କାରଖାନା ଦୁର୍ଘଟଣା : ସୁନ୍ଦରଗଡ଼ ଜିଲ୍ଲାରେ ୪୯ ମାସରେ ଯାଇଛି ୪୧ ଜୀବନ

ଆର୍‌ଏସ୍‌ପିରେ ସର୍ବାଧିକ ୧୫ ମୃତ, ୮ ଗୁରୁତର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଗତ ୪୯ ମାସ ( ୪ ବର୍ଷ ୧ ମାସ) ଭିତରେ ବିଭିନ୍ନ କାରଖାନାରେ ଘଟିଥିବା ଦୁର୍ଘଟଣାରେ ୪୧ ଜଣଙ୍କର ମୃ୍ତ୍ୟୁ ଘଟିଛି। ଏହି ସଂଖ୍ୟା କିଛି କମ୍ ନୁହେଁ, ପୁଣି ଦୁର୍ଘଟଣା ନିୟମିତ ବ୍ୟବଧାନରେ ଘଟି ଚାଲିଥିବାରୁ କାରଖାନାଗୁଡ଼ିକରେ ଶ୍ରମିକଙ୍କ ସୁରକ୍ଷା ମାମଲାରେ ନୀତି ନିୟମକୁ ନିଷ୍ଠାର ସହିତ ପାଳନ କରା ଯାଉନଥିବା ସ୍ପଷ୍ଟ ହୋଇ ଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହେଉ ଅବା ଘରୋଇ, କାରଖାନାରେ ଉତ୍ପାଦନ ସହ କର୍ମଚାରୀ/ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା କଥା। ନିରାପତ୍ତା ନିୟମ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରାକ୍‌ଟିସେସ୍‌ (ଏସ୍‌ଓପି) ଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତଦାରଖ କରିବାର ଦାୟିତ୍ବ କାରଖାନାର ସୁରକ୍ଷା ବିଭାଗ ଏବଂ ସରକାରଙ୍କର କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟର। କିନ୍ତୁ ଘଟିଥିବା ଅଧିକାଂଶ ଦୁର୍ଘଟଣାକୁ ଦେଖିଲେ ଅତି ସହଜରେ ଜଣା ପଡିଯାଏ ଯେ ଉଭୟ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ପାଳନ କରୁନାହାନ୍ତି। ଦୁର୍ଘଟଣା ଘଟିବାର ତୁରନ୍ତ ପରେ ପରେ ନିରାପତ୍ତା ଦାୟିତ୍ବରେ ଥିବା ବିଭାଗଗୁଡ଼ିକ କିଛିଟା ତତ୍ପରତା ଦେଖାଉଛନ୍ତି, କିନ୍ତୁ ଅଳ୍ପ ଦିନ ଭିତରେ ସ୍ଥିତି ପୂର୍ବଭଳି ହୋଇ ଯାଉଛି। କେତେଜଣ ଅଧିକାରୀଙ୍କୁ ନିଲମ୍ବନ କରିବା ଓ ତଦନ୍ତ କମିଟି ଗଠନ କରିବାରେ ସବୁକିଛି ସୀମିତ ରହୁଛି।

