ରାଉରକେଲା: ନିଯୁକ୍ତି ପାଇବାକୁ ବର୍ଷ ବର୍ଷ ଧରି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବିସ୍ଥାପିତ ପରିବାର ସଂଘର୍ଷ ଜାରି ରଖିଛନ୍ତି। ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ତାଲିକାରେ ରହିଛନ୍ତି ୧୬୩ ପରିବାର। ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୦୯୮ ପରିବାର ରହିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ଜଣେ ହେଲେ ପରିବାରକୁ ନିଯୁକ୍ତି ମିଳିନି। ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଣ୍ଡ ମାର୍ଶଲିଂ ୟାର୍ଡ ଡିସ୍‌ପ୍ଲେସ୍‌ଡ କମିଟିର ପ୍ରତିନିଧି ନୂଆଦିଲ୍ଲୀସ୍ଥ ଉଦ୍ୟୋଗଭବନରେ କେନ୍ଦ୍ର ଇସ୍ପାତମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ଭେଟିଛନ୍ତି। ଅଟକିଥିବା ବିସ୍ଥାପିତ ନିଯୁକ୍ତି ପ୍ରସଙ୍ଗକୁ ନେଇ ସଂଘର ପ୍ରତିନିଧିମାନେ କେନ୍ଦ୍ରଇସ୍ପାତ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରଥମ ପର୍ଯ୍ୟୟରେ ଯୋଗ୍ୟବିବେଚିତ ୧୬୩ ପରିବାରକୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ସଂଘର ସଭାପତି ଲଚ୍ଛୁ ଓରାମ, ଆଇନପରାମର୍ଶଦାତା ଗୋବିନ୍ଦ ତନ୍ତୀ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଅବହେଳାରୁ ବର୍ଷ ବର୍ଷ ଧରି ବିସ୍ଥାପିତ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ରଇସ୍ପାତମନ୍ତ୍ରୀ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ଆର୍‌ଏସ୍‌ପି ନିଯୁକ୍ତିର ବାଟ ଫିଟିବାକୁ ଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ୧୯୫୫ରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ପାଇଁ ସେଲ୍‌କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଠାରୁ ପ୍ରାୟ ୨୦ ହଜାରରୁ ଅଧିକ ଜମି ଅଧିଗ୍ରହଣ କରିଥିଲେ। ରାଉରକେଲା, ପୁରୁଣା ରାଉରକେଲା, ଦୁର୍ଗାପୁର, ଛେଣ୍ଡ, ପ୍ରଧାନପାଲୀ, ବାଙ୍କିଆ, ଲୁଆକେରା, ତୁମକେଲା, ହମିରପୁର, ପ୍ରଧାନପାଲୀ, ଟାଙ୍ଗରପାଲି, ବିଜୁବନ୍ଧ, ମନ୍ଦିରା ଡ୍ୟାମ ଆଦି ଅଞ୍ଚଳର ୪୦୯୪ରୁ ଅଧିକ ପରିବାର ବିସ୍ଥାପିତ ହୋଇଥିଲେ। ଭିଟାମାଟି, ଚାଷ ଜମି ହରାଇଥିଲେ। ଏମାନଙ୍କୁ ଯେଉଁସବୁ ସ୍ଥାନରେ ଥଇଥାନ କରାଯାଇଛି, ଅଧିକାଂଶ ଥଇଥାନ କଲୋନି ମୌଳିକ ସୁବିଧା ପାରିନାହିଁ। ସେପଟେ ଆର୍‌ଏସ୍‌ପି ସହ ଅଧିକାରୀ ଓ କର୍ମଚାରୀଙ୍କ ରହିବା ପାଇଁ କ୍ବାର୍ଟର୍ସ ଓ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ କରିବା ପରେ ୫ ହଜାର ଜମି ବ୍ୟବହାର ହୋଇ ନଥିଲା। ପରେ ଆର୍‌ଏସ୍‌ପି ଅବ୍ୟବହୃ୍ତ ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି ଦେଇଥିଲେ। ଯେଉଁ ଜମିଗୁଡ଼ିକ ସହର ଓ ଏହାର ଆଖପାଖରେ ପଡିଛି। କେତେକ ଜାଗାରେ ବିଭିନ୍ନ ପ୍ରକାର ପ୍ରକଳ୍ପ ହୋଇଛି। ମାତ୍ର ଅଦ୍ୟାବଧି ଏହି ଜମି ନିଯୁକ୍ତି ପାଇନଥିବା ପରିବାରକୁ ଫେରସ୍ତ କରାଯିବାକୁ କୌଣସି ପ୍ରକାର ବ୍ୟବସ୍ଥା ହେଉ ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ବିସ୍ଥାପିତଙ୍କ ନାଁରେ ଅନେକ ଲୋକ ଆର୍‌ଏସ୍‌ପିରେ ନିଯୁକ୍ତି ପାଇଛନ୍ତି। ବିସ୍ଥାପିତ ସଂଘର ଅଭିଯୋଗ ଆଧାରରେ ନିକଟରେ ନିଯୁକ୍ତି ପାଇଥିବା କିଛି ଆର୍‌ଏସ୍‌ପି କର୍ମଚାରୀଙ୍କ କାଗଜପତ୍ର ଯାଞ୍ଚ ମଧ୍ୟ କରାଯାଇଥିଲା।