ରାଉରକେଲା: ସାମାନ୍ୟ କେତେଟା କୁକୁଡା ମରିବାକୁ କେନ୍ଦ୍ରକରି ଦାଦା ହାତରେ ଗଲା ଝିଆରୀର ଜୀବନ। ସମ୍ପର୍କୀୟ ଦାଦାର କାଠ ଫାଳିଆ ମାଡରେ ଗୁରୁତର ଆହତ ଝିଆରୀର ଆଜି ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଲେ ରସନୀ ଡୁଙ୍ଗଡୁଙ୍ଗ (୧୪)। ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡାରେ ଏହି ଅଭାବନୀୟ କାଣ୍ଡ ଘଟିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗୋପୁର କୁମ୍ଭାରପଡାରେ ପାଖାପାଖି ଘରେ ଅଭିଯୁକ୍ତ ସମୀର ଡୁଙ୍ଗଡୁଙ୍ଗ ଓ ତା’ର ସମ୍ପର୍କୀୟ ଭାଇ କିଶୋର ଡୁଙ୍ଗଡୁଙ୍ଗ ରହନ୍ତି। କିଶୋରଙ୍କର ଝିଅ ହେଉଛି ରସନୀ। କିଶୋର ଘରେ କିଛି କୁକୁଡା ପାଳିଥିଲେ। ଦୈନିକ ସେ କୁକୁଡାଗୁଡ଼ିକ ଚରାବୁଲା କରିବାକୁ ସମୀରର ବାଡିକୁ ଯାଇଥାନ୍ତି। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମୀର ନିଜ ବାଡିରେ ବିଷମିଶା ଭାତ ପକାଇ ଦେଇଥିଲା। ସେହି ଭାତକୁ ଖାଇବା ପରେ କିଶୋରଙ୍କର ୭ଟି କୁକୁଡା ମରି ଯାଇଥିଲେ। ସେଥିରେ ରାଗିଉଠି କିଶୋର ଗତକାଲି ରାତି ପ୍ରାୟ ୮ଟାରେ ସମୀରର ଘରେ ପହଞ୍ଚିଥିଲେ। ‘‘କାହିଁକି ମୋ କୁକୁଡାଗୁଡିକୁ ମାରିଲୁ?’’ ବୋଲି ସମୀରକୁ ପଚାରିଥିଲେ। ଏହାପରେ ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ବାପାଙ୍କ ସହ ସମୀର ଝଗଡା କରୁଥିବା ଦେଖି କିଶୋରଙ୍କ ଝିଅ ରସନୀ ଯାଇ ପ୍ରତିବାଦ କରିଥିଲା। ପରେ ବାପା ଝିଅ ଦୁହେଁ ନିଜ ଘରକୁ ଫେରି ଯାଇଥିଲେ। ଭୁଲବଶତଃ ସମୀରର ଘର ଆଗରେ କିଶୋର ପିନ୍ଧିଥିବା ଚପଲ ହଳକ ଛାଡି ଦେଇଥିଲେ। ତେଣୁ କିଛି ସମୟ ପରେ ରସନୀ ବାପା କିଶୋରଙ୍କ ଚପଲ ଆଣିବାକୁ ସମୀର ଘରକୁ ଯାଇଥିଲା। ରସନୀକୁ ଦେଖି ସମୀର ଗାଳିଗୁଲଜ କରିଥିଲା। କେବଳ ସେତିକି ନୁହେଁ, ଘରୁ କାଠ ଫାଳିଆ ଆଣି ରସନୀକୁ ଆକ୍ରମଣ କରିଥିଲା। କାଠ ଫାଳିଆ ମାଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରସନୀ ଚିତ୍କାର କରିବାରୁ ପରିବାର ଲୋକ ପହଞ୍ଚି ସମୀରକୁ ଆକ୍ରମଣ କରିଥିଲେ। ଏଥିରେ ସମୀର ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ରସନୀକୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରା ଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ଆଜି ତା’ର ମୃତ୍ୟୁ ଘଟିଛି। ଖବର ପାଇ ନୂଆଗାଁ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସମୀରକୁ ଗିରଫ କରିଥିଲେ। ଆଜି ସକାଳେ ବୀରମିତ୍ରପୁର ଏସ୍‌ଡିପିଓ ପି.କେ. ପାତ୍ର ଓ ଥାନା ଅଧିକାରୀ ଶ୍ୟାମଲାଲ ଓରାମ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ହାତୀବାରି ପୁଲିସ ଅଭିଯୁକ୍ତ କକା ସମୀର ଡୁଙ୍ଗଡୁଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣା ତଦନ୍ତ ଚଳାଇଛି।