ସୁରକ୍ଷାକୁ କାରଖାନାଗୁଡ଼ିକ କେତେ ପ୍ରାଥମିକତା ଦେଉଛନ୍ତି, ଗତକାଲି ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର କୋଲ୍‌ କେମିକାଲ ବିଭାଗରେ ଘଟିଥିବା ଦୁର୍ଘଟଣାରୁ ସ୍ପଷ୍ଟ ପ୍ରମାଣିତ। ଅକାଳରେ ଚାଲିଗଲା ୪ ଠିକା ଶ୍ରମିକଙ୍କ ଜୀବନ, ଚାରିଟି ପରିବାର ହୋଇଗଲେ ମୁରବି ଶୂନ୍ୟ। କ୍ଷତିପୂରଣ ବା ପରିବାରର କାହାକୁ ଚାକିରି ଦେଲେ ମଧ୍ୟ ସେମାନଙ୍କ କ୍ଷତିକୁ ଭରଣା କରି ହେବନାହିଁ। ବିଭାଗର ଗ୍ୟାସ୍‌ ପାଇପ୍‌ ମରାମତି ପୂର୍ବରୁ ଯଦି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଥାନ୍ତା ହୁଏତ ଏଭଳି ଅଘଟଣ ଘଟିନଥାନ୍ତା। ଆର୍‌ଏସ୍‌ପି ଭଳି ବଡ଼ କାରଖାନାରେ ଯଦି ତାହା କରା ଗଲାନାହିଁ, ତେବେ ତା’ଠାରୁ ଦୁର୍ଭାଗ୍ୟର କଥା ଆଉ କିଛି ନାହିଁ। ବିଗତ ଦିନରେ ଆର୍‌ଏସ୍‌ପିର ଏସ୍‌ଏମ୍‌ଏସ୍‌ -୨, କୋକୋ‌ଭେନ୍‌ ଓ କୋଲ୍‌ କେମିକାଲ ଆଦି ବିଭାଗରେ ଏମିତି ଅନେକ ଦୁର୍ଘଟଣା ଘଟିଛି। ଶ୍ରମିକ ଓ ଅଧିକାରୀଙ୍କ ଜୀବନ ଯାଇଛି। ଅନେକ ଆଜୀବନ ବିକଳାଙ୍ଗ ହୋଇ ଯାଇଛନ୍ତି। କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ କହୁଛି, ଗତ ୪୯ ମାସ ( ୪ ବର୍ଷ ୧ ମାସ)ରେ ସୁନ୍ଦରଗଡ ଜିଲ୍ଲାର କାରଖାନା ଦୁର୍ଘଟଣାରେ ୪୧ ଜଣଙ୍କର ମୃ୍ତ୍ୟୁ ହୋଇଛି। ୨୪ ଗୁରୁତର ବା ସାମାନ୍ୟ ଆହତ ହୋଇଛନ୍ତି। ଏଥିମଧ୍ୟରୁ ସର୍ବାଧିକ ପ୍ରାଣ ଯାଇଛି ଆର୍‌ଏସ୍‌ପିରେ। ୪୯ ମାସରେ ଆର୍‌ଏସ୍‌ପିରେ ୧୫ ଜଣ ଶ୍ରମିକ ବା କର୍ମଚାରୀଙ୍କର ମୃତ୍ୟୁ ଘଟିଛି, ୮ ଗୁରୁତର ଆହତ ହୋଇଛନ୍ତି।

୨୦୧୭ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଥିଲେ। ୨୦୧୮ରେ ୩ ମୃତ, ୩ ଆହତ, ୨୦୧୯ରେ ୩ ମୃତ, ୨ ଆହତ ହୋଇଥିଲେ। ୨୦୨୦ରେ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୧ ଆରମ୍ଭରୁ, ଅର୍ଥାତ୍‌ ଗତକାଲି ୪ ଠିକା ଶ୍ରମିକ ଆଖି ବୁଜିଲେ। ଆର୍‌ଏସ୍‌ପି ବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ କାରଖାନାଗୁଡ଼ିକରେ ଗତ ୪ ବର୍ଷ ଭିତରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି, ୧୬ ଆହତ ହୋଇଛନ୍ତି। ୨୦୧୭ରେ ୬ ଜଣଙ୍କର ମୃତ୍ୟୁ ‌ହୋଇଥିଲାବେଳେ ୨ ଗୁରୁତର ହୋଇଥିଲେ, ୨୦୧୮ରେ ୬ ଜଣଙ୍କର ମୃତ୍ୟୁ, ୩ ଆହତ; ୨୦୧୯ରେ ୪ ମୃତ, ୫ ଆହତ ଓ ୨୦୨୦ରେ ସର୍ବାଧିକ ୧୦ ମୃତ, ୬ ଆହତ ହୋଇଥିଲେ। ସବୁ ଦୁର୍ଘଟଣା ପରେ ସଂପୃକ୍ତ କାରଖାନା ଓ ଶ୍ରମିକଙ୍କ ସୁରକ୍ଷା ବୁଝିବା ଦାୟିତ୍ବରେ ଥିବା ସରକାରୀ ବିଭାଗର ନିଦଭାଙ୍ଗିଛି, କିଛି ଅଧିକାରୀଙ୍କୁ ନିଲମ୍ବନ କରା ଯାଇଛି, ତଦନ୍ତ ହୋଇଛି। କିନ୍ତୁ ଅଳ୍ପ ସମୟ ଭିତରେ ସବୁକିଛି ଥଣ୍ଡା ହୋଇ ଯାଇଛି ପୁଣିଥରେ ଅଘଟଣ ଘଟିବା ପର୍ଯ୍ୟନ୍ତ। ଏ ପ୍ରସଙ୍ଗରେ ସିଆଇଟିୟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି କହନ୍ତି, ‘‘ଆର୍‌ଏସ୍‌ପି ହେଉଛି ଏକ ରାଷ୍ଟ୍ରାୟତ ଉଦ୍ୟୋଗ। ନିରାପତ୍ତା ଓ ଏସ୍‌ଓପିକୁ କଡାକଡି ପାଳନ କରିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। କାରଖାନା କିନ୍ତୁ ନିୟମକୁ ଅନୁପାଳନ କରୁ ନାହାନ୍ତି। କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ମଧ୍ୟ କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ଠିକ୍‌ ଭାବେ ଯାଞ୍ଚ କରୁ ନାହାନ୍ତି। ଆର୍‌ଏସ୍‌ପିରେ ସୁରକ୍ଷା ବିଭାଗ କେବଳ ନାଁକୁ ମାତ୍ର ରହିଛି। ଯାହାଫଳରେ ଦୁର୍ଘଟଣା ଘଟୁଛି ଓ ଶ୍ରମିକଙ୍କ ଜୀବନ ଯାଉଛି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି।’’

