ପାରିବାରିକ କଳହ : ପିଉସୀ ଓ ଭଉଣୀକୁ ହତ୍ୟା

ସ୍ତ୍ରୀକୁ ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ରାଉରକେଲା/କୋଇଡ଼ା : ଏକ ଲୋମଟାଙ୍କୁରା ଘଟଣାକ୍ରମରେ ଆଜି ଅପରାହ୍ନ ୫ଟାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତ ସଣୁଆଁ ଗାଁରେ ରାଜେଶ ସେଠୀ (୨୨) ନିଜ ପିଉସୀ ଓ ବଡ଼ ଭଉଣୀକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି। ସେତିକି ନୁହେଁ ନିଜ ଜନ୍ମ କଲା ମା’ ଓ ସାନ ଭିଣୋଇକୁ ବି ସେ ମାରିବାକୁ ଗୋଡ଼ାଇଥିଲା। ତେବେ ପ୍ରାଣ ବିକଳରେ ପଡ଼ୋଶୀ ଘରେ ପଶିଯିବାରୁ ଦୁହେଁ ବର୍ତ୍ତି ଯାଇଛନ୍ତି। ମୃତା ଦ୍ୱୟ ହେଲେ ପିଉସୀ ଝପ ସେଠୀ (୩୫) ଓ ଭଉଣୀ ଜାକନୀ ସେଠୀ(୨୮)। ଘରୋଇ କଳିକୁ କେନ୍ଦ୍ର କରି ରାଜେଶ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ଅଘଟଣ ପରେ ଅଭିଯୁକ୍ତ ରାଜେଶ ଫେରାର ହୋଇଯାଇଛି। କୋଇଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାଟି କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଅଭିଯୋଗ ଅନୁସାରେ ସଣୁଆଁ ଗାଁରେ ବିଧବା ଦ୍ରୌପଦୀଙ୍କ ଘରେ ପୁଅ ରାଜେଶ, ଅବିବାହିତା ନଣନ୍ଦ ଝପ ଓ ଦୁଇ ବିବାହିତା ଝିଅ ଜାନକୀ ଓ ଅନ୍ୟ ଜଣେ ନିଜ ନିଜ ସ୍ୱାମୀଙ୍କ ସହ କିଛି ବର୍ଷ ହେଲା ରହୁଥିଲେ। ଜାନକୀଙ୍କ ସ୍ୱାମୀ ରାଜୁ ମୁଣ୍ଡା ଟିପ୍ପର ଡ୍ରାଇଭର, ସାନ ଜ୍ୱାଇଁ ବାବୁଲି ସେଠୀ ନିର୍ମାଣ ଶ୍ରମିକ। ଆଜି ବଡ଼ ଜ୍ୱାଇଁ ରାଜୁ ଗାଡ଼ି ନେଇ ବାହାରକୁ ଯାଇଥିଲେ। ସାନ ଭଉଣୀ ଶୌଚ ପାଇଁ ଯାଇଥିଲେ। ଅପରାହ୍ନ ସାଢ଼େ ୪ଟାରେ କୌଣସି କଥାରେ ରାଜେଶ ପରିବାର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲା। ମା’ ଦ୍ରୌପଦୀ ଓ ଭଉଣୀ ଜାନକୀ ବି ତାକୁ ଗାଳିମନ୍ଦ କରିଥିଲେ। ଏତିକିରେ ରାଜେଶ ହଠାତ ରକ୍ତମୁଖା ହୋଇ ଘର ଦ୍ୱାର ମୁହଁରେ ପଡ଼ିଥିବା କୁରାଢ଼ି ଉଠାଇ ସାମ୍ନାରେ ଠିଆ ହୋଇଥିବା ଭଉଣୀ ଓ ପିଉସୀକୁ ହାଣି ପକାଇଥିଲା। ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ରକ୍ତମୁଖା ରାଜେଶ ଏତିକିରେ ଶାନ୍ତ ନହୋଇ ମା’ ଦ୍ରୌପଦୀ ଓ ସାନ ଜ୍ୱାଇଁ ବାବୁଲିକୁ ମାରି ଗୋଡ଼ାଇଥିଲା। ମାତ୍ର ସେମାନେ ଦୌଡ଼ି ପଳାିବାରୁ ବର୍ତ୍ତି ଯାଇଥିଲେ। କୋଇଡ଼ା ଥାନାଧିକାରୀ ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଛି।

