ଦୁର୍ଦ୍ଦାନ୍ତଙ୍କ ଜାମିନ କରାଉଥିଲା ଜାଲ୍‌ ପଟ୍ଟାରେ

ରାଉରକେଲା: ଜାଲ୍‌ ପଟ୍ଟାରେ ଦୁର୍ଦ୍ଦାନ୍ତଙ୍କ ଜାମିନ କରାଉଥିବା ଜଣେ ଅଭ୍ୟାସଗତ ଜାମିନଦାରକୁ ଉଦିତନଗର ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ରାଜଗାଙ୍ଗପୁର ମିଶନପଡାର ଦୁର୍ଗା ଚରଣ ନାଗ। ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ପୁଲିସ ତା ନିକଟରୁ ଜାମିନ ପାଇଁ ବ୍ୟବହୃତ କେତେକ ଜାଲ ପଟ୍ଟା, ଜାଲ ପଟ୍ଟା ତିଆରି ପାଇଁ ବ୍ୟବହୃତ ଷ୍ଟାମ୍ପ ସମେତ ଅନ୍ୟାନ୍ୟ ଆପତ୍ତିଜନକ ଦଲିଲ ଜବତ କରିଛି।
ଏହି ର‍୍ୟାକେଟରେ ଦୁର୍ଗାଙ୍କ ସମେତ ଆହୁରି କିଛି ଦଲାଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପୁଲିସ କହିବାନୁଯାୟୀ ଦୁର୍ଗା ପ୍ରାୟ ୧୦ ବର୍ଷ ଧରି ଅନ୍ୟ କିଛି ଦଲାଲଙ୍କ ସହାୟତାରେ ରାଉରକେଲା କୋର୍ଟରେ ଜାମିନଦାର ଭାବେ ରୋଜଗାର କରୁଥିଲା। ଚୋରି, ଡକାୟତି, ହତ୍ୟା, ଲୁଟ୍‌ ଆଦି ଜଘନ୍ୟ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ୍‌ କରାଇଦେବା ପାଇଁ ସେ ୪ ହଜାରରୁ ୫ ହଜାର ଟଙ୍କା ପର୍ଯର୍୍ୟନ୍ତ ନେଉଥିଲା।

ଯେଉଁ ପଟ୍ଟାରେ ଅଭିଯୁକ୍ତମାନଙ୍କୁ ଜାମିନ ଦେଉଥିଲା, ପୁଣି ସେହି ପଟ୍ଟାକୁ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ପାଇଁ ବ୍ୟବହାର କରୁଥିଲା। କେବଳ ରାଉରକେଲା ଅପରାଧୀ ନୁହଁନ୍ତି, ବରଂ ଆନ୍ତଃରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧିଙ୍କ ଜାମିନ୍‌ରେ ସେ ମଧ୍ୟ ଜାଲ ପଟ୍ଟା ବ୍ୟବହାର ହେଉଥିଲା। ଏଭଳି ଠକେଇ ସମ୍ପର୍କରେ କିଛି ମାସ ପୂର୍ବରୁ କେହି ଜଣେ ରାଉରକେଲା ଏସ୍‌ପିଙ୍କୁ ସୂଚନା ଦେଇଥିଲେ। ତାହାକୁ ଅଧାର କରି ଏସ୍‌ପି ଘଟଣାର ତଦନ୍ତ କରିବାକୁ ଉଦିଦନଗର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍‌ କୋର୍ଟରେ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର