ଦୁଷ୍କର୍ମରୁ ରକ୍ଷା ପାଇଁ ଚିତ୍କାର କରିବାରୁ ବିଧବାଙ୍କୁ ପିଲା ଚୋର କହି ପିଟିଲେ : ଭିଡ଼ିଓ ଭାଇରାଲ ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା

ବାପ,୨ ପୁଅ ଗିରଫ; ୪ ଫେରାର

ରାଉରକେଲା : ରାତି ପ୍ରାୟ ସାଢ଼େ ୧୧ଟାରେ ଏକୁଟିଆ ଦେଖି ଦୁଷ୍କର୍ମ ଉଦ୍ୟମ କଲେ। ନିରୀହ ମହିଳାଟି ଚିତ୍କାର କରିବାରୁ ଲୋକେ ପହଞ୍ଚିଗଲେ। ସଂଗେସଂଗେ ପୀଡ଼ିତାଙ୍କୁ ସଜାଇ ଦେଲେ ‘ପିଲା ଚୋର’। ଲୋକେ ଘେରିଯାଇ ତାଙ୍କ ହାତ-ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ଦେଲେ। ସୌଭାଗ୍ୟକୁ ମରଣାନ୍ତକ ଆକ୍ରମଣରୁ ମହିଳା ବର୍ତ୍ତିଯାଇଛନ୍ତି। ଗତ ୧୭ ତାରିଖ ରାତି ସ୍ଥାନିୟ ଇନ୍ଦିରାନଗର ବସ୍ତିରେ ଘଟିଥିବା ଏଭଳି ସ୍ପର୍ଶକାତର ଅଘଟଣର ଭିଡ଼ିଓ ମୋବାଇଲ୍‌ ଫୋନ୍‌ରେ ପ୍ରସାରିତ ହେବା ପରେ ପୁଲିସ୍‌ ମାମଲା ରୁଜୁ କରିଛି। ଅଭିଯୁକ୍ତ ବାପ ଓ ଦୁଇ ପୁଅଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଫେରାର୍‌ ୪ ଜଣଙ୍କୁ ପୁଲିସ୍‌ ଖୋଜୁଛି। ତେବେ ଏହି ମାମଲାରେ ଜଣେ ମହିଳା ଅଭିଯୁକ୍ତ ଥିବାରୁ ପୀଡ଼ିତାଙ୍କ ପ୍ରତି ଦୁଷ୍କର୍ମ ଉଦ୍ୟମ ହୋଇଥିଲା କି ନାହିଁ- ତାହାର ଟିକିନିଖି ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ପୀଡିତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏସ୍‌ପି ଡକ୍ଟର ଉମା ଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସେପଟେ ପୀଡ଼ିତା ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଓ ପରେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ନିଜ ଭଉଣୀ ଘରେ ଓଷଧ ଖାଉଛନ୍ତି। ପୀଡ଼ତା ଦେଇଥିବା ଏତଲା ଅନୁଯାୟୀ ଗୋପବନ୍ଧୁପାଲୀର ଏହି ମହିଳା ସମ୍ବଲପୁରରେ ବିବାହ କରିଥିଲେ। ପ୍ରାୟ ବର୍ଷକ ତଳେ ସ୍ୱାମୀଙ୍କ ମୃତ୍ୟୁ ହେବାରୁ ସେ ନିଜ ବାପଘରକୁ ଫେରି ଭଉଣୀଙ୍କ ନିକଟରେ ରହିଥିଲେ। ପେଟ ପୋଷିବା ପାଇଁ ସେ ଦିନ ମଜୁରିଆ ଭାବେ ଦୈନିକ ବାହାରି ଯାଆନ୍ତି। ଫେରିବା ବେଳକୁ ସନ୍ଧ୍ୟା କିମ୍ବା ରାତି ହୋଇଯାଏ। ଗତ ୧୭ ତାରିଖ ରାତି ରାଉରକେଲା ମେନରୋଡ଼ରେ ଅନୁଷ୍ଠିତ ବିବାହ ଉତ୍ସବରେ କାମ କରି ରାତି ପ୍ରାୟ ସାଢ଼େ ୧୧ଟାରେ ଗୋବନ୍ଧୁପାଲୀସ୍ଥିତ ଭଉଣୀ ଘରକୁ ଏକାକୀ ଫେରୁଥିଲେ। ଏକୁଟିଆ ଦେଖି ଇନ୍ଦିରାନଗର ବସ୍ତି ନିକଟରେ ତିନି ଜଣ ଯୁବକ ତାଙ୍କୁ ଅଟକାଇ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡିତା ଚିତ୍କାର କରିବାରୁ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ଲୋକଙ୍କ ହାତରେ ଧରାପଡ଼ିବା ପୂର୍ବରୁ ତିନି ଯୁବକ ଏହି ମହିଳାଙ୍କୁ ପିଲା ଚୋର ବୋଲି ବର୍ଣ୍ଣନା କରିଥିଲେ। ତାହାକୁ ବିଶ୍ୱାସ କରି ଉତ୍ତ୍ୟକ୍ତ ଲୋକେ ମହିଳାଙ୍କୁ ବସ୍ତିକୁ ଭିଡ଼ି ନେଇଥିଲେ। ସେଠାରେ ପୀଡିତାଙ୍କ ହାତଗୋଡ଼ ବାନ୍ଧି ବସ୍ତିର କିଛି ପୁରୁଷ ଓ ମହିଳା ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୀଡିତା ଯେତେ କାକୁତିମିନତୀ ହୋଇଥିଲେ ମଧ୍ୟ ସେମାନେ ଛାଡି ନଥିଲେ। ଭୋର ପ୍ରାୟ ସାଢ଼େ ୪ଟା ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରା ଚାଲିଥିଲା। ଶେଷରେ ସେ ବେହୋସ ହୋଇଯିବାରୁ ବସ୍ତିର କିଛି ଯୁବକ ତାଙ୍କୁ ଟେକି ନେଇ ନିକଟସ୍ଥ ରେଲେଓ୍ଵ ଲାଇନ କଡ଼ରେ ଫିଙ୍ଗି ଦେଇଥିଲେ।

