ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତ ବିହାରରୁ ଗିରଫ ନକଲି ଏଟିଏମ୍‌ କାର୍ଡ ତିଆରି କରି ଉଠାଉଥିଲେ ଟଙ୍କା

ରାଉରକେଲା: ରାଉରକେଲା ସାଇବର୍ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ନକଲି ଏଟିଏମ୍‌ କାର୍ଡ ସହାୟତାରେ ରାଉର‌କେଲା ବିଏସ୍‌ଏନ୍‌ଏଲ୍‌ର ଜଣେ ଅବସରପ୍ରାପ୍ତ ସହକାରୀ ମହାପ୍ରବନ୍ଧକଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ରାଉରକେଲା ସାଇବର୍ ଥାନା ପୁଲିସ ଆଜି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ବିହାର ଫତେପୁର ଥାନା ଅନ୍ତର୍ଗତ ଧନେତା ଗାଁର ସୁରେନ୍ଦ୍ର କୁମାର ଓରଫ ମଣ୍ଟୁ ସିଂ (୩୬)। ଗୁପ୍ତ ସୂଚନା ଆଧାରରେ ସାଇବର୍ ଥାନାର ସ୍ବତନ୍ତ୍ର ପୁଲିସ ଟିମ୍‌ ଗତକାଲି ରାତିରେ ଧନେତା ଗାଁରେ ଚଢ଼ଉକରି ମଣ୍ଟୁକୁ ଗିରଫ କରିଛି। ଏହି ଠକେଇ ମାମଲାରେ ପୁଲିସ ପୂର୍ବରୁ ମଣ୍ଟୁର ସହଯୋଗୀ ସେହି ବିହାରର ଅରୁ ନିବାସୀ ନିଶାନ୍ତ ରାଜକୁ ଗିରଫ କରିଥିଲା। ଅନ୍ୟ ଦୁଇ ସହଯୋଗୀ ଫେରାର ଥିବା ପୁଲିସ କହିଛି। ଉଲ୍ଲେଖନୀୟ ଯେ ସମ୍ବଲପୁରର ଆଗପିତ ବିଲୁଙ୍ଗ ରାଉରକେଲା ବିଏସ୍‌ଏନ୍‌ଏଲର ମୁଖ୍ୟ କାର୍ଯ୍ୟାଳୟରେ ସହକାରୀ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୧୮ ମାର୍ଚ୍ଚ ଶେଷ ସପ୍ତାହରେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶ୍ରୀ ବିଲୁଙ୍ଗଙ୍କୁ କଲ୍‌ କରିଥିଲା। ଶ୍ରୀ ବିଲୁଙ୍ଗ କଲ୍‌ ଉଠାଇବା ପରେ ଅଭିଯୁକ୍ତ ଜଣକ ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇଥିଲେ। କହିଥିଲେ, ‘‘ତୁମର ଏଟିଏମ୍‌ କାର୍ଡର ଅବଧି ଶେଷ ହେବାକୁ ଯାଉଛି। ଏଣୁ ଏଟିଏମ୍ କାର୍ଡ ପୁନଃ କାର୍ଯ୍ୟକ୍ଷମ ପାଇଁ ଏଟିଏମ୍‌ ନମ୍ବର ଓ ପାସ୍‌ୱାର୍ଡ ଦିଅନ୍ତୁ।’’ ଶ୍ରୀ ବିଲୁଙ୍ଗ ତାଙ୍କୁ ବିଶ୍ବାସ କରି ନିଜର ଏଟିଏମ୍‌ କାର୍ଡ ନମ୍ବର ଓ ପାସୱାର୍ଡ ଦେଇ ଦେଇଥିଲେ। ସେହି କାର୍ଡ ନମ୍ବର ଓ ପାସ୍‌ୱାର୍ଡକୁ ବ୍ୟବହାର କରି ଅଭିଯୁକ୍ତମାନେ ଏକ ନକଲି ଏଟିଏମ୍‌ କାର୍ଡ ତିଆରି କରିଥିଲେ ଏବଂ ସେହି କାର୍ଡକୁ ବ୍ୟବହାର କରି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ବିହାର ଆଦି ରାଜ୍ୟରେ ବୁଲି ବୁଲି ଟଙ୍କା ଉଠାଇବା ସହ ସପିଂ ଜରିଆରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଗତ ଏପ୍ରିଲ ମାସରେ ଶ୍ରୀ ବିଲୁଙ୍ଗ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର