ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ବିଭାଗର ପୂର୍ବତନ ଅଡିଟର ସୁଶୀଳ କୁମାର ମେହେରଙ୍କୁ ରାଜ୍ୟ ସରକାର ବହିଷ୍କୃତ କରିଛନ୍ତି। ଏକ ଦୁର୍ନୀତି ମାମଲାରେ ଶ୍ରୀ ମେହେର ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯିବା ପରେ ସରକାର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ବରଗଡ଼ ବେହେରାଟ୍ରିକାର ସୁଶୀଳ କୁମାର ମେହେର ସୁନ୍ଦରଗଡ଼ ଲୋକାଲ ଫଣ୍ଡ ଅଡିଟ କାର୍ଯ୍ୟାଳୟରେ ଅଡିଟର ଭାବେ କାର୍ଯ୍ୟରତ ଥିଲେ। ୨୦୦୭ରେ ସେ ବାଲିଶଙ୍କରା ବ୍ଲକକୁ ଡେପୁଟେସନରେ ଯାଇଥିଲେ। ସେ ସମୟରେ କିଞ୍ଜିରକେଲା ଥାନା ବ୍ରାହ୍ମଣମରା ଗାଁର ଠିକାଦାର ଲମ୍ବୋଦର ପ୍ରଧାନଙ୍କ ଠାରୁ ଏକ କାମର ଅଡିଟ୍ ପାସ୍ କରାଇବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡ଼ିଥିଲେ।

Advertisment

ଠିକାଦାର ଶ୍ରୀ ପ୍ରଧାନ ବାଲିଶଙ୍କରା ବ୍ଲକ୍ କେଲୋନାଲ ଓ ବନ୍ଧବାହାଲ ନାଲାରେ ଚେକଡ୍ୟାମ ନିର୍ମାଣ କରିଥିଲେ। ଏଥିପାଇଁ ସେ ୧ ଲକ୍ଷ ୩୪ ହଜାର ଟଙ୍କା ଅମାନତ ରାଶି ଜମା କରିଥିଲେ। ନିର୍ମାଣ ଶେଷ ହେବା ପରେ ଠିକାଦାର ଶ୍ରୀ ପ୍ରଧାନ ଅଡିଟ୍ ପ୍ରତିବନ୍ଧ ଦୂରୀକରଣ (କ୍ଲିୟରାନ୍ସ) ପାଇଁ ବ୍ଲକକୁ ଯାଇଥିଲେ। ହେଲେ ଅଡିଟର ଏଥିପାଇଁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ କାମ ହେବନି ବୋଲି ରୋକଠୋକ୍ ଶୁଣାଇଦେଇଥିଲେ। ଶେଷରେ ୨୩ ହଜାର ଟଙ୍କାରେ କଥା ଛିଣ୍ଡିଥିଲା। ଏନେଇ ଠିକାଦାର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।। ଏହାପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଜାଲ ବିଛାଇ ୨୦୦୭ ଡିସେମ୍ବର ୨୨ ତାରିଖରେ ଲାଞ୍ଚ ନେବାବେଳେ ଶ୍ରୀ ମେହେରଙ୍କୁ ଧରିଥିଲେ। ମାମଲାରେ ୨୦୨୨ ଡିସେମ୍ବର ୨୨ରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଅଡିଟର ଶ୍ରୀ ମେହେରଙ୍କୁ ୨ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଥିଲେ। ଉକ୍ତ ମାମଲାରେ ସରକାର ଆଜି ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।