ସ୍ତ୍ରୀକୁ ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ନରସିଂହପୁର : ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡ଼ାପାଟଣା ସରସ୍ୱତୀ କଲୋନୀରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। କଲୋନୀର ଜଣେ ମଦ୍ୟପ ଯୁବକ ମାତାଲ ଅବସ୍ଥାରେ ନିଜ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଥାନାରେ ଅଭିଯୋଗ କରାଯାଇଛି। ନରସିଂହପୁର ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ଧନେଶ୍ୱର ପୃଷ୍ଟି (୩୬)କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୋଗ ମୁତାବକ, ସରସ୍ୱତୀ କଲୋନୀ ଭିକାରୀ ଚରଣ ପୃଷ୍ଟିଙ୍କ ପୁଅ ଧନେଶ୍ୱର ଓରଫ ବାବୁ ୬ ବର୍ଷ ତଳେ ନରସିଂହପୁର ଥାନା ଅନ୍ତର୍ଗତ ଶରଧାପୁର ଜଗନ୍ନାଥପ୍ରସାଦପାଟଣା ଗ୍ରାମର ମଧୁସୂଦନ ସାହୁଙ୍କ ଝିଅ ସସ୍ମିତାଙ୍କୁ ବିବାହ କରିଥିଲେ। ସେମାନଙ୍କର ୫ବର୍ଷ ଓ ୮ମାସର ଦୁଇଟି ଝିଅ ଅଛନ୍ତି। ବିବାହ ପରେ ଧନେଶ୍ୱର ବାପଘରୁ ଯୌତୁକ ଆଣିବାକୁ ଦାବି କରି ଅନେକଥର ସସ୍ମିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା। ଏପରି କି, ବାରମ୍ବାର ମାଡ଼ପିଟ ସହି ନ ପାରି ସସ୍ମିତା ବର୍ଷେ ତଳେ ଘର ଛାଡ଼ି ଚାଲି ଯାଇଥିଲେ। ପରବର୍ତ୍ତୀ ସମୟରେ ଏହାର ଆପୋଷ ସମାଧାନ କରାଯାଇଥିଲା। ହେଲେ, ଗତକାଲି ରାତିରେ ଧନେଶ୍ୱର ମଦପିଇ ଘରେ ପହଞ୍ଚିବା ପରେ ପୁନର୍ବାର ଯୌତୁକ ଆଣିବାକୁ କହିବା ସହିତ ଝିଅକୁ ବାଡ଼େଇ ମାରି ଦେଇଥିବା ସସ୍ମିତାଙ୍କ ବିଧବା ମା’ ଜୟନ୍ତୀ ସାହୁ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପରିବାର ଲୋକେ ପହଞ୍ଚିବା ବେଳକୁ ହତ୍ୟା ପରେ ଝିଅକୁ ଘର ଫ୍ୟାନରେ ଲୁଗା ସାହାଯ୍ୟରେ ଝୁଲାଇ ଦିଆଯାଇଥିଲା ବୋଲି ଏତଲାରେ ଦର୍ଶାଯାଇଛି। ଏ ନେଇ ଥାନାରେ ଏକ ମାମଲା (କେସ୍‌ ନଂ-୮୭/୧୮) ରୁଜୁ କରି ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଆଠଗଡ଼ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଜିତ ପ୍ରସାଦ ସାହୁ, ଥାନା ଅଧିକାରୀ ବ୍ରହ୍ମାନନ୍ଦ ଦେହୁରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର