହାତୀଙ୍କୁ ତତଲା ଚେଙ୍କ ଦେଇ ଘଉଡାନ୍ତି। ଏ ନିର୍ଦ୍ଦୟ ରୀତି ସଂପର୍କରେ ପ୍ରଶାସନ ଜାଣି ମଧ୍ୟ ଖାଲି ନିରବ ରହିଛି ତାହା ନୁହେଁ, ସବୁଠୁ ଆଶ୍ଚର୍ଯ୍ୟ କଥା ଯେ କେବେ କେବେ ବନବିଭାଗର କର୍ମଚାରୀଙ୍କର ପ୍ରତ୍ୟକ୍ଷ ଉପସ୍ଥିତିରେ ମଧ୍ୟ ଏସବୁ ହୁଏ। ବର୍ତ୍ତମାନ ହାତୀଙ୍କୁ ତତଲା ଚେଙ୍କ ଦିଆଯିବା ପ୍ରସଙ୍ଗ ରାଜ୍ୟରେ ଚର୍ଚ୍ଚିତ ହୋଇଥିବାବେଳେ ବନବିଭାଗ ଏକପ୍ରକାର ଧାରଣା ସୃଷ୍ଟି କରିବାକୁ ଚାହୁଛି ଯେ ବିଭାଗ ପାଖରେ ଏ ଖବର ନାହିଁ। କିନ୍ତୁ ସତ ହେଉଛି, ବର୍ଷ ବର୍ଷ ଧରି ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଏ ବିଷୟରେ ଜାଣି ଆସିଛନ୍ତି। ଚେଙ୍କ ସମୟରେ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିବାର ଫଟୋ ଏହାର ପ୍ରମାଣ। ହାତୀଙ୍କୁ ତତଲା ଚେଙ୍କ ଓ ସେ ଅଭିଯାନରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ସମ୍ପର୍କରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ କଲୁଙ୍ଗେ ଗୋରଖ ୱାମେନଙ୍କୁ ମୋବାଇଲ ଯୋଗେ ପଚାରିବାରୁ ସେ ବିବ୍ରତ ହୋଇ ସିଧାସଳଖ କୌଣସି ଉତ୍ତର ନଦେଇ ‘ସମ୍ବାଦ’ରେ ଯେଉଁ ଫଟୋ ପ୍ରକାଶ ପାଇଛି ତ‌ାହା କେବେର ବୋଲି ପ୍ରଶ୍ନ କରିଥିଲେ। ଚେଙ୍କ ଖାଇଥିବା ୮୦ଟି ହାତୀଙ୍କ ତାଲିକା ଅଛି କି ବୋଲି ପଚାରିଥିଲେ। ଆଉ ରାଗି ଯାଇ ଆମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ।

ସମ୍ବନ୍ଧିତ ଖବର