କୋଇଡ଼ା: କେନ୍ଦୁଝର ଖଣିମଣ୍ଡଳ ପରେ ସୁନ୍ଦରଗଡ଼ର ଖଣି ରାଜଧାନୀ କୁହାଯାଉଥିବା କୋଇଡ଼ା ଖଣିମଣ୍ଡଳରେ ମଧ୍ୟ ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର) କାୟା ବିସ୍ତାର କରିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଶୁଆକାଠିସ୍ଥ ଓଡ଼ିଶା ଖଣିନିଗମ ପରିଚାଳିତ ଗନ୍ଧମାର୍ଦ୍ଧନ ଖଣିରେ ଲୋଡିଂ ଏଜେନ୍ସି ଦ୍ୱାରା କୋଟିକୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବା ପରେ ଇଓଡବ୍ଲୁ ଦୁଇଦିନ ଧରି ଚଢ଼ଉ ଜାରି ରଖିଥିଲା। ଏହାର କୋଇଡ଼ା ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି।
ମଙ୍ଗଳବାର ସନ୍ଧ୍ୟାରେ ଇଓଡବ୍ଲୁ କୋଇଡ଼ାଖଣି ମଣ୍ଡଳର ବିଭିନ୍ନ ସ୍ଥାନରେ ଥିବା ୱେ’ ବ୍ରିଜ୍ଗୁଡ଼ିକରୁ ଗାଡ଼ିର ତାଲିକା ବାହାରକରି ୧୦ଟି ହାଇୱା ଗାଡ଼ିକୁ ଜବତକରି କୋଇଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ଜବତ ୧୦ ଗାଡ଼ି ମେସର୍ସ ଶଙ୍କର ମିନେରାଲସ ଓ ଦିବ୍ୟାଂଶୀ ଆସୋସିଏଟ୍ସ ନାମରେ ରହିଥିବାବେଳେ ଏହି ସଂସ୍ଥାର ମାଲିକ ଖୋଦ୍ ସୌମ୍ୟଶଙ୍କର ଚକ୍ର (ରାଜା ଚକ୍ର) ଓ ଜ୍ୟୋତିରଞ୍ଜନ ମିଶ୍ର ବୋଲି ଜଣାପଡ଼ିଛି।
ବୁଧବାର ଇଓଡବ୍ଲୁର ଦୁଇଜଣିଆ ଟିମ୍ କୋଇଡ଼ାର ବିଭିନ୍ନ ଖଣି ଓ ପରିବହନ ସଂସ୍ଥାକୁ ଯାଇ ପଚରାଉଚରା କରୁଥିଲେ। ସେମାନଙ୍କ ଖୋଳତାଡ଼ ଜାରିରଖିଛି। ଅନ୍ୟପଟେ ରାଜା ଚକ୍ର କଳା ସାମ୍ରାଜ୍ୟ ଲିଙ୍କରେ ବହୁ ବଡ଼ବଡ଼ ଅଧିକାରୀ, ନେତା, ଟ୍ରାନ୍ସପୋର୍ଟର ରହିଥିବା କୋଇଡ଼ା ଅଞ୍ଚଳରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ରାଜା ଚକ୍ରଙ୍କ ବେନାମୀ କାରବାରକୁ ନେଇ ଇଓଡବ୍ଲୁ ପକ୍ଷରୁ ଭୁବନେଶ୍ୱରରେ ଫେବ୍ରୁଆରି ୭ରେ କେସ୍ ନମ୍ବର ୩ରେ ଭାରତୀୟ ନ୍ୟାୟ ସଂହିତା ଧାରା ୪୦୬, ୪୦୯, ୪୨୦, ୪୬୭, ୪୭୧ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ରାଜ୍ୟର ୧୦ଟି ସ୍ଥାନରେ ଚଢ଼ଉ ପରେ ମଙ୍ଗଳବାର ସନ୍ଧ୍ୟାରେ ଇଓଡବ୍ଲୁ କୋଇଡ଼ା ପହଞ୍ଚିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/06/1Gekknxr2cHulragAgVt.jpg)