ଆର୍‌ଏସ୍‌ପିର ସ୍ବୀକୃ୍ତିପ୍ରାକ୍ତ ଶ୍ରମିକ ସଙ୍ଗଠନ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ହିମାଂଶୁ ବଳ କହିଛନ୍ତି, ‘‘ଆର୍‌ଏସ୍‌ପିରେ ବାରମ୍ବାର ଦୁର୍ଘଟଣା ସୁରକ୍ଷା ଅବହେଳାରୁ ହେଉଛି। ଦୁର୍ଘଟଣା ପରେ ବିଭାଗ ଯେତିକି ତତ୍ପରତା ଦେଖାଉଛି, ପୂର୍ବରୁ ଯଦି ଏପରି ତତ୍ପରତା ଦେଖାନ୍ତା, ଦୁର୍ଘଟଣାର ପୁନରାବୃତ୍ତି ହୁଅନ୍ତା ନାହିଁ।’’ ସେହିପରି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍ଏସ୍‌)ର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ‘‘ଆର୍‌ଏସ୍‌ପିରେ ସୁରକ୍ଷା ବିଭାଗ ରହିଛନ୍ତି। କିନ୍ତୁ ଏହାର ବରିଷ୍ଠ ଅଧିକାରୀମାନେ କାରଖାନାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରିବର୍ତ୍ତେ କାରଖାନା ଭିତରେ ଶ୍ରମିକଙ୍କ ହେଲ୍‌ମେଟ୍‌ ଯାଞ୍ଚ କରୁଛନ୍ତି। ଏଥିରୁ ସୁରକ୍ଷା ବିଭାଗ କେତେ କାରଖାନାର ସୁରକ୍ଷାକୁ କେତେ ପ୍ରାଥମିକତା ଦେଉଛି ସ୍ପଷ୍ଟ ଅନୁମେୟ।’’ ଅନ୍ୟପକ୍ଷରେ ରାଉରକେଲା କାରଖାନା ଓ ବା‌ଷ୍ପିତ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ବିଭୂ ପ୍ରସାଦ କହିଛନ୍ତି, ‘‘କାରଖାନାର ସୁରକ୍ଷା ବ୍ୟବସ୍ଥାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଛି। ଯେଉଁମାନେ ଆଇନ ଉଲ୍ଳଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ୧୯୪୮ ଫ୍ୟାକ୍ଟ୍ରି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଗତକାଲି ଦୁର୍ଘଟଣାର ଅନୁସନ୍ଧାନ ଜାରି ରହିଛି। ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ ହେବା ପରେ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯିବ।’’

ସମ୍ବନ୍ଧିତ ଖବର