କୋଇଡ଼ାରେ ହାତୀପଲ: ଦନ୍ତାଙ୍କ ଉତ୍ପାତରେ ସ୍ଥାନୀୟ ଲୋକ ଅତିଷ୍ଟ

ରାଉରକେଲା / କୋଇଡ଼ା: ଗତ କିଛି ଦିନ ଧରି ବଣାଇ ଓ କୋଇଡାରେ ହାତୀପଲର ଉତ୍ପାତ ଜାରି ରହିଛି। ଗତ ପାଞ୍ଚ ଦିନ ଧରି ବଣାଇରେ ଦୁଇ ଦନ୍ତାଙ୍କ ଉତ୍ପାତରେ ସ୍ଥାନୀୟ ଲୋକ ଅତିଷ୍ଟ ହୋଇ ପଡ଼ିଛନ୍ତି। ଗତକାଲି ରାତିରେ ଦୁଇ ଦନ୍ତା ନଦୀ ପାରି ହୋଇ ବଣାଇ ନର୍ସରିରେ ବ୍ୟାପକ ନଷ୍ଟ କରିଛନ୍ତି। ଦୁଇଟି ଗୋଠ ଛଡ଼ା ଦନ୍ତା ହାତୀ ଦୀର୍ଘ ୫ ଦିନ ହେଲେ ବଣାଇ ରେଞ୍ଜ, ତମାରା ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମ ନିକଟକୁ ଆସି ଧାନ ଫସଲ ନଷ୍ଟ କରୁଥିବା ଏବଂ ଏହି ହାତୀ ଯୋଗୁ ସ୍ଥାନୀୟ ଅଂଚଳରେ ଥିବା ଗ୍ରାମବାସୀ ହାତୀ ଯୋଗୁ ଭୟରେ ତାଟି କବାଟ ପକାଇ ପିଲା ଛୁଆ ଧରି ବାହାରେ ରହୁଛନ୍ତି। ହାତୀ ଦିନରେ ପାଖରେ ଥିବା ଜଙ୍ଗଲରେ ରହୁଥିବା ବେଳେ ରାତିରେ ବାହାରି ଧାନ ଖାଉଛି। ବନବିଭାଗର ରେଞ୍ଜର, ଏସିଏଫ୍, ହାତୀ ସ୍କ୍ୱାଡ୍, ସ୍ଥାନୀୟ ଜନସାଧାରଣ ହାତୀକୁ ଅନ୍ୟ ଦିଗକୁ ଘଉଡ଼ାଉବାକୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ହାତୀ ଦୁଇଟି ଯିବାର ନାଁ ଧରୁନାହାନ୍ତି। ଧାନ ଫସଲ ନଷ୍ଟ କରୁଥବାରୁ ଚାଷୀମାନେ ଏବେ ଚିନ୍ତାରେ।

ବନ ବିଭାଗ କହିଛି ଯାହା କ୍ଷତି ହୋଇଛି ଆକଳନ କରି କ୍ଷତିପୂରଣ ଦିଆଯିବ। ଏବେ ଏହି ଦୁଇଟି ଦନ୍ତା ହାତୀ ବ୍ରାହ୍ମଣୀ ନଦୀ ପାର ହୋଇ ଏବେ ବଣାଇ ସହର ସ୍ଥିତ ବନ ବିଭାଗ ଡାକବଙ୍ଗଳା ନିକଟରେ ଥିବା ଜଙ୍ଗଲରେ ଅଛନ୍ତି। ସେହିପରି କୋଇଡା ବ୍ଲକ୍ ହେଡକ୍ଵାର୍ଟର ଠାରୁ ମାତ୍ର ଦୁଇ କିଲୋମିଟର ଦୁର ଟୁକୁଟଲା ଗ୍ରାମରେ ହାତୀପଲ ପୁଣି ତିନି ଘର ଭାଙ୍ଗି ଚାଉଳ ଆସବାବପତ୍ର ନଷ୍ଟ କରିଦେଇଥିଲେ। ବାରମ୍ବାର ଘଟୁଥିବା ହାତୀ ଉପଦ୍ରବରେ ବିଶେଷ କରି ବଳି ପଡ଼ୁଛନ୍ତି ନିରୀହ ଆଦିବାସୀ ଗରିବ ପରିବାର। ଝାଟିମାଟି ଘରେ ଚାଉଳ ବାସ୍ନା ପାଇ ଭୋକିଲା ହାତୀମାନେ ଘର ଭାଙ୍ଗୁଛନ୍ତି। ହେଲେ ବାରମ୍ବାର ଘଟୁଥିବା ହାତୀ ଉପଦ୍ରବ ପାଇଁ ବନ ବିଭାଗ ନିରୁପାୟ ହୋଇ ଯେତିକି ଦୋଷୀ ନୁହନ୍ତି ତାଠାରୁ ବେଶୀ ଦୋଷୀ ହାତୀମାନଙ୍କ ସ୍ଥାଇ ଆଶ୍ରୟ ସ୍ଥଳକୁ ନୁତନ ଖଣି ହାତରେ ଟେକି ତାଙ୍କର ଜଙ୍ଗଲ, ପାହାଡ଼ ନଷ୍ଟ କରିଥିବା ସରକାର।

ବର୍ତ୍ତମାନ ହାତୀମାନଙ୍କ ପାଇଁ ଆଉ ରହିବା ଜାଗା ନାହିଁ କି ବଞ୍ଚି ରହିଥିବା ଜଙ୍ଗଲରେ ଖାଦ୍ୟ ନାହିଁ। ଫଳସ୍ଵରୂପ ହାତୀପଲ କୋଇଡା ମୁହାଁ ହୋଇ ଧାନ ଫସଲ ନଷ୍ଟ କରି ମାଟି ଘର ଦେଖି ଚାଉଳ ଖାଇବା ପାଇଁ ଘର ଭାଙ୍ଗୁଛନ୍ତି। ବନ ବିଭାଗ ସବୁବେଳେ ତତ୍ପରତା ଦେଖାଇ ହାତୀ ଘଉଡ଼ାଇବାକୁ ପ୍ରୟାସ କରୁଛନ୍ତି ସତ, ହେଲେ ହାତୀପଲ ଯିବେ କେତେ ଦୂର ? ଜଙ୍ଗଲ ନାହିଁ କି ଖାଇବା ନାହିଁ। ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ନିରୀହ ଝାଟିମାଟି ଘରେ ବସବାସ କରୁଥିବା ପରିବାର।

ସମ୍ବନ୍ଧିତ ଖବର