ସକାଳ ୫ଟାରେ ଶୌଚ ପାଇଁ ଯାଇଥିବା କିଛି ଲୋକ ବେହୋସ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଦେଖି ତାଙ୍କ ଭଉଣୀଙ୍କୁ ଖବର ଦେଇଥିଲେ। ଭଉଣୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଆର୍‌ଜିଏଚ୍‌ ନେଇଥିଲେ। ଗତ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇ ୨୧ରେ ଘରକୁ ଫେରି ଗୋପବନ୍ଧୁପାଲୀ ଫାଣ୍ଡି ଓ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ ନିରବ ରହିଥିଲା। ଗତକାଲି ପୀଡିତା ଓ ପରିବାର ସ୍ଥାନୀୟ ଅଞ୍ଚଳର ସମାଜସେବୀ ପ୍ରକାଶ ପାଶ୍ୱାନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପ୍ରକାଶ ଏ ସମ୍ପର୍କରେ ରାଉରକେଲା ଏସ୍‌ପିଙ୍କୁ ଜଣାଇବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ପୀଡିତାଙ୍କ ଭିଡିଓକୁ ତାଙ୍କ ମୋବାଇଲକୁ ପଠାଇଥିଲେ। ଏସ୍‌ପି ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ମାମଲା ରୁଜୁ ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ଲାଣ୍ଟ ସାଇଟ୍‌ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଥାନା କର୍ତ୍ତୃପକ୍ଷ ଆଜି ଇନ୍ଦିରାନଗର ବସ୍ତିର କପୁର ଶର୍ମା, ତାଙ୍କର ଦୁଇ ପୁଅ ସୁରଜ ଓ ରୋଶନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାକୁ ତନାଘନା ଚଳାଇଛି। ତେବେ ଏହି ଘଟଣାରେ କିଛି ମହିଳା ସାମିଲ ଥିବାରୁ ପୀଡିତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିଲା କି ନାହିଁ- ତାହାର ସତ୍ୟାସତ୍ୟ ଅନୁସନ୍ଧାନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ଡିଏସ୍‌ପି ପି.କେ. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର