କୁତ୍ରା: କୁତ୍ରା ବସ୍ତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳାଥିଲା। ଅବକାରୀ ବିଭାଗ ମଦଭାଟି ଗୁଣ୍ଡାକୁ ଧରି କୁତ୍ରା ଗ୍ରାମର ଆଦିବାସୀ କିଷାନ ବସ୍ତି ଭିତରକୁ ଅତର୍କିତ ଭାବେ ବଡ଼ ବାହାଦୁରିସହିତ ପ୍ରବେଶ କରି ଲୋକେ ହୋଲି ପାଇଁ ପାରମ୍ପରିକ ରୀତିରେ ତିଆରି କରିଥିବା ତରପାଏନ ବା ହାଣ୍ଡିଆ ରଖାଯାଇଥିବା ଘରକୁ ଜୋତା ପିନ୍ଧି ପଶି ମାଠିଆ ଭଙ୍ଗିବା ପରେ ଘଟଣା ଉଗ୍ର ରୂପ ଧାରଣ କରିଥିଲା। ବସ୍ତିର ଶହଶହ ପୁରୁଷ ଓ ମହିଳା ଅବକାରୀ ବିଭାଗ ଗାଡ଼ିକୁ ଅଟକ ରଖିଥିଲେ। ଆଦିବାସୀ କିଷାନ ସଂପ୍ରଦାୟ ଲୋକମାନେ ତାଙ୍କ ପୂର୍ବ ପୁରୁଷଙ୍କୁ ତରପାଏନ ବା ହାଣ୍ଡିଆ ହୋଲି ଦିନକ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ଏଥିପାଇଁ ସପ୍ତାହେ ପୂର୍ବରୁ ସେମାନେ ଗାଧୋଇ ଘର ଲିପାପୋଛାକରି ହାଣ୍ଡିଆ ପ୍ରସ୍ତୁତ କରିଥାନ୍ତି। ଯେହେତୁ ବିନା କାରଣରେ ପୂଜାପାଇଁ ଉଦ୍ଧିଷ୍ଟ ତରପାଏନ ବା ହାଣ୍ଡିଆକୁ ସେମାନେ ଛୁଇଁ ମାରା କରିଛନ୍ତି । ସେଥିପାଇଁ ଲୋକେ ଉତକ୍ଷିପ୍ତ ହୋଇ ସେମାନଙ୍କୁ ୨ ଘଣ୍ଟା ଅଟକ ରଖିଥିଲେ।

Advertisment

ରୋଚକ କଥା ହେଲା ଅବକାରୀ ବିଭାଗ ଆଦିବାସୀଙ୍କ ଘର ତଲାସିରେ ମଦଭାଟି ଗୁଣ୍ଡାଙ୍କୁ ନେଇ ଏହି ଚଢଉ କରିଥିଲେ। ଏହି ଅବକାରୀ ବିଭାଗ ବାବୁମାନେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ ସମୟରେ ମଦ ଧରପଗଡ଼ ନାଁରେ କିଛି ଆଦିବାସୀ ଲୋକଙ୍କ ମଦ ଜବତ କରି ପରେ ସେହି ଆଦିବାସୀ ଲୋକଙ୍କୁ ଭାଟି ମଦ ବା ପାଉଚ ମଦ ବିକ୍ରି କରିବାକୁ ଦେଇଥାନ୍ତି। ଅବକାରୀ ବିଭାଗ ସହିତ ମଦଭାଟି ଗୁଣ୍ଡାଙ୍କୁ ଆଣିବା କଥା ଅବକାରୀ ବିଭାଗର ସୁଧୀର କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ସେମାନଙ୍କୁ ଲେବର ଆଣିବାକୁ କୁହାଯାଇଥିଲା ଏବଂ ଲେବର ହିସାବରେ ମଦଭାଟି ଗୁଣ୍ଡାଙ୍କୁ ଅଣାଯାଇଥିବା କହିଛନ୍ତି। ସେମାନେ ଗାଡ଼ିରେ ରହିବେ ଦରକାର ପଡ଼ିଲେ ଯିବେ ବୋଲି କହିଥିଲେ। ଏଭଳି ବହୁ ଅଭିଯୋଗ ଏହି ଅବକାରୀ ବାବୁମାନଙ୍କ ନାଁରେ ରହିଛି।

ଉତ୍ତେଜିତ ଲୋକ ଏଥିପାଇଁ ଅବକାରୀ ବିଭାଗ ଓ ମଦଭାଟି ଗୁଣ୍ଡାମାନଙ୍କୁ ଅଟକ ରଖିବାରୁ ଏଥିପାଇଁ ଅବକାରୀ ବିଭାଗ ତରଫରୁ ସୁଧୀର କୁମାର ମିଶ୍ର ଓ ରାଜଗାଙ୍ଗପୁର ମଦଭାଟିର ଅରବିନ୍ଦ ସିଂ ଲିଖିତ କ୍ଷମା ପ୍ରାର୍ଥିନା ସହ ପୂଜାପାଇଁ ନିର୍ମିତ ତରପାଏନ ବା ହାଣ୍ଡିକୁ ମାରା କରିଥିବାରୁ ଜାଲେଣି କାଠ ଏବଂ ଏଥିରେ ବ୍ୟବହୃତ ୱଷଧ ବା ରାନୁ କିଣିବାକୁ ୩୫୦୦ ଟଙ୍କା ଓ ୨ କ୍ୟୁଣ୍ଟାଲ ଚାଉଳ ଜରିମାନା ଦେବାରୁ ଘଟଣା ଶାନ୍ତ ପଡ଼ିଥିଲା। ତେବେ ହୋଲିକୁ ମାତ୍ର ଆଉ ୨ ଟା ଦିନ ରହିଲା ପୁଣି ସାଙ୍ଗେ ସାଙ୍ଗେ ପୂଜା ପାଇଁ ତରପାଏନ୍ ବା ହାଣ୍ଡିଆ ପ୍ରସ୍ତୁତ କରିବା କଷ୍ଟସାଧ୍ୟ। ଅବକାରୀ ବିଭାଗର ଏଭଳି କାରନାମାକୁ ଗ୍ରାମର ବହୁ ବୁଦ୍ଧିଜୀବୀ ନାପସନ୍ଦ କରିବା ଏଭଳି କାାମରେ ନେତୃତ୍ବ ନେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏହି ଘଟଣା ଗତକାଲି ଦିନତମାମ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।