ରାଉରକେଲା: ରଘୁନାଥପାଲି ବିଜେଡି ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାପରେ ବିଧାୟକ ସୁବ୍ରତ ତରାଇଙ୍କ ଲମ୍ବା ଅନୁପସ୍ଥିତି କାରଣରୁ ସ୍ଥାନୀୟ ବସ୍ତି ବାସିନ୍ଦା ବିଧାୟକ ନିଖୋଜ ଥିବା ପୋଷ୍ଟର ମାରିଥିଲେ। ପୁଣି ନିର୍ବାଚନମଣ୍ଡଳୀର ମହିଳାମାନେ ବିଧାୟକଙ୍କ ସହ ମୁହାଁମୁହିଁ ହୋଇ ତାଙ୍କ କାମର ହିସାବ ମାଗିଥିଲେ। ଏସବୁ ଘଟଣା ବିଭିନ୍ନ ସମୟରେ ବିଧାୟକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲାବେଳେ ଦଳରେ ଗୋଷ୍ଠୀକନ୍ଦଳ ଏବେ ନୂଆ ଚର୍ଚ୍ଚାର ଖୋରାକ ଯୋଗାଇଛି। ମଙ୍ଗଳବାର ଆୟୋଜିତ ବିଜେଡିର ପ୍ରତିଷ୍ଠା ଦିବସରେ ଏହି କନ୍ଦଳ ପଦାରେ ପଡ଼ିଥିଲା।
ସୁବ୍ରତଙ୍କ ଲମ୍ବା ଅନୁପସ୍ଥିତି ଦଳ ଭିତରେ ତିନିଜଣ ନୂଆ ଆଶାୟୀଙ୍କୁ ମୁଣ୍ଡ ଟେକିବାର ସୁଯୋଗ ଦେଇଥିଲା। ବିଜେଡି ଟିକଟ ଆଶାୟୀ ଏହି ତିନି ନେତା ଏବେ ବିଭିନ୍ନ ବସ୍ତି, ଗାଁ ବୁଲି ଲୋକ ସମର୍ଥନ ଯୋଗାଡ଼ରେ ମାତିଛନ୍ତି। ଏମାନଙ୍କ କ୍ରମବର୍ଦ୍ଧିଷ୍ଣୁ ପତିଆରାକୁ ସଙ୍କୁଚିତ କରିବା ତଥା ନିଜ ଅନୁପସ୍ଥିତିର ଭରଣା ପାଇଁ ଦଳକୁ ସଂଗଠିତ କରି ନିଜ ନିୟନ୍ତ୍ରଣ ବଜାୟ ରଖିବାରେ ସୁବ୍ରତ ଏକପ୍ରକାର ବିଫଳ ହୋଇଛନ୍ତି। ବିରୋଧୀଙ୍କ ଅଭିଯୋଗ ଅନୁସାରେ ବିଧାୟକ ଏବେ ଜଣେ ଦୁଇଜଣ ଯୁବ ନେତାଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ନିର୍ଦ୍ଦିଷ୍ଟ କିଛି ବରିଷ୍ଠ ନେତା ଉପେକ୍ଷିତ ହେଉଛନ୍ତି। ମଙ୍ଗଳବାରର ପ୍ରତିଷ୍ଠା ଦିବସରେ ରଘୁନାଥପାଲି ବିଜେଡି ନଗର ସଭାପତି ମଞ୍ଚକୁ ନଯିବା ଓ କାର୍ଯ୍ୟକ୍ରମ ଆରମ୍ଭରୁ ପଳାଇବା ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଥିଲା। ତୃତୀୟଥର ବିଧାୟକ ହେବାପରେ ସ୍ବାସ୍ଥ୍ୟାବସ୍ଥା କାରଣରୁ ସୁବ୍ରତ ଅନୁପସ୍ଥିତ ରହିବାରୁ ନଗର ସଭାପତି ହିଁ ଦଳକୁ ସଂଗଠିତ ରଖି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ଗତ ତିନିମାସ ହେଲା ଶ୍ରୀ ତରାଇ ହଠାତ ସକ୍ରିୟ ହୋଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। କିନ୍ତୁ କିଛି ଯୁବ ନେତାଙ୍କ ଦ୍ବାରା ପରିଚାଳିତ ହୋଇ ଦଳର ବରିଷ୍ଠ ନେତା ମାନଙ୍କୁ ଉପେକ୍ଷା କରୁଥିବା ଚର୍ଚ୍ଚା ହେଉଛି। ଏମିତିକି କୌଣସି ଗୁରୁତ୍ଵପୂର୍ଣ୍ଣ ବୈଠକରେ ବରିଷ୍ଠଙ୍କୁ ନ ଡାକି ସମସ୍ତ ନିଷ୍ପତ୍ତି ନେବାପରେ ଶେଷ ମୁହୂର୍ତ୍ତରେ ସେମାନଙ୍କୁ ସୂଚନା ଦିଆଯାଉଥିବା ଆଲୋଚନା ହେଉଛି। ଅପରପକ୍ଷରେ ବିଜେଡିର ଏହି ଗୋଷ୍ଠୀକନ୍ଦଳ ଟିକଟ୍ ଆଶାୟୀ ତିନି ନେତାଙ୍କୁ ବହୁମାତ୍ରାରେ ସୁହାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।